ଛୋଟ ପରଦାର ବଡ଼ ମୁହଁ ପାଲଟି ଯାଇଛନ୍ତି ଅଭିନେତ୍ରୀ ହେଲି ଶାହ

Advertisment
ଛୋଟ ପରଦାର ବଡ଼ ମୁହଁ ପାଲଟି ଯାଇଛନ୍ତି ଅଭିନେତ୍ରୀ ହେଲି ଶାହ

‘ସ୍ବରାଗିଣୀ’, ‘ଦେବାଂଶୀ’, ‘ସୁଫିୟାନା ପ୍ୟାର ମେରା’ ଓ ‘ଇସ୍କ ମେଁ ମରଯାଵାଁ’ ପରି ଟିଭି ଧାରାବାହିକଗୁଡ଼ିକ ପାଇଁ ଘରେ ଘରେ ପରିଚିତ ଅଭିନେତ୍ରୀ ହେଲି ଶାହଙ୍କ ପାଇଁ ଅଭିନୟ ଜୀବନ ସଫଳ ସାବ୍ୟସ୍ତ ହୋଇଛି। ତାଙ୍କର ପେସାଗତ ଜୀବନ ଆରମ୍ଭରୁ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ। କେଇ ବର୍ଷ ଭିତରେ ପାଞ୍ଚ ପାଞ୍ଚଟା ଜାତୀୟ ସ୍ତରୀୟ ପୁରସ୍କାର ପାଇବା ସହ ଆଉ ଦୁଇ ଥର ପାଇଁ ସୁପାରିସ ହୋଇଥିବା ହେଲି ଏବେ ଛୋଟ ପରଦାର ବଡ଼ ମୁହଁ ପାଲଟି ଯାଇଛନ୍ତି। ଟିଭି ଧାରାବାହିକ ତାଙ୍କୁ ଏପରି ସୁନାମ ଓ ଲୋକପ୍ରିୟତା ଦେଇଛି ଯେ ତାଙ୍କୁ ଆଉ ସିନେ ଦୁନିଆର ବଡ଼ ପରଦା ଆଡ଼େ ମୁହାଁଇବା ଦରକାର ପଡ଼ିନାହିଁ। ଗୁଜରାଟର ଅହମଦାବାଦରେ ୧୯୯୬ ଜାନୁଆରି ୭ରେ ଏକ ରକ୍ଷଣଶୀଳ ପରିବାରରେ ଜନ୍ମିତ ହେଲିଙ୍କର ଶୈଶବାବସ୍ଥାରୁ ହିଁ ଅଭିନୟ ପ୍ରତି ଦୁର୍ବଳତା ଲାଗି ରହିଥିଲା। ତାଙ୍କର ଏହି ଆବେଗ ତାଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳେ ୨୦୧୦ରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ‘ଜିନ୍ଦଗି କା ହର ରଙ୍ଗ: ଗୁଲାଲ୍‌’ରେ ପ୍ରଥମ ପଦାର୍ପଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ସେଥିରୁ ସାଉଁଟିଥିବା ଦର୍ଶକୀୟ ଗ୍ରହଣୀୟତା ତାଙ୍କୁ ତହିଁ ପରବର୍ଷ ‘ଦିୟା ଔର ବାତୀ ହମ୍‌’ ଧାରାବାହିକରେ ଅଭିନୟର ପ୍ରକୃତ ଚମକ ପରଷିବା ପାଇଁ ମଉକା ଦେଇଥିଲା।

publive-image India Forums

ପରେ ପରେ ‘ଅଲକ୍ଷ୍ମୀ- ହମାରି ସୁପର ବୋହୂ’ ଓ ‘ଖେଲତି ହୈ ଜିନ୍ଦଗି ଆଁଖ ମିଚୋଲି’ ପରି ଧାରାବାହିକରେ ତାଙ୍କର ଶାଣିତ ଅଭିନୟ ହେଲିଙ୍କର ପୋଖତ ଦକ୍ଷତାକୁ ପ୍ରମାଣିତ କରିପାରିଥିଲା। ତେବେ ୨୦୧୪ରେ ହେଲିଙ୍କ ପାଇଁ କଳ୍ପନାତୀତ ଯଶ ଓ ଖ୍ୟାତି ଆଣିଦେଇଥିଲା ‘ଖୁସିୟୋଁ କୀ ଗୁଲ୍ଲକ ଆଶୀ’ ଓ ‘ସ୍ବରାଗିଣୀ- ଯୋଡେଁ ରିସ୍ତୋଁ କେ ସୁର’ ପରି ଧାରାବାହିକ। ଏଥିପାଇଁ ତାଙ୍କୁ ୨୦୧୬ରେ ଶ୍ରେଷ୍ଠ ନାୟିକା ଭାବେ ଗୋଲ୍‌ଡେନ୍‌ ପେଟାଲ୍‌ ସମ୍ମାନ ମିଳିବା ସହ ଏସିଆନ୍‌ ଭ୍ୟୁଅର୍ସ ଟେଲିଭିଜନ୍‌ ସମ୍ମାନ ପାଇଁ ତାଙ୍କୁ ସୁପାରିସ କରାଯାଇଥିଲା। ସେହିପରି ‘ଝଲକ ଦିଖାଲା ଯା-୯’ରେ ସେ ଜଣେ ପ୍ରତିଯୋଗୀ ସାଜି ପ୍ରଶଂସକମାନଙ୍କୁ ଖୁବ୍‌ ଆପ୍ୟାୟିତ କରିଥିଲେ। ତେବେ ପରବର୍ତ୍ତୀ ଆକର୍ଷଣ ‘ଦେବାଂଶୀ’ରେ ତାଙ୍କର ଟାଇଟଲ୍‌ ଚରିତ୍ର ଆଶାତୀତ ସଫଳତା ଦେଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ତାରକା ଭାବେ ଆଇଟା ସମ୍ମାନ ମିଳିଥିଲା। ସେହିପରି ‘ସୁଫିୟାନା ପ୍ୟାର ମେରା’ରେ ଏକ ଭିନ୍ନ ନକାରାତ୍ମକ ଚରିତ୍ର ପାଇଁ ମଧ୍ୟ ସେ ଆଇଟା ସମ୍ମାନ-୨୦୧୯ ଓ ଗୋଲ୍‌ଡ ସମ୍ମାନ-୨୦୧୯ ସମେତ ୨୦୨୦ରେ ଶ୍ରେଷ୍ଠ ସୁପରିପାଟୀଯୁକ୍ତ କଳାକାର ଭାବେ ଗୋଲ୍‌ଡ ସମ୍ମାନ ହାସଲ କରିବାର ସୌଭାଗ୍ୟ ଅର୍ଜିଥିଲେ। ତାଙ୍କର ପରବର୍ତ୍ତୀ ଧାରାବାହିକ ‘ୟେ ରିସ୍ତା ହୈ ପ୍ୟାର କେ’ ମଧ୍ୟ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ଲାଭ କରିଥିବା ବେଳେ ‘ଇସ୍କ ମେଁ ମରଯାଵାଁ ୨’ରେ ରିଦ୍ଧିମା ଭୂମିକା ପାଇଁ ତାଙ୍କୁ ଗତବର୍ଷ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତ୍ରୀ ଭାବେ ଆଇଟା ସମ୍ମାନ ପାଇଁ ସୁପାରିସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe