ମୁମ୍ବାଇ: ବିଗ୍ ବସ୍ ଓଟିଟିରେ ପ୍ରତିଯୋଗୀ ଭାବେ ଭାଗ ନେଇ ଚର୍ଚ୍ଚାକୁ ଆସିଥିବା ଉର୍ଫି ଜାଭେଦ ଏବେ ଲୋକପ୍ରିୟ ଲେଖକ ଚେତନ ଭଗତଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏକ କାର୍ଯ୍ୟକ୍ରମରେ ଉର୍ଫି ନିଜର ଫଟୋ ଦ୍ବାରା ଦେଶର ଯୁବକଙ୍କ ଧ୍ୟାନ ପାଠ ପଢ଼ାରୁ ହଟାଉଥିବା ନେଇ କହିଥିଲେ ଚେତନ ଭଗତ। ଏହାକୁ ନେଇ ଉର୍ଫି ବିରକ୍ତି ପ୍ରକାଶ କରିବା ସହ ଲେଖିକା ଏବଂ ଯୋଗ ପ୍ରଶିକ୍ଷିକା ଇରା ତ୍ରିବେଦୀଙ୍କୁ ଚେତନ କରିଥିବା ହ୍ବାଟସଆପ୍ ମେସେଜର ସ୍କ୍ରିନସଟ ନିଜ ଇନଷ୍ଟା ଷ୍ଟାଟସରେ ସେୟାର କରିଥିଲେ।
ଉର୍ଫି ଇନଷ୍ଟା ଷ୍ଟାଟସରେ ଇରାଙ୍କ ସହ ଚେତନ କରିଥିବା ଚାଟର ସ୍କ୍ରିନସଟ ସେୟାର କରି ଲେଖିଥିଲେ ଯେ, "#ମିଟୁ ସମୟରେ କେତେ ଜଣ ମହିଳା ତାଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ କରିଥିଲେ, ତାହା ଭୁଲିବା ଉଚିତ୍ ନୁହେଁ।"

ଉର୍ଫିଙ୍କ ଏଭଳି ଷ୍ଟାଟସ ପରେ ଏବେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ଚେତନ। ସେ ଲେଖିଛନ୍ତି ଯେ, ମୁଁ କେବେ କାହା ସହିତ କଥାବାର୍ତ୍ତା ହୋଇ ନାହିଁ। ନା କାହା ସହ ଦେଖା ହୋଇଛି। ମୋତେ ନେଇ କୁହାଯାଉଥିବା କଥା ମିଛ। ଏହା ନକଲି ଏବଂ ମିଥ୍ୟା। ଏହି ବିଷୟ ପ୍ରୋତ୍ସାହନ ଦେବା ଯୋଗ୍ୟ ନୁହେଁ। ମୁଁ କେବେ କାହାକୁ ସମାଲୋଚନା କରି ନାହିଁ। ମୁଁ ଭାବୁନାହିଁ ଯେ ଇନଷ୍ଟାଗ୍ରାମରେ ସମୟ ନଷ୍ଟ କରିବା ପରିବର୍ତ୍ତେ ଫିଟନେସ୍ ଏବଂ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ଲୋକଙ୍କୁ ଉପଦେଶ ଦେଇ ମୁଁ ଭୁଲ୍ କରିଛି। ତେବେ ସେ ଏହି ଟୁଇଟରେ କୌଣସି ସ୍ଥାନରେ ଉର୍ଫି ଜାଭେଦଙ୍କ ନାଁ ଉଲ୍ଲେଖ କରିନଥିଲେ ବି ଉର୍ଫିଙ୍କ ଇନଷ୍ଟା ଷ୍ଟାଟସ ପାଇଁ ସେ ଟ୍ବିଟ କରି ଏଭଳି ଜବାବ ତାଙ୍କୁ ଦେଇଥିବା ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ଚେତନଙ୍କୁ ଜବାବ ଦେଇ ଉର୍ଫି ଇନଷ୍ଟାରେ ଲେଖିଥିଲେ ଯେ, ଯେତେବେଳେ ଆପଣ ଇନଷ୍ଟାଗ୍ରାମ ଏବଂ ହ୍ବାଟସଆପରେ ଆପଣଙ୍କଠୁ ଅଧା ବୟସର ଝିଅକୁ ମେସେଜ୍ କରୁଥିଲେ, ସେତେବେଳେ କିଏ ଆପଣଙ୍କ ଧ୍ୟାନ ଭଙ୍ଗ କରୁଥିଲା? ଏହି ପୋଷ୍ଟ ମାଧ୍ୟମରେ ଉର୍ଫି ଚେତନ ଭଗତଙ୍କୁ ଦୁଷ୍କର୍ମ ସଂସ୍କୃତିର ପ୍ରଚାର ନକରିବାକୁ କହିଥିଲେ।
Follow Us