Advertisment

ଅୟସ ପଛର ଅଧ୍ୟବସାୟ

Advertisment
ଅୟସ ପଛର ଅଧ୍ୟବସାୟ

କୌଣସି ଚଳଚ୍ଚିତ୍ରରେ ଚରିତ୍ରଟିଏ ପାଇବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଦର୍ଶକଙ୍କ ଦୃଷ୍ଟିରେ ଗ୍ରହଣୀୟ ହେବା ଲାଗି ସେଇ ଭୂମିକାକୁ ଜୀବନ୍ତ କରି ଫୁଟାଇବା ବେଶୀ ଗୁରୁତ୍ବପୂର୍ଣ୍ଣ। ରୁପେଲି ପରଦାରେ ଜଣେ ନାୟକ ବା ନାୟିକାଙ୍କୁ ଦେଖିଲେ ସେ ଅପାର ଅୟସାନ୍ତ ଜୀବନ ବିତାଉଥିବା କଥା ଯେ କେହି ଅନୁମାନ କରିପାରେ। ମାତ୍ର ତାଙ୍କୁ ମିଳିଥିବା ଭୂମିକାଟିକୁ ନ୍ୟାୟ ଦେବା ଲାଗି କେତେ ଯେ ଅଧ୍ୟବସାୟ କରିବାକୁ ପଡ଼ିଥାଏ ତାହା ସେମାନେ ନିଜେ ଜାଣିଥା’ନ୍ତି। ଆଉ ତା’ରି ଉପରେ ହିଁ ସଂପୃକ୍ତ ସିନେମାର ସଫଳତା ତଥା ସେମାନଙ୍କ ଲୋକପ୍ରିୟତା ନିର୍ଭର କରେ। ହିନ୍ଦୀ ଫିଲ୍ମ ‘ଦଙ୍ଗଲ’ର ନାୟିକା ଫତିମା ସାନା ସେଖ୍‌ ଗୀତା ଫୋଗାଟ ଚରିତ୍ର ପାଇଁ କିପରି କୁସ୍ତିରେ ସ୍ବତନ୍ତ୍ର ତାଲିମ ନେବା ସହ ଶତାଧିକ ଭିଡିଓ ଅନୁକରଣ କରି ନିଜକୁ ପ୍ରସ୍ତୁତ କରିଥିଲେ, ତାହା ନବାଗତାଙ୍କ ପାଇଁ ଉଦାହରଣ ହୋଇ ରହିଛି। ହାଇଦ୍ରାବାଦରେ ୧୯୯୨ ଜାନୁଆରି ୧୧ ତାରିଖରେ ଜନ୍ମିତା ଫତିମା ମୁମ୍ବାଇରେ ପ୍ରତିପାଳିତ ହୋଇଥିଲେ। ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିଥିବା ଫତିମାଙ୍କର ଅଭିନୟ ଜୀବନ ଜଣେ ଶିଶୁ କଳାକାର ଭାବେ ଆରମ୍ଭ ହୋଇଥିଲା। ତାଙ୍କୁ ମାତ୍ର ୫ ବର୍ଷ ବେଳେ ହିନ୍ଦୀ ଫିଲ୍ମ ‘ଚାଚୀ ୪୨୦’ରେ ସେ ନିଭାଇଥିବା ଭାରତୀ ଚରିତ୍ର ବେଶ ଲୋକପ୍ରିୟ ହୋଇପାରିଥିଲା। ଫଳସ୍ବରୂପ, ଶିଶୁ ଫତିମାଙ୍କୁ ପରେ ପରେ ‘ଇସ୍କ’, ‘ବଡ଼େ ଦିଲଵାଲା’ ଓ ‘ଵାନ୍‌ ଟୁ କା ଫୋର’ ପରି ଫିଲ୍ମରେ ଅନୁରୂପ ଶିଶୁ ଭୂମିକା ମିଳିଥିଲା।

