ଗୌତମ ଟିନ୍ନାନୁରୀଙ୍କ ଲିଖିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଜର୍ସି’ ମୁକ୍ତିଲାଭ କରିବାକୁ ଯାଉଛି। ଆଲ୍ଲୁ ଏଣ୍ଟରଟେନ୍ମେଣ୍ଟ, ଦିଲ୍ ରାଜୁ ପ୍ରଡକ୍ସନ୍, ସିତାରା ଏଣ୍ଟରଟେନ୍ମେଣ୍ଟସ୍ ଓ ଭାରତ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଆଲ୍ଲୁ ଅରବିନ୍ଦ, ସୂର୍ଯ୍ୟଦେବାରା ନାଗା ଭାଷ୍ମୀ, ଅମନ ଗିଲ୍, ଦିଲ୍ ରାଜୁ ପ୍ରମୁଖ। ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଶାହିଦ କପୁର, ମୃଣାଳ ଠାକୁର ଓ ପଙ୍କଜ କପୁର।
ଜଣେ ୩୯ ବର୍ଷୀୟ କ୍ରିକେଟର ୧୦ ବର୍ଷ ପୂର୍ବରୁ ଖେଳ ଛାଡ଼ିଦେଇଥିଲେ। ଏବେ ସେ ପୁଣି ଭାରତୀୟ ଦଳରେ ସାମିଲ ହେଇ କ୍ରିକେଟ୍ ଖେଳିବାକୁ ପ୍ରୟାସ କରିଛନ୍ତି। ଏହି କ୍ରିକେଟରଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ଅଭିନେତା ଶାହିଦ କପୁର। ତାଙ୍କ କୋଚ୍ ଭୂମିକାରେ ଅଛନ୍ତି ପଙ୍କଜ କପୁର। ଆଗାମୀ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବାକୁ ନିର୍ଦ୍ଧାରିତ ହେଇଥିବା ଏଇ ସିନେମାଟି କ୍ରୀଡ଼ା ଡ୍ରାମା ଉପରେ ପର୍ଯ୍ୟବସିତ। ଏକ ତେଲୁଗୁ ଚଳଚ୍ଚିତ୍ରର ଏହା ହେଉଛି ରିମେକ। ତେଲୁଗୁ ଚଳଚ୍ଚିତ୍ର ‘ଜର୍ସି’ରେ ଏହି କ୍ରିକେଟର ଭୂମିକାରେ ଘଣ୍ଟା ନବୀନ ବାବୁ ଓରଫ୍ ନନି ଅଭିନୟ କରିଥିଲେ ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଥିଲେ ଶ୍ରଦ୍ଧା ଶ୍ରୀନାଥ।
୨୦୧୯ ଅକ୍ଟୋବରରୁ ଏହାର ହିନ୍ଦୀ ରିମେକ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା। ୨୦୨୦ ଅଗଷ୍ଟ ୨୮ରେ ଏହା ମୁକ୍ତିଲାଭ କରିବ ବୋଲି ସ୍ଥିରୀକୃତ ହେଇଥିଲା। ହେଲେ କୋଭିଡ୍ ସଂକ୍ରମଣ ଏବଂ ଏଥିଜନିତ ଜାରିହେଇଥିବା କଟକଣା ଯୋଗୁଁ ଏହାର ସୁଟିଂ ଶେଷ ହେଇପାରି ନ ଥିଲା। ପ୍ରଥମେ ଏଇ ଚଳଚ୍ଚିତ୍ରରେ ନାୟିକା ଭାବେ ଶ୍ରଦ୍ଧା କପୁରଙ୍କୁ ମନୋନୀତ କରାଯାଇଥିଲା। ସେ ସମୟ ଦେଇ ନ ପାରିବାରୁ ତାଙ୍କ ସ୍ଥାନରେ କନ୍ନଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ମଧ୍ୟ ଚୟନ କରାଯାଇଥିଲା। ହେଲେ ଶେଷରେ ଶ୍ରଦ୍ଧା ଓ ରଶ୍ମିକାଙ୍କୁ ସ୍ଥାନାନ୍ତର କରି ଉକ୍ତ ଭୂମିକାରେ ମୃଣାଳ ଅବତୀର୍ଣ୍ଣ ହେଇଛନ୍ତି। ଦେଖାଯାଉ ‘ଜର୍ସି’ ପରଦାକୁ ଆସିଲେ ଜଣାପଡ଼ିବ ଶାହିଦଙ୍କ ନାୟିକା ଭୂମିକାରେ କିଏ ଥିଲେ ଏହା ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଥାନ୍ତା!
Follow Us