ମୁମ୍ବାଇ: ଅସୁସ୍ଥତା କାରଣରୁ ବୁଧବାର ଦିନ ମୁମ୍ବାଇରେ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ଇସ୍ମାଇଲ୍ ଶ୍ରଫ୍ଙ୍କର ୬୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ପ୍ରାୟ ମାସେ ତଳେ ହୃଦ୍ଘାତ ହେବା ପରେ ସେ ମୁମ୍ବାଇସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
‘ଆହିସ୍ତା ଆହିସ୍ତା’, ‘ଜିଦ୍’, ‘ଅଗର୍’, ‘ଗଡ୍ ଆଣ୍ଡ୍ ଗନ୍’, ‘ପୋଲିସ୍ ପବ୍ଲିକ୍’, ‘ମଝଧାର’, ‘ଦିଲ୍ ଆଖିର୍ ଦିଲ୍ ହୈ’, ‘ବୁଲୁନ୍ଦି’, ‘ନିଶ୍ଚୟ’, ‘ସୂର୍ଯ୍ୟା’ ଏବଂ ‘ଝୁଟା ସଚ୍’ ଆଦି ଅନେକ ବଲିଉଡ୍ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଥିଲେ। ତାଙ୍କ ନିର୍ଦେଶିତ ଶେଷ ବଲିଉଡ୍ ଚଳଚ୍ଚିତ୍ର ହେଉଛି ୨୦୦୪ରେ ମୁକ୍ତିଲାଭ କରିଥିବା ‘ଥୋଡ଼ା ତୁମ୍ ବୋଲୋ, ଥୋଡ଼ା ହମ୍’। ଏଥିରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଆର୍ଯ୍ୟ ବାବର ଓ ଶ୍ରୀୟା ସରଣ।
ତାଙ୍କ ମୃତ୍ୟୁ ଖବର ପାଇ ଗୋବିନ୍ଦା, ପଦ୍ମିନୀ କୋହ୍ଲାପୁରେ ଏବଂ ଅଶୋକ ପଣ୍ଡିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Image Courtesy of Youtubeଅଭିନେତା ଗୋବିନ୍ଦାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଭ୍ ୮୬’ର ନିର୍ଦେଶନା ମଧ୍ୟ ଦେଇଥିଲେ ଇସ୍ମାଲ୍ ଶ୍ରଫ୍। ତେଣୁ, ଶୋକବ୍ୟକ୍ତ କରି ଗୋବିନ୍ଦା କହିଛନ୍ତି, ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ଚଳଚ୍ଚିତ୍ରରୁ ମୋର କ୍ୟାରିୟର୍ ଆରମ୍ଭ ହୋଇଥିଲା। ସେ ମୋତେ ଖାଲି କାମ ଦେଇ ନ ଥିଲେ, ମୋ ଉପରେ ତାଙ୍କର ଭରସା ବି ଥିଲା। ସେ ହିଁ ମୋ ଜୀବନରେ ପ୍ରଥମ ବ୍ୟକ୍ତି, ଯିଏ କହିଥିଲେ ଯେ, ଗୋବିନ୍ଦା ସିନେମା ବୁଝିପାରେ। ମୋତେ ଗୋବିନ୍ଦରୁ ‘ଗୋବିନ୍ଦା’ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଈଶ୍ବର ତାଙ୍କୁ ସ୍ବର୍ଗରେ ସ୍ଥାନ ଦିଅନ୍ତୁ। ତାଙ୍କ ଆତ୍ମା ଶାନ୍ତି ଲାଭକରୁ।
Image Courtesy of India Todayଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେ କହିଛନ୍ତି, ସେ ଥିଲେ ହସ ହସ ମୁହଁ ଥିବା ଜଣେ ଅତି ସୂକ୍ଷ୍ମ ନିର୍ଦେଶକ। ମୁଁ ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ଥୋଡିସି ବେୱଫାଇ’ ଏବଂ ‘ଆହିସ୍ତା ଆହିସ୍ତା’ରେ ଅଭିନୟ କରିଛି।
ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟୁଇଟ୍ କରି ଲେଖିଛନ୍ତି: ଇସ୍ମାଇଲ୍ ଶ୍ରଫ୍ଙ୍କ ମୃତ୍ୟୁରେ ଖୁବ୍ ଦୁଃଖିତ।
Follow Us