ମୁମ୍ବାଇ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ର ଅଧ୍ୟକ୍ଷ ପ୍ରସୂନ ଜୋଶୀ ଶନିବାର ‘ପଦ୍ମାବତୀ’ ଚଳଚ୍ଚିତ୍ରର ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଭଂସାଲୀ ଏବଂ ପ୍ରଯୋଜକ ଚଳଚ୍ଚିତ୍ରର ପ୍ରମାଣନ ପୂର୍ବରୁ ଯେଭଳି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ନେଇ ‘ପଦ୍ମାବତୀ’ର ପ୍ରଦର୍ଶନ କରାଯାଇଛି ତାହା ସମୀଚୀନ ନୁହେଁ ବୋଲି ପ୍ରସୂନ୍ କହିଛନ୍ତି। ଏହା ସିବିଏଫ୍ସି ପ୍ରତି ଅପମାନଜନକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏଥିସହ ସେ କହିଛନ୍ତି, ସିବିଏଫ୍ସି ହେଉଛି ଏକ ଦାୟିତ୍ୱ ସଂପନ୍ନ ପ୍ରତିଷ୍ଠାନ,ଏହା ଜାତୀୟ ସ୍ୱାର୍ଥ ସମ୍ବଳିତ ନିଷ୍ପତ୍ତି ନେବା ଲାଗି ସକ୍ଷମ।
ଅନ୍ୟ ପକ୍ଷରେ ସିବିଏଫସି ପକ୍ଷରୁ କୁହାଯାଇଛି, ‘ପଦ୍ମାବତୀ’ର ପ୍ରମାଣନ ପ୍ରକ୍ରିୟା ଆରମ୍ଭ ହୋଇ ପାରିବ ନାହିଁ। କାରଣ ଏଥି ନେଇ ଯେଉଁ ଦରଖାସ୍ତ ଦିଆଯାଇଥିଲା ତାହା ଅସଂପୂର୍ଣ୍ଣ ଅଛି।
ସିବିଏଫସି ସୂତ୍ରରୁ ରିପୋର୍ଟ ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟି, ଯାହାକି ବିଭିନ୍ନ ରାଜପୁତମାନଙ୍କର ବିରୋଧର ଶିକାର ହୋଇଛି ମାନଦଣ୍ଡ ଅନୁସାରେ ତାହାକୁ ଆଉଥରେ ସମୀକ୍ଷା କରାଯିବ। ଚଳଚ୍ଚିତ୍ରକୁ ନେଇ ସମସ୍ତ ମାମଲାର ସମାଧାନ ହେବା ପରେ ଏହାକୁ ପୁଣିଥରେ ବୋର୍ଡରେ ସମୀକ୍ଷା କରାଯିବ।
ଚଳଚ୍ଚିତ୍ରଟିକୁ ବ୍ୟାନ୍ କରିବା ନେଇ ଗତକାଲି ରାଜ୍ୟର ଚିତୋରଗଡ଼ଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏବେ ପୁଣି ଶନିବାର ଅନେକ ଆଞ୍ଚଳିକ ରାଜପୁତ ସଂଗଠନ ରାଜସ୍ଥାନର କୁମ୍ଭାଲଗଡ଼ ଦୁର୍ଗ ଅବରୋଧ କରିଛନ୍ତି। ଚିତୋରଗଡ଼ର ପରିସ୍ଥିତି ଏବେ ସାଧାରଣ ରହିଛି।
କୁମ୍ଭାଲଗଡ଼ର ସର୍କଲ ଅଧିକାରୀ ଚନ୍ଦନ ସିଂହ କହିଛନ୍ତି ଯେ ଏହି ବିକ୍ଷୋଭ ସଂପୂର୍ଣ୍ଣ କୁମ୍ଭାଲଗଡ଼ ଦୁର୍ଗରେ କରାଯାଇଛି। ସେଥିପାଇଁ ବିସ୍ତତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୁମ୍ଭାଲଗଡ଼ର ଏହି ଦୁର୍ଗଟି ହେଉଛି ପ୍ରସିଦ୍ଧ ରାଜା ମହାରାଣା ପ୍ରତାପଙ୍କ ଜନ୍ମସ୍ଥାନ ଏବଂ ଏକ ୟୁନେସ୍କୋ ବିଶ୍ୱ ପର୍ଯ୍ୟଟନସ୍ଥଳୀ।
ଚିତୋରଗଡ଼ ପୁଲିସ୍ ଅନୁଯାୟୀ, ଚିତୋରଗଡ଼ ଦୁର୍ଗକୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବା ସହ ବିରୋଧ ପ୍ରଦର୍ଶନକାରୀମାନେ ଚଳଚ୍ଚିତ୍ର ନିର୍ମାତା ଭଂସାଲୀଙ୍କ କୁଶପୁତ୍ତଳିକା ଦାହ କରିଥିବାର ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ପଦ୍ମାବତୀ’ ରାଜସ୍ଥାନର ସଂସ୍କୃତିକୁ କ୍ଷୁର୍ଣ୍ଣ କରୁଛି ବୋଲି କର୍ଣ୍ଣି ସେନା ପକ୍ଷରୁ ଅଭିଯୋଗ ହେବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ବିରୋଧ ବୃଦ୍ଧି ପାଇଥିଲା।
Follow Us