ଅଭିନେତ୍ରୀ ଦିବ୍ୟାଙ୍କାଙ୍କ ସମାନ୍ତରାଳ ସଫଳତା

Advertisment
ଅଭିନେତ୍ରୀ ଦିବ୍ୟାଙ୍କାଙ୍କ ସମାନ୍ତରାଳ ସଫଳତା

Photo Courtesy: India Forum

ଆକାଶବାଣୀର ଜଣେ ଉପସ୍ଥାପିକା ଭାବେ ନିଜକୁ ଉପସ୍ଥାପନା କରୁ କରୁ ତିରିଶରୁ ଅଧିକ ଟିଭି ଧାରାବାହିକ ଓ ତିନିଟି ହିନ୍ଦୀ ଫିଲ୍ମରେ ଅଭିନୟ କରିବା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଦହିୟାଙ୍କ ପାଇଁ କିଛି କମ୍‌ କଥା ନୁହେଁ। କେବଳ ସେତିକି ନୁହେଁ, ଏଥିପାଇଁ ଚଉଦଟି ଜାତୀୟସ୍ତରର ପୁରସ୍କାର ହାସଲ କରିବାର ବିରଳ ସୌଭାଗ୍ୟ ସେ ଅର୍ଜନ କରିପାରିଛନ୍ତି। ସଫଳତାର ସହ ନିଜର ଦାମ୍ପତ୍ୟ ଜୀବନ ସାଙ୍ଗକୁ ଅଭିନୟକୁ ସମାନ୍ତରାଳ ଭାବେ ଚାଲୁ ରଖିବା ମଧ୍ୟ ତାଙ୍କ ବିରଳ ଦକ୍ଷତାର ଉଦାହରଣ।

ମଧ୍ୟ ପ୍ରଦେଶର ଭୋପାଳ ଠାରେ ୧୯୮୪ ଡିସେମ୍ବର ୧୪ରେ ଜନ୍ମିଥିବା ଦିବ୍ୟାଙ୍କାଙ୍କର ପିଲାଟି ବେଳୁ ଦୁଃସାହସିକ କ୍ରୀଡ଼ା ପ୍ରତି ଦୁର୍ବଳତା ରହିଥିଲା। ତେଣୁ ସେ ପର୍ବତାରୋହଣରେ ଏକ ପାଠ୍ୟକ୍ରମ ମଧ୍ୟ ସଂପୂର୍ଣ୍ଣ କରିଥିଲେ। ତେବେ ତାଙ୍କର ଆକର୍ଷଣୀୟ ଚେହେରା ପାଇଁ ଗ୍ଲାମର ଦୁନିଆରେ ସାମିଲ ହେବାକୁ ସାଙ୍ଗସାଥୀମାନେ ତାଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରଥମେ ୨୦୦୩ରେ ଆକାଶବାଣୀରେ କାମ କରିବା ଅବସରରେ ସେ ‘ପାଣ୍ଟିନ୍‌ ଜୀ କିଶୋରୀ ରାଣୀ’ ପ୍ରତିଯୋଗିତାରେ ଭାଗ ନେଇ ‘ତ୍ବଚାଶ୍ରୀ ସୁନ୍ଦରୀ’ ମୁକୁଟ ହାସଲ କରିଥିଲେ। ଏଥିରେ ଉତ୍ସାହିତ ହୋଇ ସେ ‘ଇଣ୍ଡିଆଜ୍‌ ବେଷ୍ଟ ସିନେଷ୍ଟାର କି ଖୋଜ୍‌’ରେ ଭାଗ ନେଇଥିଲେ। ଏଥିରେ ସେ ଉପବିଜୟିନୀ ହୋଇଥିଲେ ଏବଂ ଶେଷରେ ୨୦୦୫ରେ ‘ଭୋପାଳ ସୁନ୍ଦରୀ’ ମୁକୁଟ ଧାରଣ କରିଥିଲେ। ତେବେ ଦୂରଦର୍ଶନର ଏକ ଟେଲିଫିଲ୍ମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା।

ଏହାପରେ ଷ୍ଟାର ଵାନ୍‌ର ‘ୟେ ଦିଲ୍‌ ଚାହେ ମୋର୍‌’ ଧାରାବାହିକରେ ପାୟଲ ଚରିତ୍ରରେ ସେ ଅନ୍ୟମାନଙ୍କ ମନ ଜିଣିନେଇଥିଲେ। ଏହି ଅବସରରେ ଜୀ ଟିଭିର ‘ବନୁ ମେଁ ତେରି ଦୁଲହନ୍‌’ରେ ଦିବ୍ୟାଙ୍କା ଅଭିନୟ କରିଥିବା ଦିବ୍ୟା ଓ ବିଦ୍ୟାର ଦ୍ବୈତ ଭୂମିକା ତାଙ୍କ ପାଇଁ ପାଞ୍ଚଟି ଜାତୀୟ ସ୍ତରର ପୁରସ୍କାର ଆଣିଦେଇଥିଲା। ଏହାପରେ ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ବାସ୍ତବଧର୍ମୀ ଓ ନାଟକୀୟ ଧାରାବାହିକରେ ନିଜର ଦକ୍ଷତା ପ୍ରମାଣିତ କରି ଦିବ୍ୟାଙ୍କା ଦର୍ଶକମାନଙ୍କର ହୃଦୟରେ ବସା ବାନ୍ଧିବାକୁ ଲାଗିଥିଲେ। ତେବେ ୨୦୧୩ରୁ ୨୦୧୯ ଯାଏ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ‘ୟେ ହୈ ମୋହବତେଁ’ରେ ଦିବ୍ୟାଙ୍କାଙ୍କ ଈସିତା ଭାଲ୍ଲା ଚରିତ୍ର ସମସ୍ତଙ୍କୁ ମୁଗ୍ଧ କରିବା ସହ ତାଙ୍କ ପାଇଁ ଅପୂର୍ବ ସଫଳତା ଗୋଟାଇଥିଲା।

ଏଥିପାଇଁ ତାଙ୍କୁ ‘ଆଇଟା’ ସମ୍ମାନ, ଗୋଲ୍‌ଡ ସମ୍ମାନ ଓ ବିଗ୍‌ ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ୍‌ ସମ୍ମାନ ସମେତ ନଅଟି ଜାତୀୟ ପୁରସ୍କାର ମିଳିଥିଲା। ସେହିପରି ‘ଲାଲା ହାର୍ଦୌଲ’, ‘ଏ ଡାଇଭର୍ସ ଟୁ ରିମେମ୍ବର’ ଓ ‘ଜିନା ଅଭି ବାକି ହୈ’ ପରି ହିନ୍ଦୀ ଫିଲ୍ମରେ ସେ ନିଜର ଦକ୍ଷତା ପ୍ରମାଣିତ କରିପାରିଛନ୍ତି। ଲୋକପ୍ରିୟତା ଓ ଉପାର୍ଜନ ଭିତ୍ତିରେ ୨୦୧୭ରେ ସେ ପ୍ରଥମ ଭାରତୀୟ ଟେଲି ଅଭିନେତ୍ରୀ ଭାବେ ଫୋର୍ବସର ଶ୍ରେଷ୍ଠ ଶହେ ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଥିଲେ। ସେହିପରି ୨୦୨୦ରେ ସେ ଇଣ୍ଟର୍‌ନାସନାଲ ଆଇକନିକ୍‌ ପକ୍ଷରୁ ‘ଭାରତୀୟ ଟେଲିଭିଜନ୍‌ର ଶ୍ରେଷ୍ଠ ଲୋକପ୍ରିୟ ମୁହଁ’ ଟାଇଟଲ୍‌ ହାସଲ କରିଥିଲେ। ୨୦୧୬ରେ ସେ ‘ୟେ ହୈ ମୋହବତେଁ’ର ସହଅଭିନେତା ବିବେକ ଦହିୟାଙ୍କୁ ବିବାହ କରି ସୁନ୍ଦର ଦାମ୍ପତ୍ୟ ଜୀବନ ନିର୍ବାହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe