ଆଦ୍ୟ ଆକର୍ଷଣରେ ଆଚ୍ଛନ୍ନ

ଆଦ୍ୟ ଆକର୍ଷଣରେ ଆଚ୍ଛନ୍ନ

Hindustan Times

ଯେତେ ଦକ୍ଷ କଳାକାର ହୁଅନ୍ତୁ ନା କାହିଁକି, ନିଜର ପେସାଗତ ଜୀବନରେ ନାନା ଜୁଆର ଭଟ୍ଟାକୁ ସାମନା କରିବାକୁ ପଡ଼ିଥାଏ। ସଫଳତାରେ କେହି କେହି ଅତିଶୟ ଉତ୍ସାହିତ ହୋଇପଡ଼ିଥିବା ବେଳେ ସାମାନ୍ୟ ବିଫଳତା ହିଁ କାହାକୁ ପଥ ପରିବର୍ତ୍ତନ ପାଇଁ ବାଧ୍ୟ କରିଥାଏ। ଫଳସ୍ବରୂପ ଜୀବନର ମୋଡ଼ ବି ବଦଳିଯାଇଥାଏ। ତେବେ ପ୍ରାରମ୍ଭରେ କିଛି ଅପ୍ରତ୍ୟାଶିତ ସମ୍ମାନ ଓ ଆଶାତୀତ ଦର୍ଶକୀୟ ସ୍ବୀକୃତି ମିଳିଗଲେ ସେହି ପେସା ପ୍ରତି ମନ ଆପେ ଆପେ ଆଚ୍ଛନ୍ନ ହୋଇପଡ଼େ ଏବଂ ଜୀବନର ଗତିପଥ ସାବଲୀଳ ହୋଇପଡ଼େ। ଏହାର ଏକ ନିଚ୍ଛକ ନମୁନା ହେଉଛନ୍ତି ଅଭିନେତ୍ରୀ ତାରା ସୂତାରିଆ। ଜଣେ ପ୍ରଶିକ୍ଷିତ ନୃତ୍ୟାଙ୍ଗନା ଏବଂ ପେସାଗତ କଣ୍ଠଶିଳ୍ପୀ ହୋଇ ମଧ୍ୟ ତାଙ୍କୁ ଅଭିନୟ ଜୀବନ ଆରମ୍ଭର ସାତ ବର୍ଷ ପରେ ସିନେମାରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିଥିଲା। ତେବେ ପ୍ରଥମ ସିନେମା ହିଁ ତାଙ୍କ ପାଇଁ ଏପରି ଗ୍ରହଣୀୟତା ଓ ପ୍ରତିଷ୍ଠା ଆଣିଥିଲା ଯେ ତାଙ୍କୁ ଅନ୍ୟ ପେସା କଥା ଭାବିବା ଦରକାର ପଡ଼ିନି। ମୁମ୍ବାଇରେ ୧୯୯୫ ନଭେମ୍ବର ୧୯ ତାରିଖରେ ଏକ ପାର୍ସି ପରିବାରରେ ଜନ୍ମିତ ତାରା ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ସେ ମଧ୍ୟ ଶାସ୍ତ୍ରୀୟ ବାଲେ, ଆଧୁନିକ ନୃତ୍ୟ ଓ ପାଶ୍ଚାତ୍ୟ ନୃତ୍ୟରେ ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ। ଏଥି ସହିତ ମାତ୍ର ସାତ ବର୍ଷ ବୟସ ବେଳୁ ସେ ଜଣେ ପେସାଗତ ଗାୟିକା। ସେବେଠାରୁ ନିରନ୍ତର ଭାବେ ବିଭିନ୍ନ ନାଟକ ଓ ପ୍ରତିଯୋଗିତାମାନଙ୍କରେ ନିଜ କଣ୍ଠର ଯାଦୁ ପରଶି ଆସିଛନ୍ତି। ତେବେ ସାମ୍ବାଦିକତା ପ୍ରତି ଦୁର୍ବଳତା ଥିବା ତାରା ତାହାକୁ ପେସା କରିବା ସହ ଜଣେ ସୌଖୀନ କଳାକାର ଭାବେ ନୃତ୍ୟ ଓ କଣ୍ଠସଂଗୀତ ପରିବେଷଣ କରିବେ ବୋଲି ସ୍ବପ୍ନ ଦେଖିଥିଲେ।

ଅପରପକ୍ଷେ, ଅଭିନୟ ପ୍ରତି ତାଙ୍କର ସେଭଳି ରୁଚି ନଥିଲା। ମାତ୍ର ସଂଯୋଗବଶତଃ ଡିସନି ଚ୍ୟାନେଲ୍‌ରେ ଜଣେ ଉପସ୍ଥାପିକା ଭାବେ ନିଜକୁ ଭେଟି ଦେଲା ପରେ ତାଙ୍କର ରୁପେଲି ପରଦା ପ୍ରତି ମୋହ ଆସିଯାଇଥିଲା। ଏହାପରେ ୨୦୧୨ରେ ଉକ୍ତ ଚ୍ୟାନେଲ୍ ଦ୍ବାରା ପ୍ରଯୋଜିତ ‘ଦି ସ୍ବିଟ୍‌ ଲାଇଫ୍‌ ଅଫ୍‌ କରନ’ରେ ତାଙ୍କ ଅଭିନୀତ ବିନି ଚରିତ୍ର ଏବଂ ୨୦୧୩ରେ ‘ଓୟେ ଜେସି’ରେ ତାଙ୍କର ଜେସି ଭୂମିକା ଦ୍ବାରା ସେ ଦର୍ଶକଙ୍କ ପାଖରେ ଏକ ପରିଚିତ ମୁହଁ ପାଲଟିଯାଇଥିଲେ। ତେବେ ୨୦୧୯ରେ ତାଙ୍କର ପ୍ରଥମ ପଦାର୍ପଣ ହିନ୍ଦୀ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇଅର-୨’ ହିଁ ତାଙ୍କ ପାଇଁ ଅଜସ୍ର ସୁନାମ ଆଣିଦେଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବେ ସ୍କ୍ରିନ୍‌ ସମ୍ମାନ ଓ ଫିଲ୍ମଫେୟାର ସମ୍ମାନ ପାଇଁ ସୁପାରିସ କରାଯାଇଥିବା ବେଳେ ସେ ଜୀ ସିନେ ସମ୍ମାନ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ସେହିପରି ସେହିବର୍ଷ ହିନ୍ଦୀ ଫିଲ୍ମ ‘ମରଯାଵାଁ’ରେ ଜଣେ ମୂକ ସଂଗୀତ ଶିକ୍ଷୟିତ୍ରୀ ଭାବରେ ତାଙ୍କର ଅଭିନୟ ପ୍ରଶଂସକ ଓ ସମୀକ୍ଷକମାନଙ୍କୁ ବେଶ୍‌ ମୁଗ୍ଧ କରିଥିଲା। ସେହିପରି ଗତବର୍ଷର ତାଙ୍କ ଅଭିନୀତ ‘ତଡ଼ପ’ ସିନେମାକୁ ମଧ୍ୟ ଅନୁରୂପ ଗ୍ରହଣୀୟତା ମିଳିଥିଲା। ଚଳିତବର୍ଷ ମୁକ୍ତିଲାଭ କରିବାକୁ ଥିବା ‘ହିରୋପନ୍ତି-୨’ ଓ ‘ଏକ ଭିଲେନ୍‌ ରିଟର୍ଣ୍ଣସ’ ସିନେମା ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି ଏବଂ ପ୍ରଶଂସକମାନଙ୍କୁ ଆଦୌ ନିରାଶ କରିବେନି ବୋଲି କଥା ଦେଇଛନ୍ତି। ସେହିପରି ତାଙ୍କ ଅଭିନୀତ ସଂଗୀତ ଭିଡିଓ ‘ମସକଲି’ ଓ ‘ହମ୍‌ ହିନ୍ଦୁସ୍ଥାନୀ’ ମଧ୍ୟ ଯଥେଷ୍ଟ ଲୋକପ୍ରିୟ ହୋଇପାରିଛି। ତେବେ ନୃତ୍ୟଗୀତରେ ବିଶେଷ ପ୍ରଶିକ୍ଷଣ ପାଇ ମଧ୍ୟ ସେ ବିଭାଗକୁ ଅଧିକ ପ୍ରାଧାନ୍ୟ ନଦେଇ ସେ ଆଗକୁ କେବଳ ଅଭିନୟରେ ମନୋନିବେଶ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe