ଅରବାଜଙ୍କ ବିଦେଶୀ ବାନ୍ଧବୀ ଜିୟୋର୍ଜିଆ ମଲାଇକାଙ୍କର ଜଣେ ବଡ଼ ପ୍ରଶଂସିକା

Advertisment
ଅରବାଜଙ୍କ ବିଦେଶୀ ବାନ୍ଧବୀ ଜିୟୋର୍ଜିଆ ମଲାଇକାଙ୍କର ଜଣେ ବଡ଼ ପ୍ରଶଂସିକା

ଅରବାଜ ଖାଁ ଓ ମଲାଇକା ଆରୋରାଙ୍କ ବିବାହ ବିଚ୍ଛେଦର ବର୍ଷକ ପରେ ଅରବାଜ ଇଟାଲୀୟ ମଡେଲ୍ ଜିୟୋର୍ଜିଆ ଏଣ୍ଡ୍ରିୟାନିଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଯାଇଥିଲା। ମଡେଲ୍‌ରୁ ଅଭିନେତ୍ରୀ ପାଲଟିଥିବା ୩୩ ବର୍ଷୀୟା ଜିୟୋର୍ଜିଆ ନିଜର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସର୍ବଦା ଗୋପନୀୟତା ଅବଲମ୍ବନ କରିଆସିଥିବା ବେଳେ ନିକଟରେ ‘ବଲିଉଡ୍‌ ହଙ୍ଗାମା’କୁ ଦେଇଥିବା ସାକ୍ଷାତକାରରେ ସେ ପ୍ରଥମ ଥର ଲାଗି ଅରବାଜ ଓ ତାଙ୍କର ପୂର୍ବ ପତ୍ନୀ ମଲାଇକାଙ୍କ ବିଷୟରେ ମୁହଁ ଖୋଲିଛନ୍ତି। ସୌଭାଗ୍ୟବଶତଃ ଜିୟୋର୍ଜିଆ ଓ ମଲାଇକାଙ୍କ ମନରେ ପରସ୍ପରଙ୍କ ପ୍ରତି କୌଣସି ପ୍ରକାର ଅସୂୟା ଭାବନା ନାହିଁ। ଜିୟୋର୍ଜିୟା ଅନେକ ଥର ମଲାଇକାଙ୍କୁ ଭେଟିଥିବାର ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ସେ ମଲାଇକାଙ୍କର ଜଣେ ପ୍ରଶଂସିକା ବୋଲି ମୁକ୍ତସ୍ବରରେ ସ୍ବୀକାର କରିଛନ୍ତି। ଅରବାଜ ଖାଁଙ୍କ ପରିବାରର ସବୁ ସଦସ୍ୟ ଅତ୍ୟନ୍ତ ନିବିଡ଼ ସମ୍ପର୍କରେ ଗୁନ୍ଥା ଏବଂ ସମସ୍ତେ ଖୁବ୍ ଖୋଲା ହୃଦୟର ଅଧିକାରୀ ବୋଲି ଜିୟୋର୍ଜିଆଙ୍କ ମତ।

ଅରବାଜଙ୍କ ସହିତ ତାଙ୍କର ବିବାହ ନେଇ ଅନେକ ସମୟରେ ଗୁଜବ ପ୍ରଚାର ହୋଇଥାଏ। କିନ୍ତୁ ସେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଉଭୟ ଭଲ ବନ୍ଧୁ ହୋଇଥିଲେ ବି ବିବାହ ପାଇଁ ଏବେ ସେମାନଙ୍କର କୌଣସି ଯୋଜନା ନାହିଁ। ଏହି ଯୋଡ଼ି ମଧ୍ୟରେ ବୟସ ବ୍ୟବଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ କାରଣ ଅରବାଜ ଜିୟୋର୍ଜିଆଙ୍କ ଠାରୁ ୨୨ ବର୍ଷ ବଡ଼। ଜିୟୋର୍ଜିଆ କିନ୍ତୁ ବୟସକୁ କଦାପି ପ୍ରାଧାନ୍ୟ ଦିଅନ୍ତି ନାହିଁ। ତାଙ୍କ ଲାଗି ବୟସ ହେଉଛି ଏକ ସଂଖ୍ୟା ମାତ୍ର। ତେଣୁ ଜଣେ ୧୦୦ ବର୍ଷୀୟ ହେଉ କି ତାଙ୍କ ଠାରୁ ବହୁତ ସାନ ହେଉ, ସେ ଯଦି ଆକର୍ଷଣୀୟ ବ୍ୟକ୍ତିତ୍ବର ଅଧିକାରୀ ହୋଇଥିବେ ତେବେ ତାଙ୍କ ସହିତ ସେ ଖୋଲା ମନରେ କଥାହେବେ ବୋଲି କୁହନ୍ତି। ଏବେ ସେ ସଂଗୀତ ଭିଡିଓରେ ନିଜକୁ ସୀମିତ ରଖିଛନ୍ତି। ଭବିଷ୍ୟତରେ ଚଳଚ୍ଚିତ୍ର ନିର୍ଦେଶନା ଓ କାହାଣୀ ରଚନାରେ ସେ ମନୋନିବେଶ କରିବାକୁ ଚାହାନ୍ତି। ଏବେ ସେ ତା’ର ପ୍ରସ୍ତୁତିରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe