ବ୍ରହ୍ମପୁର: ବଲିଉଡ୍ରେ କମାଲ ଦେଖାଇଲେ ଓଡ଼ିଆ ପୁଅ ସୁନିତ୍ କୁମାର ଦାଶ। ବିଗ୍ ବିଙ୍କ ପାଦର ତାଳରେ ତାଳ ମିଶାଇ ନୃତ୍ୟ ପ୍ରଦର୍ଶନ କରି ଚମକୁଛନ୍ତି ଆମ ବ୍ରହ୍ମପୁରର ହୀରା। ବଲିଉଡରେ ସହକାରୀ କୋରିଓଗ୍ରାଫର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଓଡିଆ ପୁଅ। ସେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ‘ଉଞ୍ଚାଇ’ ଚଳଚିତ୍ରର ସହ-କୋରିଓଗ୍ରାଫର ଭାବେ କାମ କରିବା ସହିତ ପରଦାରେ ନୃତ୍ୟ କଳାକାର ଭାବେ ମଧ୍ୟ ନଜର ଆସିଛନ୍ତି। ଏହି ଚଳଚ୍ଚତ୍ରର ‘କେଟି କୋ’ ଗୀତରେ ବିଗ୍ ବିଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି ସୁନିତ।
ତାଙ୍କ ବ୍ୟତୀତ ଏହି ଗୀତରେ ଅନୁପମ ଖେର୍ ଓ ବୋମନ୍ ଇରାନୀ ମଧ୍ୟ ନଜର ଆସିଛନ୍ତି। ସୁନିତ୍ ବଲିଉଡ୍ ଇଣ୍ଡଷ୍ଟ୍ରିର ନାମୀଦାମୀ କୋରିଓଗ୍ରାଫର ରେମୋ ଡିସୁଜା, ଅହମ୍ମଦ ଖାନ୍, ଇମ୍ରାନ ସୟଦ ଓ ଫାରାହ ଖାନଙ୍କ ପରି ଅନେକ କୋରିଓଗ୍ରାଫରଙ୍କ ସହ ସହ-କୋରିଓଗ୍ରାଫର ଭାବେ କାମ କରିଛନ୍ତି। ଏଥିସହ ସେ ରେସ୍-୩, ଫକ୍ରେ ରିଟର୍ନ୍ସ, ଫ୍ରାଇଡେ, ଧଡକ, ଭିଈପି ୨, ଜିନିୟସ, ବାଗି ୨, ୟମଲା ପଗଲା ଦିଓ୍ବାନା, ଠଗସ୍ ଅଫ ହିନ୍ଦୁସ୍ଥାନ ପରି ବହୁ ଚଳଚ୍ଚିତ୍ରରେ ନାମୀ ଅଭିନେତାଙ୍କ ସହ ଡାନ୍ସ କରିଛନ୍ତି। ଛୋଟ ପରଦାର ବିଭିନ୍ନ ଧାରାବାହିକରେ ନିଜେ କୋରିଓଗ୍ରାଫି କରିବା ସହ ବିଭିନ୍ନ ରିୟାଲିଟି ସୋ’ ଓ ଟିଭି କମର୍ସିଆଲ୍ରେ କାମ କରିବାର ଅଭିଜ୍ଞତା ତାଙ୍କ ନିକଟରେ ରହିଛି।
ସୁନିତଙ୍କ ନିଜ ଘର ବ୍ରହ୍ମପୁର ସହରର ଶକ୍ତିନଗର ହୋଇ ଥିବା ବେଳେ ସୁମିତଙ୍କ ବାପା ଜଣେ ଟେଲର୍ ଓ ମା ତାଙ୍କର ଗୃହିଣୀ। ସୁନିତ୍ ପ୍ରଥମେ ପ୍ରିନ୍ସ ଡାନ୍ସ ଗ୍ରୁପ୍ର ସଦସ୍ୟ ଥିଲେ। ସେ ପ୍ରିନ୍ସ ଡାନ୍ସ ଗ୍ରୁପ୍ ସହ ମିଶି ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ତେବେ ୨୦୧୩ରେ ସୁନିତ୍ ମୁମ୍ବାଇରେ ପାଦ ଥାପି ପ୍ରୋଜେକ୍ଟ ଅନୁଯାଇ କାମ କରୁଥିଲେ। ଆଉ ୨୦୧୬ରୁ ମୁମ୍ବାଇରେ ସ୍ଥାୟୀ ଭାବେ ରହିବା ସହ ଆଉ ପଛକୁ ଫେରି ଚାହିଁ ନାହାନ୍ତି ସୁନିତ।
Follow Us