ବିଫଳତାରେ ବିବ୍ରତ ନହେବାର ବରଦାନ: ସ୍ବରା ଭାସ୍କର

Advertisment
ଏହି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ସ୍ଵରା ଭାସ୍କର

24newshd

ସିନେ ଜଗତର ମାୟାନଗରୀରେ ୧୨ ବର୍ଷ ହେଲା ପ୍ରବେଶ। ଏହି ଅବସରରେ ୨୨ଟି ହିନ୍ଦୀ ଫିଲ୍ମ ସମେତ ସାତଟି ଟିଭି ଧାରାବାହିକରେ ନିଜର ଦମ୍‌ଦାର ଉପସ୍ଥିତି। ଖାଲି ସେତିକି ନୁହେଁ, ନିଜର ଅଭିନୟ ଦକ୍ଷତା ପାଇଁ ଛଅ ଛଅ ଥର ଜାତୀୟ ସ୍ତରୀୟ ପୁରସ୍କାର ଲାଭ ସାଙ୍ଗକୁ ତିନି ଥର ଫିଲ୍ମଫେୟାର ସମ୍ମାନ ପାଇଁ ସୁପାରିସ। ଏତେ ସବୁ କୃତିର ଅଧିକାରିଣୀ ହେଉଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ପ୍ରାରମ୍ଭିକ ବିଫଳତାରେ ବିବ୍ରତ ନହେବାର ଫଳ ହିଁ ସେ ଆଜି ଉପଭୋଗ କରୁଛନ୍ତି। ନୂଆଦିଲ୍ଲୀରେ ଜନ୍ମିତା ସ୍ବରା ଇଂରାଜୀ ସାହିତ୍ୟରେ ସ୍ନାତକ ଏବଂ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ଏକମାତ୍ର କନ୍ୟା ଦେଶର ପ୍ରାଶାସନିକ ସେବାରେ ଯୋଗ ଦେଉ ବୋଲି ତାଙ୍କ ପିତା ଚାହୁଥିବା ବେଳେ ସ୍ବରା କିନ୍ତୁ ମାଆଙ୍କ ଆଦର୍ଶରେ ଗ୍ଲାମର ଦୁନିଆ ପ୍ରତି ଢଳିଥିଲେ। ସୌଭାଗ୍ୟକୁ ନିଜର ସୁଠାମ ଚେହେରା ମଧ୍ୟ ତାଙ୍କୁ ଏ ଦିଗରେ ସହାୟକ ହୋଇଥିଲା। ତେବେ ସ୍ବରା ପ୍ରଥମେ ଦିଲ୍ଲୀର ଏକ ଥିଏଟର ଗ୍ରୁପ୍‌ରେ କାମ କଲା ପରେ ୨୦୦୯ରେ ମୁମ୍ବାଇ ଚାଲିଯାଇଥିଲେ।

ସେଠାରେ ହିନ୍ଦୀ ସିନେମା ‘ମାଧୋଲାଲ୍‌ କିପ୍‌ ଵାକିଂ’ରେ ପ୍ରଥମ ପଦାର୍ପଣ କରି ଆଶାନୁରୂପ ସଫଳତା ହାସଲ କରିପାରିନଥିଲେ। ତହିଁ ପରବର୍ଷ ତାଙ୍କ ଅଭିନୀତ ‘ଗୁଜାରିସ’ ଓ ଅନ୍ୟ ଏକ ଫିଲ୍ମ ମଧ୍ୟ ଅନୁରୂପ ଭାବେ ବିଫଳତାର ସ୍ବାଦ ଚଖେଇଥିଲା। ତେବେ ଏଥିରେ ଆଦୌ ବିବ୍ରତ ନହୋଇ ସ୍ବରା ତାଙ୍କର ପରବର୍ତ୍ତୀ ପ୍ରକଳ୍ପକୁ ଅପେକ୍ଷା କରିଥିଲେ ଏବଂ ତାହା ହିନ୍ଦୀ ଫିଲ୍ମ ‘ତନୁ ୱେଡ୍‌ସ ମନୁ’ ରୂପରେ ଉଭୟ ଖ୍ୟାତି ଓ ପ୍ରତିଷ୍ଠା ଅଜାଡ଼ି ଦେଇଥିଲା। ମୁଖ୍ୟ ନାୟିକା କଙ୍ଗନା ରନୌତଙ୍କ ଶ୍ରେଷ୍ଠ ବାନ୍ଧବୀ ‘ପାୟଲ୍‌’ ଭୂମିକା ପାଇଁ ସ୍ବରାଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ୨୦୧୨ର ଜୀ ସିନେ ସମ୍ମାନ ମିଳିଥିଲା। ଏହାପରେ ସ୍ବରାଙ୍କର ଲୋକପ୍ରିୟତା ଖୁବ୍‌ ବଢ଼ିଯାଇଥିଲା ଏବଂ ପରବର୍ତ୍ତୀ ‘ଲିସନ୍‌ ଅମୟ’ ଓ ‘ଆଉରଙ୍ଗଜେବ’ ଆଦି ଫିଲ୍ମରେ ସେ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ଦୋହରାଇଥିଲେ। ତେବେ ୨୦୧୩ରେ ‘ରାଞ୍ଝଣା’ ଫିଲ୍ମ ତାଙ୍କ ସଫଳତାର ଆଉ ଏକ ମାଇଲଖୁଣ୍ଟ ସାଜିଥିଲା। ସେହିପରି ୨୦୧୬ରେ ‘ନିଲ ବଟ୍ଟେ ସନ୍ନାଟା’ରେ ତାଙ୍କ ଅଭିନୀତ ଜଣେ କିଶୋରୀର ମାଆ ଭଳି ଏକ ଭିନ୍ନ ଚରିତ୍ରକୁ ଦର୍ଶକ ତଥା ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ। ଏଥି ସହିତ ୨୦୧୮ରେ ‘ବୀରେ ଦି ୱେଡିଂ’ରେ ସାକ୍ଷୀ ସୋନି ଚରିତ୍ରରେ ତାଙ୍କର ପୋଖତ ଅଭିନୟ ଆଉ ଏକ ଜାତୀୟ ସ୍ତରୀୟ ପୁରସ୍କାର ଆଣିଦେଇଥିଲା।

ଏହି ଅବସରରେ ସ୍ବରା ୨୦୧୪ରେ ଶ୍ୟାମ ବେନେଗାଲ୍‌ଙ୍କ ଟିଭି ଧାରାବାହିକ ‘ସମ୍ବିଧାନ’ର ଉପସ୍ଥାପିକା ସାଜିବା ସହ ପାକିସ୍ତାନୀ ଟିଭିର ହାସ୍ୟରସାତ୍ମକ ଧାରାବାହିକ ‘ମଜାକ୍‌ ରାତ୍‌’ରେ ଅତିଥି କଳାକାର ଭାବେ ଢେର ପ୍ରଶଂସା ପାଇଥିଲେ। ଏହାପରେ ‘ରଙ୍ଗୋଲି’, ‘ରସଭରି’, ‘ଭାଗ୍‌ ବିନି ଭାଗ୍‌’ ଓ ‘ଆପ୍‌ କେ କମରେ ମେଁ କୋଇ ରହତା ହୈ’ ଆଦି ଧାରାବାହିକ ମଧ୍ୟ ତାଙ୍କ ଲୋକପ୍ରିୟତା ବଜାୟ ରଖିବାରେ ସହାୟକ ହୋଇଛି। ଚଳିତବର୍ଷ ତାଙ୍କ ଅଭିନୀତ ୨୨ତମ ହିନ୍ଦୀ ଫିଲ୍ମ ‘ଜହାଁ ଚାର୍‌ ୟାର୍‌’ ମୁକ୍ତିଲାଭ କରିବାକୁ ଥିବା ବେଳେ ଏଥିଲେ ସେ ପୂର୍ବର ସବୁ ସଫଳତାକୁ ଟପିଯିବେ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe