ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ଗତକାଲି ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ସଫା କରିବା ବେଳେ ଭୁଲ୍ ବଶତଃ ଗୁଳି ତାଙ୍କ ଆଣ୍ଠୁରେ ବାଜି ଯିବାରୁ ଆହତ ହୋଇଥିଲେ। ସେ ନିଜ ଗୁଳିମାଡ଼ରେ ଆହତ ହେବା ପରେ ହସ୍ପିଟାଲ୍ ଯାଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି ବୋଲି ଗତକାଲି ତାଙ୍କ ଝିଅ ସୂଚନା ଦେଇଥିବା ବେଳେ ନିଜେ ଗୋବିନ୍ଦା ସୁସ୍ଥ ଅନୁଭବ କରୁଛନ୍ତି ବୋଲି ଏକ ବିବୃତି ଜାରି କରିବା ସହ ସମସ୍ତଙ୍କୁ ପ୍ରାର୍ଥନା କରିଥିବା ହେତୁ କୃତଜ୍ଞତା ଜଣାଇଥିଲେ।
ତେବେ ଗୋବିନ୍ଦା ଏପରି ଏକ ଦୁର୍ଘଟଣାର ଶିକାର ହେବା ବେଳେ ତାଙ୍କ ପତ୍ନୀ ମୁମ୍ବାଇରେ ନଥିଲେ। ବୁଧବାର ତାଙ୍କ ପତ୍ନୀ ସୁନୀତା ଅହୁଜା ମୁମ୍ବାଇ ଫେରିଥିବା ବେଳେ ଗଣମାଧ୍ୟମରେ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି।
ବୁଧବାର ଦିନ ସୁନୀତା ଅହୁଜା କହିଛନ୍ତି, ‘‘ ସେ ଭଲ ଅଛନ୍ତି। ଆମେ ତାଙ୍କୁ ଆଜି ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରିବୁ। ସେ ଗତକାଲି ଅପେକ୍ଷା ବହୁତ ଭଲ ଅଛନ୍ତି ଆସନ୍ତାକାଲି କିମ୍ବା ପହରିଦିନ ଡିସଚାର୍ଜ ହେବେ ସେ। ସମସ୍ତଙ୍କ ଆଶୀର୍ବାଦରେ ସେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କର ଚାରିଆଡ଼େ ପ୍ରଶଂସକ ଅଛନ୍ତି। ମନ୍ଦିର, ଦର୍ଗା ସବୁଆଡ଼େ ତାଙ୍କ ପାଇଁ ଲୋକେ ପ୍ରାର୍ଥନା କରୁଛନ୍ତି। ଆପଣମାନଙ୍କୁ ଏତିକି କହିବି ଭୟଭୀତ ହୁଅନ୍ତୁ ନାହିଁ। ଆପଣମାନଙ୍କ ଆଶୀର୍ବାଦରେ ସେ ଭଲ ଅଛନ୍ତି। ଖୁବ୍ ଶୀର୍ଘ ସେ ପୁଣି ନଚାନଚି କରିବା ଆରମ୍ଭ କରିଦେବେ। "
ଗୋବିନ୍ଦାଙ୍କ ମ୍ୟାନେଜରଙ୍କ କହିବାନୁସାରେ ସେ ତାଙ୍କ ବନ୍ଧୁକକୁ ଏକ କପଡା ଭିତରେ ରଖୁଥିଲେ। ଏହାକୁ ସଫା କରିବା ପରେ ସକାଳ ୪.୪୫ରେ ସମୟରେ ବନ୍ଧୁକରୁ ଅଚାନକ ଗୁଳି ବାହାରି ତାଙ୍କ ଗୋଡ଼ରେ ବାଜି ଯାଇଥିଲା।
Follow Us