ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟାପରେ ବଲିଉଡ ଅଭିନେତାମାନଙ୍କୁ କ୍ରମାଗତ ଭାବେ ହତ୍ୟା ଧମକ ମିଳୁଛି। ସଲମାନ ଖାନ, ଶାହାରୁଖ ଖାନ ଓ ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏହି କ୍ରମରେ ଜଣେ ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାମ ସାମିଲ ହୋଇଛି।
ସୂଚନାଯୋଗ୍ୟ, ଭୋଜପୁରୀ ଚଳଚ୍ଚିତ୍ର ଅଭିନେତ୍ରୀ ଅକ୍ଷରା ସିଂଙ୍କ ମୋବାଇଲକୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଏକ ଧମକପୂର୍ଣ୍ଣ କଲ ଆସିଥିବା ବେଳେ ଉକ୍ତ ନମ୍ବର ଜରିଆରେ ଅକ୍ଷରାଙ୍କୁ ଗାଳିଗୁଲଜ ବି କରାଯାଇଛି। ଏନେଇ ଅଭିନେତ୍ରୀ ଦାନାପୁର ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅକ୍ଷରାଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସକୁ ଦେଇଥିବା ଆବେଦନରେ ଅଭିନେତ୍ରୀ ଅକ୍ଷରା ସିଂ କହିଛନ୍ତି,‘ ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତି ୧୨.୨୦ ରୁ ୧୨.୨୧ ମଧ୍ୟରେ ଦୁଇଟି ଭିନ୍ନ ନମ୍ବରରୁ ଏକ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି ଫୋନ୍ ଉଠାଇବା ମାତ୍ରେ ଦୁର୍ବ୍ୟବହାର କରିବା ସହିତ ଧମକ ଦେବା ଆରମ୍ଭ କରି ଦୁଇ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଦାବି ମୁତାବକ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ବି ମୋତେ ଫୋନ ଜରିଆ ଦେଇଥିଲେ।’
Follow Us