National Herald
ସୋମବାର ଦିନ ଅଭିନେତ୍ରୀ ଭୂମି ପେଡନେକର ନିଜ ଜୀବନର ଆଉ ଏକ ବର୍ଷ ପୂରା କରିଛନ୍ତି। ଏହି ଅବସରରେ ତାଙ୍କ ଅଭିନୟ ଜୀବନ ପାଇଁ ନିର୍ଣ୍ଣାୟକ ମୋଡ଼ ସାଜିଥିବା ଏକ ଘଟଣା ମନେ ପକାଇବା। ୧୮ ବର୍ଷ ବୟସରେ ଭୂମି ସୁଭାଷ ଘାଇଙ୍କ ଫିଲ୍ମ ଅନୁଷ୍ଠାନରେ ଅଭିନୟ ପାଠ୍ୟକ୍ରମରେ ପଢୁଥାନ୍ତି। କିନ୍ତୁ ସେ କ୍ଲାସ୍ରେ ଉପସ୍ଥିତ ରହିବା ବଦଳରେ ବନ୍ଧୁମାନଙ୍କ ସହିତ ପାର୍ଟି କରିବାରେ ଅଧିକ ବ୍ୟସ୍ତ ରହୁଥିଲେ। ତେଣୁ ତାଙ୍କୁ ଉକ୍ତ ଫିଲ୍ମ ସ୍କୁଲ୍ରୁ ଅନୁପସ୍ଥିତି କାରଣରୁ ତଡ଼ି ଦିଆଯାଇଥିଲା। ଏହି ଘଟଣା ତାଙ୍କୁ ଦୋହଲାଇ ଦେଇଥିଲା। ଭୂମିଙ୍କ ମାଆ ତାଙ୍କର ଅଭିନୟ ଶିକ୍ଷା ପାଇଁ ବ୍ୟାଙ୍କରୁ ଋଣ କରିଥିଲେ। ପିତାମାତାଙ୍କୁ ନିରାଶ କରିବାର ଭୟ ତାଙ୍କୁ ଅଧିକ ଚିନ୍ତାଶୀଳ ହେବାକୁ ବାଧ୍ୟ କରିଥିଲା। ଏହି ସମୟରେ ୟଶରାଜ ଫିଲ୍ମସ୍ ଜଣେ ସହଯୋଗୀ କାଷ୍ଟିଙ୍ଗ୍ ନିର୍ଦେଶକ ଖୋଜୁଥିବା କଥା ସେ ଜାଣିବାକୁ ପାଇଲେ। ୟଶରାଜ ଫିଲ୍ମସ୍ରେ କାମ ଆରମ୍ଭ କରିବା ପରେ ସେ ଆବିଷ୍କାର କଲେ ଯେ ସେ ଚଳଚ୍ଚିତ୍ରରେ ହିଁ କାମ କରିବାକୁ ଚାହାନ୍ତି। ପିତାମାତାଙ୍କୁ ଆଗକୁ ଆଉ ନିରାଶ ନ କରିବା ପାଇଁ ସେ କଠିନ ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ। ଭୂମି ନିଜ ରୋଜଗାରରେ ତାଙ୍କ ପଢ଼ା ପାଇଁ ମାଆ କରିଥିବା ଋଣ ସର୍ବପ୍ରଥମେ ଶୁଝିଥିଲେ।
କାଷ୍ଟିଙ୍ଗ୍ ନିର୍ଦେଶିକା ଭାବେ ଛଅ ବର୍ଷର ଅଭିଜ୍ଞତା ତାଙ୍କୁ କ୍ୟାମେରା ସମ୍ମୁଖକୁ ଆସିବା ପୂର୍ବରୁ ଚଳଚ୍ଚିତ୍ର ଶିଳ୍ପର ବିଭିନ୍ନ ଦିଗ ସହ ପରିଚିତ କରାଇଥିଲା। ସେହି କାରଣରୁ ସେ ୨୦୧୫ରେ ‘ଦମ୍ ଲଗା କେ ହୈସା’ ଜରିଆରେ ଯେବେ ବଲିଉଡ୍ରେ ପଦାର୍ପଣ କଲେ ସେତେବେଳେ ତାଙ୍କୁ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେଆର୍ ପୁରସ୍କାର ମିଳିଥିଲା। ପ୍ରଥମ ଚଳଚ୍ଚିତ୍ରରେ ଜଣେ ପୃଥୁଳା ବିବାହିତା ମହିଳାଙ୍କ ଚରିତ୍ରରେ ଅଭିନୟ ପାଇଁ ସେ ନିଜର ଓଜନକୁ ୩୦ କିଲୋଗ୍ରାମ୍ ବଢ଼ାଇଥିଲେ। ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ଜିମ୍ରେ ବ୍ୟାୟାମ କରି ପୁଣି ୩୫ କିଲୋଗ୍ରାମ୍ ଓଜନ୍ ହ୍ରାସ କରିଥିଲେ। ୨୦୧୭ର ‘ଟୟଲେଟ୍: ଏକ ପ୍ରେମ୍ କଥା’ ତାଙ୍କର ସଫଳତମ ଚଳଚ୍ଚିତ୍ର। ଆସନ୍ତା ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବାକୁ ଥିବା ‘ରକ୍ଷା ବନ୍ଧନ’ରେ ଅକ୍ଷୟ କୁମାରଙ୍କ ସହିତ ଭୂମିଙ୍କ ଅଭିନୟ ଦେଖିବାକୁ ମିଳିବ। ତାଙ୍କ ହାତରେ ଏବେ ‘ଦି ଲେଡି କିଲର୍’, ‘ଗୋବିନ୍ଦା ମେରା ନାମ’, ‘ଭିଡ଼’ ଓ ‘ଭାସ୍କର’ ଆଦି ଚଳଚ୍ଚିତ୍ର ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦିନେ ଫିଲ୍ମ ସ୍କୁଲ୍ରୁ ତଡ଼ା ଖାଇଥିବା ଭୂମି ଏବେ ବଲିଉଡ୍ ଦୁନିଆରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରିଣୀ।
Follow Us