ଖୁବ୍ ଶୀଘ୍ର ଏକ ଭିନ୍ନ ଭୂମିକାରେ ନଜର ଆସିବେ ଓଲିଉଡ୍ର ଆଗଧାଡ଼ିର ନାୟିକା ଭୂମିକା। ଏକ ନୂଆ ସିନେମା ‘ଚକ୍ରାନ୍ତ’ରେ ତାଙ୍କୁ ଜଣେ ଗାଉଁଲି ଯୁବତୀ ଭୂମିକାରେ ଦେଖିବାକୁ ମିଳିବ। ସେ କିପରି ବାପାଙ୍କ ସ୍ବପ୍ନ ପୂରଣ କରିବା ଲାଗି ସହରକୁ ଆସିଛନ୍ତି ଓ ବଡ଼ ଧରଣର ଚକ୍ରାନ୍ତର ଶିକାର ହେଉଛନ୍ତି, ତାହା ଏଥିରେ ପ୍ରଦର୍ଶିତ ହୋଇଛି। ତେବେ ଶେଷରେ ସେଥିରୁ ମୁକୁଳିବାରେ ସେ ସକ୍ଷମ ହେଉଛନ୍ତି। ଏହାର କଥାବସ୍ତୁ ବାପା-ଝିଅର ସଂପର୍କ ଉପରେ ଆଧାରିତ ବୋଲି ଜଣାଯାଇଛି। ଏଥିରେ ବାପା ଭୂମିକାରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ ଓ ଝିଅ ଚରିତ୍ରରେ ଭୂମିକା ନଜର ଆସିବେ।
ଏହି ଛବିରେ ପ୍ରଥମଥର ଲାଗି ଭୂମିକାଙ୍କର ନାୟକ ଭୂମିକାରେ ନଜର ଆସିବେ ମଣ୍ଟୁ ଓରଫ ଶୁଭାଶିଷ। ଏମାନଙ୍କ ବ୍ୟତୀତ ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ ଓ କୃଷ୍ଣାରାଣୀ ଦାଶ ପ୍ରମୁଖ ଅଭିନୟ କରୁଛନ୍ତି। ପିନୁ ନାୟକଙ୍କ ନିର୍ଦ୍ଦେଶିତ ଓ ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ ଦିଶା ପାଢ଼ୀ ଲେଖିଥିବା ବେଳେ ପୁଣ୍ୟତୋୟା ମିଶ୍ର ଏହାର ସହପ୍ରଯୋଜିକା। ଚଳଚ୍ଚିତ୍ରର ସଂଗୀତକାର ହେଲେ ଅଭିଜିତ ମଜୁମଦାର। ଡକ୍ଟର ନିର୍ମଳ ନାୟକ ଓ ଡକ୍ଟର ରଘୁନାଥ ସାହୁ ଏହାର ଗୀତିକାର।
Follow Us