୧୯୮୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ସ୍ବପ୍ନ ସାଗର’ ଓଡ଼ିଆ ଦର୍ଶକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା। ରାଧାନାଥ ଭଟ୍ଟଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ମ୍ୟୁଜିକାଲ୍ ହିଟ୍ ‘ସ୍ବପ୍ନ ସାଗର’ର କାହାଣୀରେ ନାୟକ (ପ୍ରଶାନ୍ତ ନନ୍ଦ) ଓ ନାୟିକା (ମହଶ୍ବେତା)ଙ୍କର ପୂର୍ବଜନ୍ମର କଥା ଉପସ୍ଥାପିତ ହୋଇଥିଲା। ଏ ଜନ୍ମରେ ପୂର୍ବଜନ୍ମର କଥା ହିଁ ଅବତାରଣା କରାଯାଇଥିଲା। ଏହାର ୨୦ବର୍ଷ ପରେ ୨୦୦୩ରେ ପରଦାକୁ ଆସିଥିବା ବିଭୂତି ରାଉତରାୟଙ୍କ ପ୍ରଯୋଜିତ ତଥା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବାହୁଡ଼ିବେ ମୋ ଜଗାବଳିଆ’ରେ ବି ଦୁଇ ନାୟକ ସିଦ୍ଧାନ୍ତ ଓ ଶ୍ରୀତମ ଦାସଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଥିଲା। ଏହାର ୪ ବର୍ଷ ପରେ ବାଲୁଙ୍କେଶ୍ବର ଫିଲ୍ମସ୍ ପ୍ରଯୋଜିତ ତଥା ସଞ୍ଜୟ ନାୟକ ଓ ମଳୟ ମିଶ୍ରଙ୍କ ନିର୍ଦ୍ଦେଶିତ ‘ତୋ ପାଇଁ ନେବି ମୁଁ ଶହେ ଜନମ’ (୨୦୦୭)ର କଥାବସ୍ତୁରେ ନାୟକ (ଅରିନ୍ଦମ) ଓ ନାୟିକା (ଅର୍ଚ୍ଚିତା)ଙ୍କ ଦୁଇଟି ଜନ୍ମର କଥା ପ୍ରଦର୍ଶିତ ହୋଇଥିଲା।
ଏବେ ପୁଣି ପୁନର୍ଜନ୍ମ କାହାଣୀ ଉପରେ ଆଧାରିତ ଏକ ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି। ୟୁ.କେଙ୍କ ପ୍ରଯୋଜିତ ତଥା ନବାଗତ ରିୟାଜ୍ ଖାନ୍ଙ୍କ ନିର୍ଦ୍ଦେଶିତ ‘ମୋହନଗିରି’ର କାହାଣୀରେ ପୂର୍ବଜନ୍ମର କଥା ରହିଛି। କାହାଣୀ ଅନୁଯାୟୀ, ନାୟକ ଅବସାଦଗ୍ରସ୍ତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ନାୟକ ଜିତ୍ (ସାର୍ଥକ) ଓ ନାୟିକା ପ୍ରିୟା (ହିରଣ୍ମୟୀ) ପ୍ରାକୃତିକ ପରିବେଷ୍ଟନୀ ଘେରା ସୁଦୂର ମୋହନଗିରିକୁ ବୁଲି ଯାଆନ୍ତି। ସେଠାରେ ଜିତ୍ଙ୍କର ପୂର୍ବଜନ୍ମ କଥା ମନେପଡ଼େ। ସେହି ଜନ୍ମରେ ଜିତ୍ ଥିଲେ ମନୁଆ ଆଉ ତାଙ୍କର ପ୍ରେମିକା ଥିଲେ ତିତ୍ଲି (ଅର୍ଲିନ୍ ଅଙ୍କିତା)। ମନୁଆ ଆଦିବାସୀ ଯୁବକ, ଆଉ ତିତ୍ଲି ଆଦିବାସୀ ହେଲେ ବି ଉଚ୍ଚ ଜାତିର। ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ିଉଠେ। ତେଣେ ଖଳନାୟକ (ଗାଁ ମୁଖିଆ)ର ଭାଇ (ଅଭିନେତା ଦେବ୍) ତିତ୍ଲିକୁ ବାହା ହେବାକୁ ଚାହେ। ସେଥିରେ ସେ ସଫଳ ହୁଏନା। ଏଣେ ଗାଁ ଲୋକେ ବି ମନୁଆ-ତିତ୍ଲିଙ୍କ ପ୍ରେମକୁ ବିରୋଧ କରନ୍ତି। ଅବଶେଷରେ ମୁଖିଆ ଭାଇର ଚକ୍ରାନ୍ତରେ ପ୍ରେମୀଯୁଗଳଙ୍କୁ ଜୀବନ୍ତ ଜଳାଇ ଦିଆଯାଏ। ମୋହନଗିରିରେ ଏସବୁ ମନେପଡ଼ିବା ପରେ ନାୟକ ହତ୍ୟାର ପ୍ରତିଶୋଧ ନେଇପାରେ କି? ଏହା ଫିଲ୍ମର କ୍ଲାଇମାକ୍ସ୍ରେ ଦେଖିବାକୁ ମିଳିଛି ।
‘ମୋହନଗିରି’ରେ ଚୌଧୁରୀ ବିକାଶ ଦାସ ତିତ୍ଲିର ବାପା ଭୂମିକାରେ ଥିବା ବେଳେ ଗାଁ ମୁଖିଆ ଭୂମିକାରେ ପ୍ରଶାନ୍ତ ପାତ୍ର ଅଭିନୟ କରିଛନ୍ତି। ବରିଷ୍ଠ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନାୟକ ମନୁଆ (ସାର୍ଥକ)ର ମାଆ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଏନ୍ଏସ୍ଡିପଢୁଆ ନିର୍ଦ୍ଦେଶକ ରିୟାଜ୍ଙ୍କ ‘ମୋହନଗିରି’ ପୂର୍ବ ତିନିଟି ଛବି ଭଳି ଲୋକପ୍ରିୟତା ସାଉଁଟି ପାରୁଛି କି ନାହିଁ, ଫିଲ୍ମ ରିଲିଜ୍ ହେବାପରେ ଜଣାପଡ଼ିବ।
Follow Us