ମୁମ୍ବାଇ: ଖ୍ୟାତନାମ ଗୀତିକାର ଜାଭେଦ ଅଖତର୍ଙ୍କ ଅସୁବିଧା ଏବେ ବଢ଼ିବାରେ ଲାଗିଛି। ମଙ୍ଗଳବାର ଜାଭେଦ୍ ଅଖତର୍ଙ୍କ ବିରୋଧରେ ଜୟପୁରର ଆଇନଜୀବୀ ପ୍ରତାପ ସିଂହ ଶେଖାବତ ସିନ୍ଧି କ୍ୟାମ୍ପ ଥାନାରେ ଅଭିଯୋଗ କରିଛନ୍ତି। ଶେଖାବତ ନିଜ ଅଭିଯୋଗରେ ଲେଖିଛନ୍ତି, ମୁଁ ରାଜପୁତ ସମ୍ପ୍ରଦାୟର। ଆଇଜୀବୀ ହେବା ସହିତ ଜଣେ ସମାଜସେବୀ ମଧ୍ୟ। ନଭେମ୍ବର ୨୦ ତାରିଖରେ ଏକ ଖବର କାଗଜରେ ଛପା ହୋଇଥିବା ଖବର ମୁତାବିକ ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଜାଭେଦ୍ ଅଖତର୍ଙ୍କ ବୟାନ ପଢ଼ିଥିଲି। ଜାଭେଦ୍ ଅଖତର୍ ତାଙ୍କ ବୟାନ୍ରେ ରାଜପୁତ ସମାଜର ଅପମାନ କରିଛନ୍ତି। ତାଙ୍କର ଏହି ବୟାନ ସମାଜରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ମନଭୋବ ସୃଷ୍ଟି କରିପାରେ।
ଜାଭେଦ୍ଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଧାରା ୧୫୩ , (କ, ଖ, ଗ) ଓ ୨୯୫( କ), ୨୯୮,୫୦୪,୫୦୫ ଆଧାରରେ ମକଦ୍ଦମା ରୁୁଜୁ ହୋଇଛି। ପୁଲିସ ଜାଭେଦ୍ ଅଖତର୍ଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଦେଇଛି।
ସୂଚନାଯୋଗ୍ୟ, ରବିବାର ଜାଭେଦ୍ ଅଖତର୍ ଏକ ଘରୋଇ ଚାନେଲରେ ସାକ୍ଷାତକାର ଦେଇ କହିଛନ୍ତି, ‘ରାଜସ୍ଥାନର ରାଜା-ମହାରାଜ ୨୦୦ବର୍ଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ପାଖରେ ପଗଡ଼ି ବାନ୍ଧି ଛିଡା ହୋଇ ନମସ୍କାର ଜଣାଉଥିଲେ। ସେତେବେଳେ ତାଙ୍କ ରାଜପୁତ କେଉଁଠି ଥିଲା? ଏମାନେ ରାଜା ଏଥିପାଇଁ ହୋଇଥିଲେ, କାରଣ ସେମାନେ ଇଂରେଜମାନଙ୍କ ଗୁଲାମିଗିରି କରିଥିଲେ। ଏହି ରାଜ-ମହାରାଜାମାନେ ନିଜ ସମ୍ମାନର କଥା ନ କହିଲେ ଭଲ, କାରଣ ମୁଁ କେବଳ ସଡ଼କରେ ଯାଉଥିବା ସାଧାରଣ ରାଜପୁତର କଥା ଶୁଣିବାକୁ ପ୍ରସ୍ତୁତ ଅଛି କିନ୍ତୁ ଏମାନଙ୍କର ନୁହେଁ। ଏମାନେ ତ ଇଂରେଜମାନଙ୍କ ଲୋକ ବୋଲି କହିଥିଲେ ଜାଭେଦ୍ ଅଖତର୍।’
Follow Us