News Track English
ନବେ ଦଶକର ‘ରାମାୟଣ’ ସଂପ୍ରତି ଦୂରଦର୍ଶନରେ ପୁନଃପ୍ରସାରଣ ହେଉଥିବା ବେଳେ ଏଥିରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଆଜି ସୀତାହରଣ ଦୃଶ୍ୟ ଦେଖି ଭାବ ବିହ୍ବଳ ହୋଇପଡ଼ିଛନ୍ତି। ରାମାନନ୍ଦ ସାଗରଙ୍କ ପ୍ରଯୋଜନା ସଂସ୍ଥା ଦ୍ବାରା ୧୯୮୭ ମସିହାରେ ପ୍ରସାରିତ ଏହି ଧାରାବାହିକରେ ଶ୍ରୀ ତ୍ରିବେଦୀ ରାବଣ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ଅର୍ଜନ କରିଥିଲେ। ତାଙ୍କ ଠାଣି ଓ ଅଭିନୟ ଦର୍ଶକଙ୍କୁ ବାସ୍ତବ ରାବଣର ଅନୁଭବ ଦେଉଥିଲା। ସଂପ୍ରତି ଲକ୍ଡାଉନ୍ରେ ଏହି ୮୪ ବର୍ଷୀୟ ଅଭିନେତା ଘରେ ରହୁଥିବା ବେଳେ ତାଙ୍କ ଅଭିନୀତ ସବୁଠୁ ଚର୍ଚ୍ଚିତ ଦୃଶ୍ୟ ‘ସୀତାହରଣ’କୁ ଉପଭୋଗ କରିବା ସହ ଭାବପ୍ରବଣ ହୋଇଯାଇଥିଲେ। ଦୃଶ୍ୟରେ ରାବଣ ସୀତାଙ୍କୁ ନିଜ କାନ୍ଧରେ ଉଠାଇ ନେଇ ପୁଷ୍ପକ ବିମାନରେ ଲଙ୍କା ଅଭିମୁଖେ ଯାଉଛନ୍ତି। ଏହି ଗୁଜରାଟୀ ଅଭିନେତା ସେତେବେଳେ ନିଜ ଅଭିନୟରେ ଦର୍ଶକଙ୍କ ପାଖରେ ରାବଣ ପାଲଟି ଯାଇଥିଲେ ହେଁ ପରେ ତାଙ୍କର ଲୋକପ୍ରିୟତା ବଢ଼ି ଯାଇଥିଲା। ସେତେବେଳେ ରାବଣ ଭୂମିକାରେ ନିଜର ୩୦ବର୍ଷ ତଳର ଏହି ଅଭିନୀତ ଦୃଶ୍ୟ ଦେଖିବା ବେଳେ ହାତ ଯୋଡ଼ି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା। ସଂପ୍ରତି ଏହି ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ଦୀର୍ଘ ଦିନ ଧରି ପାସୋରି ହୋଇଯାଇଥିବା ଏହି ନାଁଟି ସହିତ ପୁଣି ଅନେକ ପରିଚିତ ହୋଇଯାଇଛନ୍ତି।
Follow Us