ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି ସୁନୀଲ ସେଟ୍ଟିଙ୍କ କନ୍ୟା ଆଥିୟା

ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି ସୁନୀଲ ସେଟ୍ଟିଙ୍କ କନ୍ୟା ଆଥିୟା

photo-hindustantimes

ମୁମ୍ବାଇ: ଅଭିନେତା ପିତା ସୁନୀଲ ସେଟ୍ଟିଙ୍କ ଉତ୍ତରାଧିକାରରେ ସୁଯୋଗ୍ୟା କନ୍ୟା ଆଥିୟା ଏପରି ଉତ୍ତରଣ ଆଣିଲେ ଯେ ତାହା ଉଭୟ ବାପଝିଅଙ୍କୁ ଗୌରବମଣ୍ଡିତ କରିଛି। ଅଭିନୟର ପାରିବାରିକ ଭିତ୍ତିଭୂମିକୁ ସ୍ଥିର ଚିତ୍ତରେ ପ୍ରୟୋଗ କରି ନିଜ ସାତ ବର୍ଷର ଅଭିନୟ ଜୀବନ ଭିତରେ ମାତ୍ର ଚାରିଟି ଫିଲ୍ମରେ କାମ କରି ସୁଦ୍ଧା ସେ ଚାରି ଚାରି ଥର ଜାତୀୟସ୍ତରୀୟ ପୁରସ୍କାର ହାତେଇବା ତାଙ୍କ ପରାକାଷ୍ଠାର ପ୍ରମାଣ। ମୁମ୍ବାଇରେ ୧୯୯୨ ନଭେମ୍ବର ୫ ତାରିଖରେ ଜନ୍ମିତ ଆଥିୟା ନ୍ୟୁୟର୍କ ଫିଲ୍ମ ଏକାଡେମିରୁ ଅଭିନୟ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହା ପରେ ନିଖିଳ ଆଡଭାନୀ ନିର୍ଦ୍ଦେଶିତ ୨୦୧୫ର ଫିଲ୍ମ ‘ହିରୋ’ରେ ସେ ପ୍ରଥମ ପଦାର୍ପଣ କରିଥିଲେ। ତେବେ ଆଥିୟାଙ୍କ ପ୍ରଦର୍ଶନକୁ ଦର୍ଶକ ସେଭଳି ପ୍ରଶଂସା କରିନଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଭରସାଯୋଗ୍ୟ ନବାଗତ ଯୋଡ଼ି ଭାବେ ‘ପ୍ରଡ୍ୟୁସର୍ସ ଗିଲ୍‌ଡ ଫିଲ୍ମ’ ସମ୍ମାନ ଓ ଶ୍ରେଷ୍ଠ ଉତ୍ତେଜକ ଯୋଡ଼ି ଭାବେ ଆଇଫା ସମ୍ମାନ ମିଲିଥିଲା। ଏହା ପରେ ସେ ଆନ୍ତର୍ଜାତିକ ପ୍ରସାଧନ କମ୍ପାନି ମେବିଲାଇନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍ ସାଜିଥିଲେ।

ଏପରିକି ସେ କସ୍ମୋପଲିଟାନ୍‌, ଭଗ୍‌ ଓ ହାର୍ପର୍ସ ବଜାର ପରି ପ୍ରତିଷ୍ଠିତ ସମ୍ଭ୍ରାନ୍ତ ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିଥିଲେ। କ୍ରମାଗତ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଥାଇ ସୁଦ୍ଧା ସେ ସେଥିପ୍ରତି ଲାଳାୟିତ ନହୋଇ ନିଜର ପୋଖତ ଅଭିନୟରେ କିପରି ଅନ୍ୟମାନଙ୍କୁ ବାନ୍ଧି ରଖିହେବ, ସେଥି ପ୍ରତି ଗୁରୁତ୍ବ ଦେଇଥିଲେ। ଫଳ ସ୍ବରୂପ ଏହାର ଦୁଇ ବର୍ଷ ପରେ ହାସ୍ୟରସାତ୍ମକ ଫିଲ୍ମ ‘ମୁବାରକାଂ’ରେ ଆଥିୟାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଅପେକ୍ଷାକୃତ ଶାଣିତ ଅଭିନୟ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ପାଇଥିଲା। ତାଙ୍କର ତୃତୀୟ ଫିଲ୍ମ ୨୦୧୮ର ‘ନବାବଜାଦେ’ରେ ତାଙ୍କୁ ମିଳିଥିବା ସଂକ୍ଷିପ୍ତ ସ୍ବତନ୍ତ୍ର ନୃତ୍ୟଗୀତ ଭୂମିକା ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଥିଲା। ତହିଁ ପରବର୍ଷ ୨୦୧୯ରେ ‘ମୋତିଚୂର ଚକମାଚୂର’ ଫିଲ୍ମ ତାଙ୍କ ପାଇଁ ମିଶ୍ର ପ୍ରତିକ୍ରିୟା ଆଣିଥିଲା। ତାଙ୍କର ପରବର୍ତ୍ତୀ ଆକର୍ଷଣ ହେଉଛି ଫୁଟବଲ ଖେଳାଳି ଅଫସାନ ଆସିକ୍‌ଙ୍କ ଜୀବନୀ ଉପରେ ଆଧାରିତ ହିନ୍ଦୀ ସିନେମା ‘ହୋପ୍‌ ସୋଲୋ’। ଏଥିରେ ତାଙ୍କୁ ଶୀର୍ଷକ ଭୂମିକା ମିଳିଥିବା ବେଳେ ସେ ଏଥିପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି। ଆଥିୟା ଅଭିନୟକୁ ଜୀବନର ପେସା କରିଥିବା ବେଳେ ସମାଜସେବା ହେଉଛି ତାଙ୍କର ଏକ ନିଆରା ନିଶା। ଏପରିକି ତାଙ୍କୁ ବାର ବର୍ଷ ହୋଇଥିବା ବେଳେ ଏତେ କମ୍‌ ବୟସରୁ ମଧ୍ୟ ସେ ତାଙ୍କ ଜେଜେମା’ଙ୍କ ସ୍ବେଚ୍ଛାସେବୀ ସଂଗଠନ ସହ ଜଡ଼ିତ। ସେଥିରେ ସେ ଶ୍ରବଣ ବାଧିତ ଶିଶୁଙ୍କ ପାଇଁ କାମ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe