YouTube
ବଲିଉଡ୍ର ନୂଆ ଚଳଚ୍ଚିତ୍ର ‘ଯୋଦ୍ଧା’ ୨୦୨୨ ନଭେମ୍ବରରେ ମୁକ୍ତିଲାଭ କରିବ ବୋଲି ଧାର୍ଯ୍ୟ ହେଇଛି। ପ୍ରଯୋଜକ କରନ ଜୋହରଙ୍କ ପ୍ରଯୋଜନା ସଂସ୍ଥା ‘ଧର୍ମା ପ୍ରଡକ୍ସନ୍’ ଏହା ଘୋଷଣା କରିଛି। ସିଦ୍ଧାର୍ଥ ମଲହୋତ୍ରା ଏଥିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଏଥର ରାଶି ଖାନ୍ନାଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ ଦିଶାଙ୍କୁ ନେଇ ନିର୍ମାତା ଉତ୍ସାହିତ ହେଇ କହିଛନ୍ତି- ଦିଶା ଆସୁଛନ୍ତି, ଯଦି ତୁମେ ଗାଡ଼ିରେ ବସିଛ ତେବେ ଯଥାଶୀଘ୍ର ସିଟ୍ ବେଲ୍ଟ ବାନ୍ଧିଦିଅ।’ ଯଦିଓ ଦିଶା ‘ଲୋଫର୍’ ଫିଲ୍ମ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ, କିନ୍ତୁ ତାଙ୍କୁ ରାତାରାତି ପରିଚିତ କରିଥିଲା ବାୟୋପିକ୍ ‘ଏମ୍. ଏସ୍. ଧୋନୀ’। ଏହାପରେ ବାଗୀ-୨, ଭାରତ, ମଲଙ୍ଗ, ବାଗୀ-୩, ରାଧେ ଆଦି ଚଳଚ୍ଚିତ୍ରରେ ଦିଶାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା। ଆଗକୁ ଦିଶାଙ୍କ ଅଭିନୀତ ‘କେ ଟିନା’, ‘ଏକ୍ ଭିଲିଆନ୍ ରିଟର୍ଣ୍ଣସ୍’ ଓ ‘ଯୋଦ୍ଧା’ ଆସୁଛି। ସେମିତି ତେଲୁଗୁ ଅଭିନେତ୍ରୀ ରାଶି ଖାନ୍ନା ତାମିଲ ଓ ମଲାୟଲମ ଚଳଚ୍ଚିତ୍ରରେ ନାୟିକା ସାଜି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ବଲିଉଡ୍ ନିର୍ମାତାଙ୍କ ନଜରକୁ ଆସିଛନ୍ତି। ଏଥିପାଇଁ ନିର୍ଦ୍ଦେଶକ ସାଗର ଆମ୍ରେ ଓ ପୁଷ୍କର ଓଝା ଏବଂ ଏହାର ଚାରି ପ୍ରଯୋଜକ ଦିଶାଙ୍କ ସହ ରାଶିଙ୍କୁ ମଧ୍ୟ ‘ଯୋଦ୍ଧା’ ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକା ଦେଇଛନ୍ତି। ତେବେ ସବୁଠୁ ବଡ଼କଥା ହେଉଛି ‘ଶେର୍ଶାହ’ ପରି ଐତିହାସିକ ଚଳଚ୍ଚିତ୍ରର ନାୟକ ସାଜିଥିବା ସିଦ୍ଧାର୍ଥ ମାଲହୋତ୍ରା ‘ଯୋଦ୍ଧା’ର ନାୟକ ସାଜିଥିବାରୁ ଦର୍ଶକଙ୍କ ମନରେ ଏବେଠାରୁ ଉତ୍କଣ୍ଠା ସୃଷ୍ଟି ହେଲାଣି।
Follow Us