ପରଲୋକରେ ପ୍ରଥମ ମହିଳା ସୁପରଷ୍ଟାର, ୨୦୦ରୁ ଅଧିକ ଫିଲ୍ମରେ କରିଥିଲେ କାମ

New Project (3)

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ସିନେମାର ବରିଷ୍ଠ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ପରଲୋକ ହୋଇଛି। ସେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଥମ ମହିଳା ସୁପରଷ୍ଟାର ଥିଲେ। ଆଜି ସକାଳେ ୮୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ, ତାଙ୍କର ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଥିଲା। ଆଜି ସକାଳେ ବେଙ୍ଗାଲୁରୁର ମଲ୍ଲେଶ୍ୱରମରେ ଥିବା ତାଙ୍କ ବାସଭବନରେ ସେ ଅଚେତ ହୋଇପଡ଼ିବାରୁ ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରମାନେ ପରୀକ୍ଷା ପରେ ତାଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

ଯଦି ଆମେ ସରୋଜା ଦେବୀଙ୍କ ୭ଦଶନ୍ଧିର କ୍ୟାରିୟର ବିଷୟରେ କହିବା ତେବେ ସେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ତାମିଲ, କନ୍ନଡ, ତେଲୁଗୁ ଏବଂ ହିନ୍ଦୀ ସିନେମା ଅନ୍ତର୍ଭୁକ୍ତ। ବି. ସରୋଜା ଦେବୀଙ୍କ ଜନ୍ମ ୭ ଜାନୁଆରି ୧୯୩୮ରେ କର୍ଣ୍ଣାଟକରେ ହୋଇଥିଲା। ମାତ୍ର ୧୭ ବର୍ଷ ବୟସରୁ ସେ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ୧୯୫୫ ମସିହାରେ 'ମହାକବି କାଳିଦାସ' ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ସେ ଡେବ୍ୟୁ କରିଥିଲେ। କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ୧୯୫୮ ମସିହାରେ ରିଲିଜ୍ ହୋଇଥିବା ତାମିଲ ଚଳଚ୍ଚିତ୍ର 'ନଦୋଦି ମନ୍ନନ'ରୁ ମିଳିଥିଲା, ଯେଉଁଥିରେ ସେ ସୁପରଷ୍ଟାର ଏମ୍.ଜି. ରାମଚନ୍ଦ୍ରନଙ୍କ ସହ ଅଭିନୟ କରିଥିଲେ। ଏହା ପରେ, ସେ ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଏବଂ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଗଲେ। ସରୋଜ ଦେବୀ 'ଅଭିନୟ ସରସ୍ୱତୀ' ଏବଂ 'କନ୍ନଡଥୁ ପେଙ୍ଗିଲି' ଭଳି ନାମରେ ମଧ୍ୟ ଜଣାଶୁଣା। ସେ ଦିଲୀପ କୁମାର, ଶିବାଜୀ ଗଣେଶନ, ଏନଟି ରାମା ରାଓ, ରାଜକୁମାରଙ୍କ ପରି ବରିଷ୍ଠ ଅଭିନେତାଙ୍କ ସହ ଅନେକ ଚମତ୍କାର ଚଳଚ୍ଚିତ୍ରରେ କାମ କରିଥିଲେ। 

ତାଙ୍କ ଅବଦାନ ପାଇଁ, ଭାରତ ସରକାର ତାଙ୍କୁ ୧୯୬୯ ମସିହାରେ ପଦ୍ମଶ୍ରୀ ଏବଂ ୧୯୯୨ ମସିହାରେ ପଦ୍ମ ଭୂଷଣ ଭଳି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ତାମିଲନାଡୁ ସରକାରଙ୍କଠାରୁ ତାଙ୍କୁ କଲାଇମମଣି ପୁରସ୍କାର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe