ବେଙ୍ଗାଲୁରୁ: ଜଣାଶୁଣା କନ୍ନଡ ଅଭିନେତା ତଥା ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତ୍ୟୁ। ରବିବାର ବେଙ୍ଗାଲୁରୁସ୍ଥିତ ଆପାର୍ଟମେଣ୍ଟରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୁଲିସ । କିଛି ଦିନ ଧରି ଘର ବନ୍ଦ ରହିବା ସହ ପଚା ଗନ୍ଧ ଆସିବାରୁ ପଡୋଶୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଗୁରୁଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲା।
ଗୁରୁଙ୍କ ମୃତ୍ୟୁ କେବେ ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କିଛି ମାସ ହେବ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି କହିଛି ପୁଲିସ। ଏହା ତାଙ୍କ ଜୀବନ ହାରିବା ପଛର କାରଣ ହୋଇପାରେ ବୋଲି ସନ୍ଦେହ କରୁଥିବା ପୁଲିସ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।
ପଡୋଶୀଙ୍କ କହିବା ମୁତାବକ, ୬ଦିନ ତଳେ ଗୁରୁପ୍ରସାଦ ଘରକୁ ଫେରିଥିଲେ। ଏହା ପରଠାରୁ ସେ ଆଉ ବାହାରକୁ ବାହାରିନଥିଲେ। ବୋଧହୁଏ ସେ ୬ଦିନ ତଳେ ଜୀବନ ହାରିଥିବେ। ତେବେ ୫୨ବର୍ଷୀୟ ନିର୍ଦ୍ଦେଶକ 'ମାତା', 'ଏଡେଲୁ ମଞ୍ଜୁନାଥା' ଏବଂ 'ଡିରେକ୍ଟରସ ସ୍ପେଶାଲ୍' ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଥିଲେ।
ଅଭିନେତାଙ୍କ ମୃତ୍ୟୁ ଖବର ପାଇ ଏକ୍ସର ଏକ ପୋଷ୍ଟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ଏସ ବମ୍ମାଇ ସମବେଦନା ଜଣାଇଛନ୍ତି। "ଏହା ଏକ ଦୁଃଖଦ ଘଟଣା ଯେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ କର୍ଣ୍ଣାଟକକୁ ଅନେକ ଭଲ ଚଳଚ୍ଚିତ୍ର ଦେଇଛନ୍ତି। ସେ ଆତ୍ମହତ୍ୟା କରିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ଓମ୍ ଶାନ୍ତି।"
Follow Us