ଯୋଦ୍ଧପୁର: ବିରଳ କୃଷ୍ଣସାର ହରିଣ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କ ଆବେଦନ ଉପରେ ଗତସୋମବାର ରାଜସ୍ଥାନ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ବିଚାରପତି ମନୋଜ କୁମାର ଗର୍ଗଙ୍କ ଏକକ ଖଣ୍ଡପୀଠ ଏହି ମାମଲା ସହିତ ଜଡିତ ସମସ୍ତ ବିଚାରାଧୀନ ଆବେଦନଗୁଡ଼ିକୁ ଏକାଠି ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ, ହାଇକୋର୍ଟ ସମ୍ପୃକ୍ତ ସିଜେଏମ କୋର୍ଟକୁ ଆବେଦନର କ୍ରମିକ ସଂଖ୍ୟା ପ୍ରସ୍ତୁତ କରିବାକୁ କହିଛନ୍ତି। କାରଣ ଭିନ୍ନଭିନ୍ନ ଆବେଦନର ଭିନ୍ନଭିନ୍ନ ସମୟରେ ସୂଚୀବଦ୍ଧ ରହିଛି। ଯାହାକି ପୂର୍ବ ଶୁଣାଣି ସମୟରେ ସମସ୍ୟା ଦେଖା ଦେଇଥିଲା। ଏଣିକି କୋର୍ଟ ସମସ୍ତ ଆବେଦନର ଏକ ସମୟରେ ଶୁଣାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି।
ମାମଲାର ଆଗାମୀ ଶୁଣାଣିରେ ସେହି ଆବେଦନଗୁଡ଼ିକୁ ମଧ୍ୟ ବିଚାର କରାଯିବ ଯେଉଁଥିରେ ଅଭିନେତା ସୈଫ ଅଲ୍ଲୀ ଖାନ, ନୀଲମ, ତବୁ, ସୋନାଲି ବେନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ବିରୋଧରେ ଦାୟର କରାଯାଇଛି।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ରେ ଅନୁଷ୍ଠିତ ହେବ। ଏହିଦିନ ସମସ୍ତ ପକ୍ଷଙ୍କ ଆବେଦନଗୁଡ଼ିକୁ ଏକତ୍ରିତ ଭାବରେ ଉପସ୍ଥାପନ କରାଯାଇ ମାମଲାର ବିସ୍ତୃତଭାବେ ଆଲୋଚନା କରାଯିବ।
୧୯୯୮ ମସିହାରେ ଘଟିଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ବେଳେ ଅନ୍ୟ ସହ-ଅଭିନେତାମାନଙ୍କୁ ତଳ କୋର୍ଟ ଦୋଷମୁକ୍ତ କରିଥିଲେ। ସଲମାନ ଖାନ ଏବଂ ରାଜ୍ୟ ସରକାର ଉଭୟ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ। ଏହି ଶୁଣାଣି ଦୀର୍ଘକାଳୀନ ମାମଲାର ଏକ ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇପାରେ ବୋଲି ଆଶା ରଖାଯାଇଛି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଆବେଦନର ମିଳିତ ଶୁଣାଣି ଦ୍ୱାରା ରାୟର ଦିଗ ନିର୍ଣ୍ଣୟ ହେବାର ସମ୍ଭାବନା ବୃଦ୍ଧି ପାଇଛି।
Follow Us