YouTube
ଭୁବନେଶ୍ବର: ଛିଣ୍ଡୁନି ବର୍ଷା- ଅନୁଭବ ବିବାଦ। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କୌଣସି ବି ମତେ ପୁଣି ଥରେ ପତ୍ନୀ ବର୍ଷାଙ୍କ ସହ ସଂପର୍କରେ ରହିବାକୁ ଚାହାନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଦୁଇ ପତି-ପତ୍ନୀ ସୋସିଆଲ୍ ମିଡିଆରେ ନିଜ ନିଜର ଭାବନା ବ୍ୟକ୍ତ କରିବାରେ ପୂରା ଲାଗି ପଡ଼ିଛନ୍ତି।
ପୂର୍ବରୁ ବର୍ଷା-ଅନୁଭବଙ୍କୁ ଜାତୀୟ ମାନବ ଅଧିକାର କର୍ମୀ ଭେଟିକି ଫେରିବା ପରେ କହିଥିଲେ କି ବର୍ଷା ବିବାହ ସୁରକ୍ଷିତ ରଖିବାକୁ ଚାହୁଁଥିବା ବେଳେ ଅନୁଭବ ବିବାହ ବିଚ୍ଛେଦ ସପକ୍ଷରେ ମତ ରଖିଛନ୍ତି। କର୍ମୀମାନେ ଅନୁଭବ ଓ ବର୍ଷାଙ୍କ ସହ କଥା ହୋଇ ଫେରିବା ପରେ ଅନୁଭବ ମହାନ୍ତି ଏକ ଟ୍ବିଟ୍ କରି ଲେଖିଥିଲେ, ‘ମୁଁ କାହାକୁ ବିଶ୍ବାସ କରିବି? ମୋ ସମ୍ମାନିତ ବାପାମାଆଙ୍କୁ ନା ମାନବ ଅଧିକାର କମିସନକୁ?’ ଏପରି ପୋଷ୍ଟ୍ କରି ଅନୁଭବ ଫ୍ୟାନ୍ସମାନଙ୍କୁ ନିଜ ନିଜର ମତ ରଖିବାକୁ କହିଥିଲେ।
ସେହି ଟ୍ବିଟର୍ ଉତ୍ତରରେ ନିଜେ ଅନୁଭବ ଗତକାଲି ରାତିରେ ଅନ୍ୟ ଏକ ଟ୍ବିଟ୍ କରିଛନ୍ତି। ସେ ତାଙ୍କ ଟ୍ବିଟ୍ରେ ଲେଖିଛନ୍ତି, ‘ଗତକାଲି ବିଳମ୍ବିତ ରାତିରେ ଯାହା ଟ୍ବିଟ୍ କରିଥିଲି ଇଏ ହେଉଛି ତା’ର ଉତ୍ତର, ଏହି ଫଟୋଗୁଡ଼ିକ ମୁଁ ସୋସିଆଲ୍ ମିଡିଆରୁ ପାଇଲି।’
ପୋଷ୍ଟ୍ରେ ବର୍ଷା ଓ ମାନବ ଅଧିକାର କର୍ମୀ ଗିତାଶ୍ରୀ ଦାସଙ୍କ କେତୋଟି ଫଟୋ ଦେଖିବାକୁ ମିଳିଛି। ସେଥିରେ ଲେଖାଯାଇଛି ଗୀତାଶ୍ରୀ ହେଉଛନ୍ତି ବର୍ଷାଙ୍କ ଘନିଷ୍ଠ ବନ୍ଧୁ। କେବଳ ସେତିକି ନୁହେଁ, ଗୀତାଶ୍ରୀଙ୍କ ସହ ବର୍ଷା ପୂର୍ବରୁ ଅନେକ ଉତ୍ସବରେ ସାଥୀ ହୋଇ ଉପସ୍ଥିତ ରହିଥିବାର ମଧ୍ୟ ଫଟୋରେ ଦେଖିବାକୁ ମିଳିଛି।
ଫଟୋରେ ଆହୁରି ବି ଲେଖାଯାଇଛି ଯେ ‘ମାନବ ଅଧିକାର କର୍ମୀମାନେ କହିଥିଲେ କି ସେମାନେ ବର୍ଷା ଓ ଅନୁଭବଙ୍କ ବିଷୟରେ ଗଣମାଧ୍ୟମରେ କୌଣସି ବୟାନ ଦେବେ ନାହିଁ। ମାତ୍ର ଗଣମାଧ୍ୟମରେ ସେମାନେ ବର୍ଷାଙ୍କ ସପକ୍ଷରେ ମତ ରଖୁଛନ୍ତି।’
ଅନୁଭବ ଅନ୍ୟ ଏକ ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ଶପଥ କରୁଛି ଲିଙ୍ଗଗତ ସମାନତା ପାଇଁ ଲଢ଼େଇ କରିବି। ମହିଳା, ପୁରୁଷ କିମ୍ବା କିନ୍ନର ହୁଅନ୍ତୁ। ଲୋକଙ୍କ ଉନ୍ନତି ପାଇଁ ନିର୍ମିତ ଆଇନର କେହି ଦୁର୍ବ୍ୟବହାର କରିବା ଉଚିତ୍ ନୁହେଁ।’
Follow Us