ଅବସାଦରେ ଆଞ୍ଚଲ

Advertisment
ଅବସାଦରେ ଆଞ୍ଚଲ

ସୋନି ଟିଭିର ଲୋକପ୍ରିୟ ଧାରାବାହିକ ‘ବଡ଼େ ଅଛେ ଲଗତେ ହେଁ’ରେ ପିହୁ ଚରିତ୍ରରେ ଦର୍ଶକଙ୍କୁ ଭରପୂର ମନୋରଂଜନ ଯୋଗାଇଥିବା ଅଭିନେତ୍ରୀ ଆଞ୍ଚଲ ମୁଞ୍ଜଲଙ୍କର ଏବେ ରାଶି ଭଲ ଚାଲିନି। ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରି ୪ଟି ହିନ୍ଦୀ ସିନେମା ଓ ଗୋଟିଏ ତାମିଲ ସିନେମା ସମେତ ୮ଟି ଟିଭି ଧାରାବାହିକରେ ଅଭିନୟ ଦକ୍ଷତା ହାସଲ କରିଥିବା ଆଞ୍ଚଲ ଏବେ ଖାଲି ହାତରେ ଘରେ ବସି ରହିଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଠାରେ ୧୯୯୭ ଏପ୍ରିଲ ୧୩ ତାରିଖରେ ଜନ୍ମ ନେଇଥିବା ଆଞ୍ଚଲ ଶିକ୍ଷାରେ ସ୍ନାତକ ଡିଗ୍ରି ସାରିଛନ୍ତି। ତେବେ ପିଲା ବେଳେ ୧୯୯୪ର ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ବଲିଉଡ୍‌ ନାୟିକା ସୁସ୍ମିତା ସେନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଅଭିନେତ୍ରୀ ହେବାକୁ ମନସ୍ଥ କରିଥିଲେ। ସୌଭାଗ୍ୟକୁ ଗ୍ଲାମର ଜଗତ୍‌କୁ ପ୍ରବେଶ କରିବାର ଆଗ୍ରହ ତାଙ୍କୁ ଶୈଶବାବସ୍ଥାରେ ସୁଯୋଗ ଜୁଟାଇଥିଲା। ଜଣେ କୋମଳମତି ଶିଶୁ ଭାବରେ ପାର୍ଲେ-ଜି ବିସ୍କୁଟର ବିଜ୍ଞାପନରେ ଦେଖାଦେଇ ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୦୫ରେ ଧାରାବାହିକ ‘ସାନୋ କି ସାଦି’ରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ।

ସେହିପରି ୨୦୦୭ରେ ଡିସନି ଚ୍ୟାନେଲ୍‌ରେ ପ୍ରସାରିତ ସଂଗୀତଭିତ୍ତିକ ଟିଭି ଧାରାବାହିକ ‘ଧୁମ୍‌ ମଚାଓ ଧୁମ୍‌’ରେ ସାମିଲ ହୋଇ ଅଭିଜ୍ଞତା ହାସଲ କରିଥିଲେ। ତେବେ ୨୦୧୦ରେ ସିଦ୍ଧାର୍ଥ ପି. ମାଲହୋତ୍ରା ନିର୍ଦେଶିତ ହିନ୍ଦୀ ସିନେମା ‘ଵି ଆର୍‌ ଫାମିଲି’ରେ ତାଙ୍କର କିଶୋରୀ ଭୂମିକା ଦର୍ଶକଙ୍କୁ ମୁଗ୍‌ଧ କରିପାରିଥିଲା। ସେହି ବର୍ଷ ଟିଭି ଧାରାବାହିକ ‘ଘୋଷ୍ଟ ବନା ଦୋସ୍ତ’ରେ ଆଞ୍ଚଲଙ୍କ ଚୁନ୍ନି ଚରିତ୍ର ମଧ୍ୟ ଉଲ୍ଲେଖନୀୟ ହୋଇପାରିଥିଲା। ତେବେ ଅମିତାଭ ବଚ୍ଚନ ଅଭିନୀତ ହିନ୍ଦୀ ସିନେମା ‘ଆରକ୍ଷଣ’ରେ ମୁନିୟା ଯାଦବ ଭୂମିକାରେ ଅବତୀର୍ଣ୍ଣ ହୋଇ ଆଞ୍ଚଲ ଲୋକଲୋଚନକୁ ଆସିଥିଲେ। ୨୦୧୨ରେ ତାଙ୍କୁ ‘ପର୍ଭରିସ- କୁଛ ଖଟ୍ଟେ କୁଛ ମିଠେ’ ଧାରାବାହିକ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ସମ୍ମାନିତ କରାଯାଇଥିଲା। ପଛକୁ ପଛ ‘ଘାୟଲ: ଵାନ୍‌ସ ଏଗେନ୍‌’ ଓ ‘ମୁମ୍ବାଇ ସ୍ପେସିଆଲ’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ହିନ୍ଦୀ ଫିଲ୍ମ ଜଗତ୍‌ ତାଙ୍କୁ ସେପରି ପ୍ରତିଷ୍ଠା ଦେଇପାରିନଥିବାରୁ ସେ ୨୦୧୮ରେ ଟଲିଉଡ୍‌ ମୁହାଁ ହୋଇ ତାମିଲ ଫିଲ୍ମ ‘ସେଇ’ରେ ମଧ୍ୟ ନିଜର ଭାଗ୍ୟ ପରଖିଥିଲେ। ‘ଗୁମରାହ: ଏଣ୍ଡ ଅଫ୍‌ ଇନୋସେନ୍‌ସ’, ‘ବଡ଼େ ଅଚ୍ଛେ ଲଗତେ ହେଁ’, ‘ଏକ ବୁନ୍ଦ ଇସ୍କ’ ଓ ‘ଦିଲ୍‌ ବଫରିଂ’ ପରି ଲୋକପ୍ରିୟ ଧାରାବାହିକରେ ଅଭିନୟର ଅଭିଜ୍ଞତା ଥିଲେ ମଧ୍ୟ ଦୀର୍ଘ ଦିନ ହେଲା କୌଣସି ସୁଯୋଗ ନ ପାଇ ସେ ଏବେ ଅବସାଦରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe