StarsUnfolded
ଗତ ସପ୍ତାହରେ ମୁକ୍ତିଲାଭ କରିଥିବା, ଭୌତିକ କଥା-ବସ୍ତୁ ଉପରେ ଆଧାରିତ ଏକ ତ୍ରିଭାଷୀ ଚଳଚ୍ଚିତ୍ରରେ ବଲିଉଡ୍ ଦର୍ଶକ ଜଣେ ନୂଆ ଅଭିନେତ୍ରୀଙ୍କୁ ଦେଖିଥିବେ। ଫିଲ୍ମଟି ତମିଲରେ- ‘ଆଭାଲ’, ତେଲୁଗୁରେ ‘ଗୃହମ’ ଏବଂ ହିନ୍ଦୀରେ ‘ଦ ହାଉସ୍ ନେକ୍ସଟ ଡୋର୍’ ନାମରେ ମୁକ୍ତିଲାଭ କରିଛି। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି, ସାଉଥ୍ ସୁପର୍-ଷ୍ଟାର୍ ଏଣ୍ଡ୍ରିଆ ଜେର୍ମିୟା। ଏକତିରିଶ ବର୍ଷ ବୟସ୍କା ଏଣ୍ଡ୍ରିଆ ଏକ ସଙ୍ଗେ ଅଭିନେତ୍ରୀ, ଗାୟିକା, ସଂଗୀତଜ୍ଞା ଓ ନୃତ୍ୟଙ୍ଗନା। ସେ ଗାୟିକା ଭାବେ ପେସାଦାର କଳାକାର ଜୀବନ ଆରମ୍ଭ କରିଥିଲେ। ଗ୍ଲାମରସ୍ ଚେହେରା, ତାଙ୍କୁ ଅଭିନୟ ଦୁନିଆରେ ପହଞ୍ଚାଇଥିଲା। ସେ ଉଚ୍ଚ-ଶିକ୍ଷିତା। ତାଙ୍କ ପିତା ଚେନ୍ନଈ ଉଚ୍ଚ ନ୍ୟାୟାଳୟରେ ଆଇନ ବ୍ୟବସାୟ କରନ୍ତି। ତାଙ୍କର ଭଉଣୀ ବେଲ୍ଜିଅମ୍ରେ ଅଣୁଜୀବ ଗବେଷିକା।
ଏଣ୍ଡ୍ରିଆଙ୍କର ସଂଗୀତ ପ୍ରତି ଆକର୍ଷଣ, ତାଙ୍କୁ ଫିଲ୍ମ ଦୁନିଆର ନିକଟବର୍ତ୍ତୀ କରାଇଥିଲା। ସେ ମୁଖ୍ୟତଃ ତମିଲ ଫିଲ୍ମରେ ଅଭିନୟ କରିଆସିଛନ୍ତି। ୨୦୧୩ରେ ସେ କମଲ ହାସନଙ୍କ ସହ ‘ବିଶ୍ୱରୂପମ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ଏକ ସଙ୍ଗେ ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରିଥିଲା। ତେବେ, ଏହା ପରେ ବଲିଉଡ୍ ଦର୍ଶକ, ତାଙ୍କୁ ଆଉ ଦେଖିବାର ସୁଯୋଗ ପାଇ ନ ଥିଲେ। ଏବେ ସେ ‘ବିଶ୍ୱରୂପମ ୨’ର ସୁଟିଂରେ ବ୍ୟସ୍ତ। ଏହା ମଧ୍ୟ ହିନ୍ଦୀରେ ମୁକ୍ତିଲାଭ କରିବ।
Follow Us