ଏଥିରେ ସେ ଉତ୍ସାହିତ ହୋଇ ଭବିଷ୍ୟତରେ ଜଣେ ଅଭିନେତ୍ରୀ ହେବେ ବୋଲି ସ୍ବପ୍ନ ଦେଖିଥିଲେ। ସୁଯୋଗକୁ କୈଶୋରାବସ୍ଥାରେ ତାଙ୍କୁ ୨୦୦୮ର ହିନ୍ଦୀ ଫିଲ୍ମ ‘ତହାନ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିଥିଲା। ଏହାର ଚାରି ବର୍ଷ ପରେ ତାଙ୍କୁ ‘ବିଟ୍ଟୁ ବସ୍‌’ ସିନେମାରେ ଏକ ସଂକ୍ଷିପ୍ତ ତଥା ଗୌଣ ଭୂମିକା ମିଳିଥିଲା। ମାତ୍ର ଏହା ପରେ ତାଙ୍କୁ ସେଭଳି କୌଣସି ଭଲ ସୁଯୋଗ ନ ମିଳିବାରୁ ସେ ଫଟୋଗ୍ରାଫି ପ୍ରତି ମନ ବଳାଇଥିଲେ। ଏପରିକି ସେ ଅଭିନୟ କରିବାର ସ୍ବପ୍ନ ମଧ୍ୟ ମନରୁ ପରିହାର କରିଦେଇଥିଲେ। ତେବେ ଦୀର୍ଘ ତିନି ବର୍ଷର ପ୍ରତୀକ୍ଷା ପରେ ୨୦୧୫ରେ ତେଲୁଗୁ ଫିଲ୍ମ ‘ନୁଭୁ ନେନୁ ଓକାତାଭୁଡମ୍‌’ରେ ପ୍ରଥମ ପଦାର୍ପଣ କରି ନିଜର ପୁରୁଣା ସ୍ବପ୍ନକୁ ପୁନର୍ଜୀବିତ କରିଥିଲେ। ସେହି ବର୍ଷ ତାଙ୍କ ଜୀବନର ଅସଲ ପରୀକ୍ଷା ଆସିଥିଲା ଜୀବନୀଭିତ୍ତିକ ଚଳଚ୍ଚିତ୍ର ‘ଦଙ୍ଗଲ’ରେ। ଏଥିରେ ନିଜକୁ ଜଣେ ମହିଳା କୁସ୍ତିଯୋଦ୍ଧା (ଗୀତା ଫୋଗାଟ) ଭାବେ ଉପସ୍ଥାପିତ କରିବା ନିମନ୍ତେ ଅକ୍ଳାନ୍ତ ପରିଶ୍ରମର ପୁରସ୍କାର ସ୍ବରୂପ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ‘ନ୍ୟୁଜ୍‌ ୧୮ ମୁଭି ସମ୍ମାନ’ ଓ ‘ଜ୍ୟାକି ଚାନ୍‌ ଆକ୍ସନ୍‌ ମୁଭି ସମ୍ମାନ’ ମିଳିଥିଲା। ଭାରତର ସର୍ବାଧିକ ବ୍ୟବସାୟ (୨୦୦୦ କୋଟି) କରିଥିବା ଏହି ସିନେମାର ଅପୂର୍ବ ସଫଳତା ପରେ ଫତିମାଙ୍କୁ ଆଉ ପଛକୁ ଚାହିଁବା ଦରକାର ପଡ଼ିନାହିଁ। ପଛକୁ ପଛ ‘ଥଗ୍‌ସ ଅଫ୍‌ ହିନ୍ଦୁସ୍ଥାନ’, ‘ସୂରଜ ପେ ମଙ୍ଗଳ ଭାରୀ’, ଓ ‘ଅଜୀବ ଦାସ୍ତାନ୍‌ସ’ ପରି ହିନ୍ଦୀ ଫିଲ୍ମରେ ସେ ନିଜର ଲୋକପ୍ରିୟତାକୁ ଦୋହରାଇ ପାରିଛନ୍ତି। ଚଳିତବର୍ଷ ନେଟ୍‌ଫ୍ଳିକ୍ସ ମଞ୍ଚରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ‘ଥର୍‌’ ଚଳଚ୍ଚିତ୍ର ମଧ୍ୟ ଦର୍ଶକଙ୍କୁ ଆପ୍ୟାୟିତ କରିପାରଛି। ଆସନ୍ତାବର୍ଷ ତାଙ୍କୁ ଜୀବନୀଭିତ୍ତିକ ଫିଲ୍ମ ‘ସାମ୍‌ ବାହାଦୂର’ ସିନେମାରେ ଇନ୍ଦିରା ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିବ, ଯେଉଁଥିପାଇଁ ସେ ଖୁବ୍‌ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe