Local Press Co
ନୂଆଦିଲ୍ଲୀ: ଫୋର୍ବସ୍ ମାଗାଜିନ୍ ଚଳିତ ବର୍ଷ ଅର୍ଥାତ୍ ୨୦୨୦ର ସବୁଠୁ ମହଙ୍ଗା ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ଏଥର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାମ ସାମିଲ ରହିଛି।
ଅକ୍ଷୟ କୁମାର ୨୦୨୦ରେ ମୋଟ ୪୮.୫ ମିଲିୟନ ଡଲାର ଆୟ କରିଥିବା ଜଣାପଡ଼ିଛି। ଏଥିପାଇଁ ସେ ବିଶ୍ବର ଶ୍ରେଷ୍ଠ ୧୦ଜଣ ଅଭିନେତାଙ୍କ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ଅକ୍ଷୟ କୁମାର ଷଷ୍ଠ ସ୍ଥାନରେ ରହିଛନ୍ତି ।
ଅକ୍ଷୟ କୁମାରଙ୍କ ଅଧିକାଂଶ ଆୟ ପ୍ରଡକ୍ଟ ଏବଂ ବ୍ରାଣ୍ଡର ବିଜ୍ଞାପନରୁ ଆସିଛି । ୨୦୧୯ ମସିହା ଜୁନ୍ ୧ରୁ ୨୦୨୦ ମସିହା ଜୁନ୍ ୧ ତାରିଖ ମଧ୍ୟରେ ଆୟକୁ ଦୃଷ୍ଟିରେ ରଖି ‘ଦ ହାଏଷ୍ଟ ପେଡ ଆକ୍ଟର୍ସ-୨୦୨୦’ର ତାଲିକା ପ୍ରକାଶ ପାଇଛି ।
ଫୋର୍ବସ୍ ଅନୁଯାୟୀ ଅକ୍ଷୟ କୁମାର ବଲିଉଡରେ ସବୁଠୁ ଅଧିକ ଆୟ କରୁଥିବା ଅଭିନେତା। ଫୋର୍ବସ୍ ମଧ୍ୟ ଅକ୍ଷୟଙ୍କୁ ଭାରତର ସବୁଠୁ ଅଧିକ ଦାନ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନିତ କରିଛି । ସେ କରୋନା ରିଲିଫ ପାଣ୍ଠିକୁ ୨୫ କୋଟି ଟଙ୍କା ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ଏହି ତାଲିକାରେ ଅନେକ ଥର ସାମିଲ ହୋଇଥିଲେ। ଫୋର୍ବସର ବିଶ୍ବର ଅଧିକ ଆୟ ବିଶିଷ୍ଟ ୧୦୦ ସେଲିବ୍ରିଟି ତାଲିକାରେ କେବଳ ଭାରତର ଅକ୍ଷୟ କୁମାରଙ୍କ ନାମ ରହିଛି । ତେବେ ଗତ ବର୍ଷକ ମଧ୍ୟରେ ଅକ୍ଷୟ କୁମାରଙ୍କ ଆୟ ୨୨ ପ୍ରତିଶତ ହ୍ରାସ ପାଇ ୩୬୪ କୋଟି ଟଙ୍କାରେ ପହଞ୍ଚିଛି। ତାଲିକାରେ ସେ ୩୩ତମ ସ୍ଥାନରୁ ୫୨ତମ ସ୍ଥାନକୁ ଖସି ଆସିଛନ୍ତି । ଗତ ବର୍ଷ ଅକ୍ଷୟଙ୍କ ଆୟ ୪୬୬ କୋଟି ଟଙ୍କା ଥିଲା।
Follow Us