ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଥାଲପତି ବିଜୟଙ୍କ ଚଳଚ୍ଚିତ୍ର ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ (ଗୋଟ) ପ୍ରେକ୍ଷାଳୟରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା ଜଣାପଡିଛି। ବଡ଼ ବଜେଟରେ ନିର୍ମିତ 'ଗୋଟ' ବକ୍ସ ଅଫିସରେ ରିଲିଜ ପରେ ପରେ ଧମାଲ କରୁଛି | ବଜେଟ ହିସାବରେ ଫିଲ୍ମଟି ଭଲ ଆୟ କରୁଥିବା ଜଣାପଡିଛି |
ଭେଙ୍କଟ ପ୍ରଭୁ ଏବଂ ବିଜୟଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ରିଲିଜ ଦିନ ହିଁ ଭଲ ଆୟ କରିଥିଲା | ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ ରୋଜଗାର କରିଥିବା ଦେଖାଯାଇଥିଲା | ଚଳଚ୍ଚିତ୍ରଟି ରିଲିଜ ଦିନ ୪୪କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ ୪୨ପ୍ରତିଶତ ହ୍ରାସ ପାଇଥିଲା। ଦ୍ୱିତୀୟ ଦିନରେ 'ଗୋଟ୍' ଭାରତୀୟ ବକ୍ସ ଅଫିସରେ ୨୫.୫କୋଟି ଟଙ୍କା ସଂଗ୍ରହ କରିଥିଲା ବୋଲି ଜଣାପଡିଛି । ବର୍ତ୍ତମାନ ତୃତୀୟ ଦିନରେ ଫିଲ୍ମଟି ୨୦.୮୬ କୋଟି ଟଙ୍କା ଆୟ କରିଥିବାବେଳେ ତିନି ଦିନ ମଧ୍ୟରେ ଭାରତରେ ଫିଲ୍ମର ମୋଟ ସଂଗ୍ରହ ୯୩.୨୭ କୋଟିରେ ପହଞ୍ଚିଛି। ଆଶା କରାଯାଉଛି ଯେ ଫିଲ୍ମଟି ଚତୁର୍ଥ ଦିନରେ ୧୦୦କୋଟି କ୍ଲବରେ ପ୍ରବେଶ କରିବ |