ପ୍ରତିଯୋଗୀ ସାଜୁ ସାଜୁ ଅଭିନେତ୍ରୀ ହୋଇଗଲେ ପବିତ୍ରା ପୁନିଆ

Advertisment
ପ୍ରତିଯୋଗୀ ସାଜୁ ସାଜୁ ଅଭିନେତ୍ରୀ ହୋଇଗଲେ ପବିତ୍ରା ପୁନିଆ

The Indian Express

କିଏ କେଉଁ କ୍ଷେତ୍ରରେ କେତେବେଳେ ନିଜକୁ ପ୍ରତିଷ୍ଠିତ କରିବ, ତାହା ବିଧି ନିର୍ଦ୍ଦିଷ୍ଟ। କେବଳ ଯାହା ଅନୁକୂଳ ପରିବେଶ, ଉପଯୁକ୍ତ ମଞ୍ଚ ଓ ଆବଶ୍ୟକ ପ୍ରୋତ୍ସାହନ ହିଁ ଜଣଙ୍କର ସୁପ୍ତ ଅଭିଳାଷକୁ ଜାଗ୍ରତ କରି ଠିକଣା ରାସ୍ତା ଦେଖାଇଥାଏ। ଟିଭି ଅଭିନେତ୍ରୀ ପବିତ୍ରା ପୁନିଆ ଓରଫ ନେହା ସିଂହଙ୍କ ଭାଗ୍ୟରେ ଠିକ୍‌ ସେଭଳି କିଛି ଘଟିଛି। ଟିଭି ଦର୍ଶକଙ୍କ ପାଇଁ ବାସ୍ତବଧର୍ମୀ ଧାରାବାହିକରେ ଜଣେ ପ୍ରତିଯୋଗୀ ସାଜୁ ସାଜୁ ନିଜକୁ ଅଭିନୟ କ୍ଷେତ୍ରରେ ପ୍ରତିପାଦନ କରିବାର ସତ୍‌ସାହସ ତାଙ୍କ ମନରେ ଭରି ଉଠିଥିଲା। ଫଳରେ ଅଦ୍ୟାବଧି କୋଡ଼ିଏରୁ ଅଧିକ ଟିଭି ଧାରାବାହିକରେ ସେ ଦର୍ଶକମାନଙ୍କୁ ଆପ୍ୟାୟିତ କରିବା ସହ ନିଜ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଉତ୍ତରପ୍ରଦେଶର ବାଗପତ ଠାରେ ୧୯୮୭ ଏପ୍ରିଲ ୨୨ ତାରିଖରେ ଜନ୍ମିତ ପବିତ୍ରା ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶିକ୍ଷା ପରେ ପରେ ସେ ପ୍ରଥମେ ଏମ୍‌ଟିଭିର ବାସ୍ତବଧର୍ମୀ ଧାରାବାହିକ ‘ସ୍ପ୍ଲିଟ୍‌ସଭିଲ୍ଲା’ରେ ଭାଗ ନେଉ ନେଉ ପ୍ରକୃତ ଅଭିନୟରେ କ୍ୟାରିଅର ଗଢ଼ିବା ପାଇଁ ଦୃଢ଼ ନିଶ୍ଚିତ ହୋଇଥିଲେ।

ଏହାପରେ ତାଙ୍କର ପ୍ରକୃତ ଅଭିନୟ ଜୀବନ ଆରମ୍ଭ ହୋଇଥିଲା ଧାରାବାହିକ ‘ଗୀତ- ହୁଇ ସବ୍‌ସେ ପରାୟି’ର ଏକ ପାର୍ଶ୍ବନାୟିକା ଭୂମିକା ମାଧ୍ୟମରେ। ତେବେ ପ୍ରଥମେ ନାୟିକା ହେବାର ସୁଯୋଗ ମିଳିଥିଲା ଷ୍ଟାର ପ୍ଲସ୍‌ର ‘ଲଭ୍‌ ୟୁ ଜିନ୍ଦଗି’ରେ। ଏଥିରେ ଆଶାତୀତ ଦର୍ଶକୀୟ ସ୍ବୀକୃତି ଲାଭ କରିବା ସହ ପରବର୍ତ୍ତୀ ଧାରାବାହିକ ‘ୱେଲକମ୍‌- ବାଜି ମେହମାନ ନଵାଜି କି’ରେ ମଧ୍ୟ ପବିତ୍ରାଙ୍କ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ଏହାପରେ ସେ ଏକମାତ୍ର ହିନ୍ଦୀ ସିନେମା ‘ସିଦ୍ଧାର୍ଥ- ଲଭ୍‌, ଲଷ୍ଟ୍‌, ପିସ୍‌’ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ହେଁ ସେଭଳି ଆଗକୁ ଗଲା ଭଳି ସଫଳତା ମିଳିନଥିଲା। ଏହାପରେ ପଛକୁ ପଛ ‘ସବାରେ ସବ୍‌କେ ସପନେ ପ୍ରିତ’, ‘ହୋଙ୍ଗେ ଜୁଦା ନା ହମ୍‌’, ‘ୟେ ହୈ ମୋହବତେଁ’ ଓ ‘ବଲବୀର ରିଟର୍ଣ୍ଣସ’ ପରି ଧାରାବାହିକରେ ମଧ୍ୟ ସେ ଭିନ୍ନ ଭିନ୍ନି ଚରିତ୍ରରେ ଅବତୀର୍ଣ୍ଣ ହୋଇ ଭରପୂର ମନୋରଂଜନ ଯୋଗାଇ ପାରିଥିଲେ। ସେହିପରି ‘ଜିଲେ ୟେ ପଲ୍‌’, ‘ବକ୍ସ କ୍ରିକେଟ୍‌ ଲିଗ୍‌’ ଓ ‘ବିଗ୍‌ ବସ୍‌-୧୪’ ଆଦି ବାସ୍ତବଧର୍ମୀ ପ୍ରତିଯୋଗିତାମୂଳକ ଧାରାବାହିକରେ ମଧ୍ୟ ସେ ସାମିଲ ହୋଇ ପ୍ରଶଂସକମାନଙ୍କୁ ମୁଗ୍ଧ କରିପାରିଥିଲେ। ତେବେ ଏହି ଅବସରରେ ସେ ପ୍ରତିଯୋଗୀ ସାଜିବା ଛାଡ଼ି ପୁଣି ଥରେ କାଳ୍ପନିକ କାହାଣୀ ଉପରେ ପର୍ଯ୍ୟବସିତ ଧାରାବାହିକ ‘ନାଗମଣି’କୁ ଫେରିଛନ୍ତି। ସେଥିରେ ସେ ପୂର୍ବ ଗ୍ରହଣୀୟତା ଦୋହରାଇବେ ବୋଲି ଆଶାବାଦୀ ଅଛନ୍ତି। ବ୍ୟକ୍ତିଗତ ଜୀବନରେ ପବିତ୍ରା ଦୀର୍ଘ ଦୁଇ ବର୍ଷ ହେଲା ‘ବିଗ୍‌ ବସ୍‌-୧୪’ର ସହପ୍ରତିଯୋଗୀ ଇଜାଜ ଖାଁଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe