ସ୍ବରକାର ରାଜୁ ମିଶ୍ରଙ୍କ ପ୍ରଥମ ଗୀତ : ‘ଉଲକା’ର ’ଅଭିମାନିନୀ ଏ ଅମାନିଆ ଢେଉ..’, ଜାଣନ୍ତୁ ଗୀତ ପଛର ପୂରା କାହାଣୀ

Advertisment
ସ୍ବରକାର ରାଜୁ ମିଶ୍ରଙ୍କ ପ୍ରଥମ ଗୀତ : ‘ଉଲକା’ର ’ଅଭିମାନିନୀ ଏ ଅମାନିଆ ଢେଉ..’, ଜାଣନ୍ତୁ ଗୀତ ପଛର ପୂରା କାହାଣୀ

ଭୁବନେଶ୍ବର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ନିର୍ଦ୍ଦେଶକ, ସଙ୍ଗୀତକାର ଓ ସିନେମାଟୋଗ୍ରାଫର୍ ରାଜୁ ମିଶ୍ର। ସେ ‌କେବଳ ଜଣେ ଜଣାଶୁଣା ସିନେ ବ୍ୟକ୍ତିତ୍ବ ନୁହେଁ, ବରଂ ତାଙ୍କୁ ନେଇ ଏପରି ଅନେକ କଥା ରହିଛି ଯାହା ସଦା ସ୍ମରଣୀୟ ହୋଇ ରହିବ।

ବୋଧହୁଏ ୧୯୭୮ କି ୭୯ ମସିହା ଅକ୍ଟୋବର ମାସର କଥା। ଗୀତ ଲେଖିବାର ନିଶାକୁ ପେସା କରି ଗୁଜୁରାଣ ମେଣ୍ଟାଉଥାନ୍ତି ଗୀତିକାର ସଚ୍ଚି ମହାନ୍ତି। ଭୁବନେଶ୍ବରକୁ ଆଦରି ଥାଆନ୍ତି କର୍ମ କ୍ଷେତ୍ର ଭାବରେ। ଏଇ ସମୟରେ ତାଙ୍କର ଯୁବ ସଂଗୀତ ନିର୍ଦ୍ଦେଶକ ବିଭୁ ମହାନ୍ତିଙ୍କ ସହିତ ପରିଚୟ ସୃଷ୍ଟି ହୁଏ। ସେତେବେଳେ ବିଭୁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠସଂଗୀତ ବିଭାଗରେ ଚତୁର୍ଥ ବର୍ଷର ଛାତ୍ର। ବିଭୁ ‘ଉଲକା’ ଚଳଚ୍ଚିତ୍ରରେ ଗୀତ ଲେଖିବାକୁ ସଚ୍ଚି ମହାନ୍ତିଙ୍କୁ ପ୍ରସ୍ତାବ ଦିଅନ୍ତି।

publive-image Sambad English

ଯୋଜନା ମୁତାବକ ଯଥାସମୟରେ ସଚ୍ଚିବାବୁ ବିଭୁଙ୍କ ଘରେ ପହଞ୍ଚନ୍ତି। ଦୁହିଁଙ୍କ ଭିତରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲେ ଅନ୍ତରଙ୍ଗ ଆଳାପ। ଏତିକିବେଳେ ଏକ  ଶୁଆପକ୍ଷିଆ ରଙ୍ଗର ଆମ୍ବାସଡର କାର୍‌ରେ ‘ଉଲ୍‌କା’ର ପ୍ରଯୋଜକ ଦେବବ୍ରତ କର, ନିର୍ଦ୍ଦେଶକ ସୂର୍ଯ୍ୟ ମିଶ୍ର, ସିନେମାଟୋଗ୍ରାଫର୍‌ ରାଜୁ ମିଶ୍ର ଓ ନାୟକ ବିନୋଦ ମିଶ୍ର ଆସି ପହଞ୍ଚନ୍ତି । ବିଭୁ ସେମାନଙ୍କ ସହ ସଚ୍ଚି ମହାନ୍ତିଙ୍କର ପରିଚୟ କରାଇ ଦିଅନ୍ତି। ଔପଚାରିକତା ଶେଷ ହେବା ପରେ ଆରମ୍ଭ ହୁଏ ସିନେମାରେ ଗୀତ ଲେଖା ସମ୍ବଦ୍ଧୀୟ ଆଲୋଚନ‌ା। ସିଦ୍ଧାନ୍ତ ହୁଏ, ଗୀତ ଲେଖା ପରେ ସ୍ବର ସଂଯୋଜନା ହେବ। ଫିଲ୍ମର ସଂଗୀତ ନିର୍ଦ୍ଦେଶନା ମିଳିତ ଭ‌ାବେ ଦେଉଥାନ୍ତି ରାଜୁ ମିଶ୍ର ଓ ବିଭୁ ମହାନ୍ତି। ସଚ୍ଚି ମହାନ୍ତି ଲେଖନ୍ତି ସିନେମାରେ ପ୍ରଥମ ଗୀତ ‘‘ଅଭିମାନିନୀ ଏ ଅମାନିଆ ଢେଉ..।’’

ଲେଖା ସମସ୍ତଙ୍କର ପସନ୍ଦ ହୁଏ। ତା’ପରେ ଗୀତଟିକୁ ସ୍ବର କରନ୍ତି ନିର୍ଦ୍ଦେଶକ ତଥା ସିନେମାଟୋଗ୍ରାଫର୍‌ ରାଜୁ ମିଶ୍ର। ଜାରି ରହେ ଗୀତ ଲେଖା। ତା’ପରଦିନ ଲେଖାହୁଏ ‘‘ଏ ଜୀବନ ମାନେ ନୁହେଁ ଅ‌ାହା ପିଲାଦିନ...’’ ଗୀତଟି। ଏହା ଥିଲା ଏକ ପିକ୍‌ନିକ୍‌ ଗୀତ। ଏ ଗୀତ ଭିତରେ ଜୀବନଦର୍ଶନ ଥିବାରୁ ପୂରା ଦୁଇଦିନ ଲାଗିଯାଏ ଗୀତଟି ସ୍ବର ହେବାକୁ। ଏହାକୁ ମଧ୍ୟ ସ୍ବରର ଛାଞ୍ଚରେ ଢ‌ାଳନ୍ତି ସେଇ ରାଜୁ ମିଶ୍ର। ଆଉ ଖୁବ୍ ମନଛୁଆଁ ହୁଏ ଗୀତ ଦୁଇଟି। ଫିଲ୍ମର ଅନ୍ୟଗୀତକୁ ସ୍ବର କରନ୍ତି ବିଭୂ ମହାନ୍ତି। ଶେ‌ଷରେ ତିନିଟି ଯାକ ଗୀତ ରେକର୍ଡିଂ ହୁଏ ବମ୍ବେ‌ର ମେହେବୁବ୍‌ ଷ୍ଟୁଡିଓରେ। ଆଉ ତାହାକୁ ଗାଆନ୍ତି ବଲିଉଡ୍ ଗାୟକ ସୁ‌ରେଶ ୱାଡେକର୍, ଭୁପିନ୍ଦର ଏବଂ ଆରତି ମୁଖାର୍ଜ୍ଜୀ। ‘ଉଲକା’ ରିଲିଜ ହେବା ପରେ ଗୀତସବୁ ବେଶ୍ ଲୋକପ୍ରିୟତା ଅର୍ଜନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe