ନାମୀଦାମୀ କଳାକାର କିନ୍ତୁ କାହାଣୀ ବିରକ୍ତିକର

ନାୟକ ଭାବେ ସୁପରଷ୍ଟାର ରଜନୀକାନ୍ତ, ଖଳନାୟକ ଭାବେ ତେଲୁଗୁ ତାରକା ନାଗାର୍ଜୁନ ଓ ମାଲୟାଲମ ଅଭିନେତା ସୌବିନ, ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରୁତି ହାସନ, ଆଇଟମ୍‌ ଗୀତରେ ପୂଜା ହେଗଡ଼େ ଓ ଅତିଥି ଚରିତ୍ରରେ ବଲିଉଡ୍‌ ତାରକା ଆମିର ଖାଁ- ‘କୁଲି’ ସତେ ଅବା ଏକ ବିବିଧବର୍ଣ୍ଣା ତାରାମଣ୍ଡଳ!

dgdggd

ନାୟକ ଭାବେ ସୁପରଷ୍ଟାର ରଜନୀକାନ୍ତ, ଖଳନାୟକ ଭାବେ ତେଲୁଗୁ ତାରକା ନାଗାର୍ଜୁନ ଓ ମାଲୟାଲମ ଅଭିନେତା ସୌବିନ, ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରୁତି ହାସନ, ଆଇଟମ୍‌ ଗୀତରେ ପୂଜା ହେଗଡ଼େ ଓ ଅତିଥି ଚରିତ୍ରରେ ବଲିଉଡ୍‌ ତାରକା ଆମିର ଖାଁ- ‘କୁଲି’ ସତେ ଅବା ଏକ ବିବିଧବର୍ଣ୍ଣା ତାରାମଣ୍ଡଳ! ଏହା ଏକ ଉପଭୋଗ୍ୟ ମସଲା ଆକ୍ସନ ସିନେମାର ପ୍ରତିଶ୍ରୁତି ବହନ କରୁଥିଲେ ହେଁ ଲୋକେଶ କନଗରାଜଙ୍କ କାହାଣୀ ଓ ନିର୍ଦେଶନା ଦର୍ଶକଙ୍କୁ ତିନି ଘଣ୍ଟା ଧରି ଏତେ ସଂଖ୍ୟକ ମୋଡ଼ର ଶରବ୍ୟ କରାଇଛି ଯେ ଏହାର କାହାଣୀ ଓ ଚରିତ୍ରମାନଙ୍କୁ ବୁଝିବାକୁ ଚେଷ୍ଟା କରିବା ନିଜର ବୁଦ୍ଧିକୁ ଅପମାନ ଦେବା ସହ ସମାନ। ତେଣୁ ରଜନୀକାନ୍ତଙ୍କ ପ୍ରଶଂସକମାନଙ୍କୁ ତାଙ୍କର ଚିରାଚରିତ ଅତିମାନବୀୟ ଭୂମିକା, ଅଙ୍ଗଭଙ୍ଗୀ ଓ ସଂଳାପ  ଯେତିକି ସନ୍ତୁଷ୍ଟ କରିବ, ଶୁଦ୍ଧ ମନୋରଂଜନ ଅଭିଳାଷୀଙ୍କୁ ଏହା ସେତିକି ନିରାଶ କରିବ। 

‘କୁଲି: ଦି ପାଵାରହାଉସ’
ନିର୍ଦେଶକ: ଲୋକେଶ କନଗରାଜ
ମୁଖ୍ୟ ଚରିତ୍ରରେ: ରଜନୀକାନ୍ତ, ନାଗାର୍ଜୁନ ଅକ୍କିନେନୀ, ସୌବିନ ଶାହିର, ସତ୍ୟରାଜ, ଶ୍ରୁତି ହାସନ

‘କୁଲି’ର କାହାଣୀରେ କୌଣସି ନୂତନତା ତ ନାହିଁ, ଅଗଣିତ ସବ୍‌-ପ୍ଲଟ୍‌କୁ ଗୁନ୍ଥିବା ଉଦ୍ୟମ ଭିତରେ ଏହା ଦିଗ ଓ ସଂହତି ହରାଇ ବସିଛି, ଯାହା ମନରେ ବିରକ୍ତି ଭାବନା ସୃଷ୍ଟି କରିଥାଏ। ଚଳଚ୍ଚିତ୍ରର ପ୍ରଥମାର୍ଦ୍ଧରେ ଦେଖିବାକୁ ମିଳୁଛି ଚୋରା ଚାଲାଣକାରୀ ସାଇମନ (ନାଗାର୍ଜୁନ ଅକ୍କିନେନୀ)ଓ ତା’ ଡାହାଣ ହାତ ଦୟାଲ (ସୌବିନ ଶାହିର) ବିଶାଖାପାଟଣା ବନ୍ଦରରେ ସୁନିୟୋଜିତ ଭାବେ ଅପରାଧର କାୟା ବିସ୍ତାର କରି ରଖିଛନ୍ତି ଯେଉଁଠି ଲୋକଙ୍କୁ ହତ୍ୟା କରିବା ଏକ ସାଧାରଣ କଥା। ଅପରପକ୍ଷେ ଦେବା (ରଜନୀକାନ୍ତ) ହେଉଛି ଏକ ହଷ୍ଟେଲର ମାଲିକ, ଯେଉଁଠି ସେ ପିଲାମାନଙ୍କୁ ଅନୁଶାସନ ଭିତରେ ରହିବା ଓ ମଦ ନ ପିଇବା ଲାଗି ପ୍ରୋତ୍ସାହିତ କରୁଛି। ତେବେ ପୁରୁଣା ଘନିଷ୍ଠ ବନ୍ଧୁ ରାଜଶେଖର (ସତ୍ୟରାଜ)ର ସନ୍ଦେହଜନକ ମୃତ୍ୟୁ ଖବର ମିଳିବା ପରେ ଦେବା ଏହା ପଛରେ ସାଇମନର ହୃତ୍‌ପିଣ୍ଡ ତସ୍କରି ସାମ୍ରାଜ୍ୟର ଭୂମିକା ବିଷୟରେ ଅବଗତ ହେଉଛି ଏବଂ ରାଜଶେଖରର ତିନି ଝିଅଙ୍କ ସୁରକ୍ଷା ପାଇଁ ଆଗେଇ ଆସୁଛି। ଦ୍ବିତୀୟାର୍ଦ୍ଧରେ ଏକାଧିକ ଫ୍ଲାସ୍‌ବ୍ୟାକ୍‌ ଜରିଆରେ  କୁଲିମାନଙ୍କ ନେତା ଭୂମିକାରେ ‘ଦେବା’ର ଇତିହାସ ଏବଂ ସାଇମନର ପିତା ସହ ଶତ୍ରୁତାର ଘଟଣାକ୍ରମ ପ୍ରଦର୍ଶିତ ହେଉଛି। ଅଟ୍‌ଲିଙ୍କ ନିର୍ଦେଶିତ ‘ଯବାନ’ ସିନେମାରେ ଯେମିତି ଅବସରପ୍ରାପ୍ତ ଯବାନମାନେ ଏକ ମହତ୍‌ ଉଦ୍ଦେଶ୍ୟ ପାଇଁ ଲଢ଼େଇ କରିବାକୁ ଆଗେଇ ଆସନ୍ତି ଏଠାରେ ମଧ୍ୟ କାର୍ଯ୍ୟରୁ ଅବସର ନେଇସାରିଥିବା ‘କୁଲି’ମାନେ ଦୁଷ୍ଟ ଲୋକଙ୍କ ସହ ଲଢ଼ିବା ପାଇଁ ସକ୍ରିୟ ହୋଇଉଠନ୍ତି। ‘ଯବାନ’ର ଚିତ୍ରନାଟ୍ୟ ମଧ୍ୟ ଜଟିଳ ହୋଇଥିଲେ ହେଁ ତାହା ଏଥିପାଇଁ ଉପଭୋଗ୍ୟ ହୋଇଥିଲା ଯେ ସେଥିରେ କାହାଣୀର ବିଭିନ୍ନ ପରସ୍ତକୁ ସୁସଙ୍ଗତ ଭାବେ ପ୍ରଦର୍ଶନ କରାଯାଇଥିଲା। 

‘କୁଲି’ ଚଳଚ୍ଚିତ୍ରର ଗୋଟିଏ ଉଲ୍ଲେଖନୀୟ ଆକ୍ସନ ଦୃଶ୍ୟ ହେଉଛି ହଷ୍ଟେଲ୍‌ ପ୍ରାଙ୍ଗଣରେ ସଂଖ୍ୟାଧିକ ଗୁଣ୍ଡାମାନଙ୍କ ସହ ରଜନୀକାନ୍ତଙ୍କ ଘମାଘୋଟ ଲଢ଼େଇ। ଅପରପକ୍ଷେ ନୃତ୍ୟ ଦୃଶ୍ୟଗୁଡ଼ିକରେ ତାଙ୍କ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼ିଥାଏ। ନାଗାର୍ଜୁନ ଖଳନାୟକ ଚରିତ୍ରକୁ ପାରୁପର୍ଯ୍ୟନ୍ତ ନ୍ୟାୟ ଦେଇଛନ୍ତି। ମୁଖ୍ୟ ଖଳନାୟକ ହୋଇ ନଥିଲେ ବି ଦୟାଲ ଚରିତ୍ର ଓ ସେଥିରେ ସୌବିନଙ୍କ ଅଭିନୟ ସବୁଠାରୁ ଉପଭୋଗ୍ୟ ଲାଗିଲା। ‘କୁଲି’ର ଦିଶାହୀନ କାହାଣୀକୁ ଯାହା ସବୁଠାରୁ ଅଧିକ ବଳ ଦେଇଛି ତାହା ହେଲା ଅନିରୁଦ୍ଧ ରବିଚନ୍ଦ୍ରଙ୍କ ପୃଷ୍ଠଭୂମି ସଂଗୀତ, ଯାହା ଦୃଶ୍ୟର ଆବେଗିକ ପ୍ରଭାବକୁ ବହୁଗୁଣିତ କରିଦେଇଥାଏ। ସିନେମା ଶେଷରେ ଆମିର ଖାଁଙ୍କ ଅତିଥି ପଦାର୍ପଣ କିଛିଟା ବିସ୍ମୟ ସୃଷ୍ଟି କରିଥିଲେ ହେଁ ସିନେମାର ପରବର୍ତ୍ତୀ ଭାଗ ଲାଗି ସନ୍ଦେଶ ଦେବା ବ୍ୟତୀତ ତାହାର ଅନ୍ୟ କୌଣସି ଅବଦାନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe