Holy dip at Maha Kumbh Photograph: (sambad.in)
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଦେଶ-ବିଦେଶରୁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ମହକୁମ୍ଭର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ କୋଟିକୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି। ଏହି ଧାର୍ମିକ ବୁଡ଼ରେ ବଲିଉଡ୍ ତାରକା ମଧ୍ୟ ସାମିଲ ହୋଇଛନ୍ତି। ଅଭିନେତ୍ରୀ ଅଦା ଶର୍ମାଙ୍କ ଠାରୁ ଆରମ୍ଭ କରି ଅଭିନେତା ଅନୁପମ ଖେରଙ୍କ ପର୍ଯ୍ୟନ୍ତ ଏହି ତାରକାମାନେ ମହାକୁମ୍ଭରେ ପହଞ୍ଚି ଗଙ୍ଗାରେ ବୁଡ଼ ପକାଇଛନ୍ତି।
ପ୍ରୟାଗରାଜରେ ଆୟୋଜିତ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ରେ ଶ୍ରଦ୍ଧାର ବୁଡ଼ ପକାଇବା ପାଇଁ ଦେଶ-ବିଦେଶରୁ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି। ସାଧୁ, ସାଧାରଣ ଭକ୍ତ, କିନ୍ନର, ନେତା, ଅଭିନେତା, ବ୍ୟବସାୟୀମାନେ ମଧ୍ୟ ମହାକୁମ୍ଭରେ ଦିବ୍ୟ ସ୍ନାନ କରୁଛନ୍ତି। ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା କୁମ୍ଭମେଳା ଆସନ୍ତା ଫେବ୍ରୁଆରି ୨୬ ତାରିଖ ଯାଏଁ ଜାରି ରହିବ।
ସୂଚନା ଅନୁସାରେ, ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ଶନିବାର ଦିନ ମହାକୁମ୍ଭରେ ପହଞ୍ଚି ଆସ୍ଥାର ବୁଡ଼ ପକାଇଛନ୍ତି। ସେ ନିଜ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଥିଲେ। କଳା ପୋଷାକରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେହିଭଳି ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ମଧ୍ୟ ମହାକୁମ୍ଭରେ ପହଞ୍ଚି ଗଙ୍ଗାରେ ବୁଡ଼ ପକାଇଥିଲେ। ବୁଡ଼ ପକାଇବା ସମୟର ଏକ ଫଟୋ ସେୟାର କରି ଗାୟକ ଲେଖିଥିଲେ, ‘'ପ୍ରୟାଗରାଜରେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବାର ସୌଭାଗ୍ୟ ପାଇଛି।’
ଅଭିନେତ୍ରୀ ତଥା ପ୍ରସିଦ୍ଧ ହରିୟାଣା ନୃତ୍ୟଶିଳ୍ପୀ ସପନା ଚୌଧୁରୀ ମଧ୍ୟ ମହାକୁମ୍ଭରେ ପହଞ୍ଚିଥିଲେ। ସପନା ଇନଷ୍ଟାଗ୍ରାମରେ ମଧ୍ୟ ଏହାର ଏକ ଭିଡିଓ ସେୟାର କରିଛନ୍ତି। ସେହିଭଳି ଆଉଜଣେ ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମା ମଧ୍ୟ ମହାକୁମ୍ଭରେ ପହଞ୍ଚିବା ପରେ ଗଙ୍ଗାରେ ବୁଡ଼ ପକାଇଥିଲେ। ଏହି ସମୟରେ ଅଭିନେତ୍ରୀ ପାରଂପରିକ ବେଶରେ ଆସିଥିଲେ। ଅଦା ଶର୍ମା ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିବା ଦେଖିବା ମିଳିଥିଲା।
ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ସେ ସନ୍ନ୍ୟାସ ନେଇଥିଲେ ଏବଂ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମଧ୍ୟ ହୋଇଥିଲେ। ବଲିଉଡର ଭେଟେରାନ କଳାକାର ଅନୁପମ ଖେର ମହାକୁମ୍ଭରେ ପହଞ୍ଚିବା ପରେ ଗଙ୍ଗାରେ ବୁଡ଼ ପକାଇଥିଲେ।
Follow Us