ଗ୍ୟାଙ୍ଗ୍ଷ୍ଟର୍ ଗେଚାଭାଇ। ପାଖରେ ୪୦ ଯୁବକଙ୍କ ଗ୍ୟାଙ୍ଗ୍। ହେଲେ ସେ ଭିତରୁ ୮ଜଣ ଖାସ୍ ଯୁବକ ଗେଚାଭାଇଙ୍କ କଳା ସାମ୍ରାଜ୍ୟକୁ ଚଳାଇଥାନ୍ତି। ମଣିଷ ମାରିବାକୁ ଏକ ମାମୁଲି କାମ ବିଚାର କରୁଥିବା ଗେଚାଭାଇ ଭୂମିକାରେ ଯେଉଁ ଅଭିନେତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ବଡ଼ ପରଦାରେ ଭେଟିବେ, ସେ ହେଲେ ବିଭାସ। ରାଜା ଡିଙ୍କ ନିର୍ଦ୍ଦେଶିତ ‘ଘମାଘୋଟ’ରେ ଖତର୍ନାକ୍ ଖଳନାୟକ ବିଭାସ। ଏକ ହତ୍ୟା ଦୃଶ୍ୟରୁ ପରଦାରେ ତାଙ୍କର ପ୍ରବେଶ ହେଉଥିବା ଦେଖିବାକୁ ପାଇବେ ଦର୍ଶକ। ତେବେ ବିଭାସଙ୍କୁ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ମନର ମାନସୀ’(୨୦୧୮)ରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ତା’ପରେ ‘ଏ ଦିଲ୍ ତତେ ଦେଲି’(୨୦୧୯)ରେ ବି ସେ ନାୟକ ଭୂମିକାରେ ଥିଲେ। ଏଥିମଧ୍ୟରୁ ପ୍ରଥମଟିରେ ସୋନାଲି ଓ ଦ୍ବିତୀୟଟିରେ ରିୟାନା ଶୁକ୍ଳା ବିଭାସଙ୍କ ବିପକ୍ଷରେ ନଜର ଆସିଥିଲେ। ତେଣେ ନିକଟରେ ମୁକ୍ତିଲାଭ କରିଥିବା ପିନାକୀ ସିଂହ ଓ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ‘ମିଶିରି’ରେ ବି ନାୟକ ଭୂମିକା ନିଭାଇଛନ୍ତି ସେ। ଅବଶ୍ୟ ସେ ଆଗରୁ କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ୟଶ୍-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ନଜର ଆସିଥିଲେ।
ନାୟକରୁ କାହିଁକି ଖଳନାୟକ ହେଲେ ବୋଲି ପ୍ରଶ୍ନକଲେ ବିଭାସ କହନ୍ତି, ‘‘ମୁଁ ମଞ୍ଚ ଅଭିନୟରୁ ଆସିଛି। ମୋ ପାଇଁ ନାୟକ କି ଖଳନାୟକ ବିଶେଷ ଗୁରୁତ୍ବ ରଖେନା। ସ୍କ୍ରିପ୍ଟ ଓ ରୋଲ୍ ଦମ୍ଦାର୍ ଥିଲେ ମୁଁ ରାଜି ହୋଇଯାଏ। ରାଜା ଡି’ଙ୍କ ‘ଘମାଘୋଟ’ର ଗେଚାଭାଇ ଭୂମିକା ମୋତେ ଖୁବ୍ ଆକର୍ଷିତ କଲା, ତେଣୁ ସଙ୍ଗେ ସଙ୍ଗେ ରାଜି ହୋଇଥିଲି। ଆଗକୁ ବି ଖଳନାୟକ ଭୂମିକା ନିଭାଇବାକୁ ପଛଘୁଞ୍ଚା ଦେବି ନାହିଁ।’’
Follow Us