ଲୋକପ୍ରିୟ ଗାୟିକା ଆଶା ଭୋଁସ୍ଲେଙ୍କ ନାତୁଣୀ ଜାନାଇ ଏବେ ଏ.ଆର୍. ରହମାନ୍ଙ୍କ ବଡ଼ ପ୍ରଶଂସିକା। ସୁଗାୟିକା ଜାନାଇ ରହମାନ୍ଙ୍କ ‘ଦି ୱଣ୍ଡର୍ମେଣ୍ଟ୍ ଟୁର୍’ରେ ସାମିଲ୍ ହୋଇଛନ୍ତି। ୧୯୯୫ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ରଙ୍ଗୀଲା’ରେ ପ୍ରଥମଥର ଲାଗି ଏ.ଆର୍. ରହମାନ୍ଙ୍କ ସହ କାମ କରିଥିଲେ ଆଶା ଭୋଁସ୍ଲେ। ଏହାର ପ୍ରାୟ ୩୦ବର୍ଷ ପରେ ତାଙ୍କ ୨୩ ବର୍ଷୀୟା ନାତୁଣୀ ଜାନାଇ ରହମାନ୍ଙ୍କ ସହ ଷ୍ଟେଜ୍ ସୋ’ କରୁଛନ୍ତି।
ଜାନାଇ କହନ୍ତି, ‘‘ଯେତେବେଳେ ମୁଁ ଜାଣିବାକୁ ପାଇଲି କି ରହମାନ୍ ସାର୍ଙ୍କ ସହ କାମ କରିବାର ସୁଯୋଗ ମିଳିଛି, ମଁୁ ଆନନ୍ଦରେ ଆତ୍ମହରା ହୋଇଗଲି। ମନରେ ବହୁତ ଉତ୍ସାହ ଆସିଲା ଏବଂ ଭଲ ପ୍ରଦର୍ଶନ କରିବାର ଚାପ ବି ସୃଷ୍ଟିହେଲା। ମୋ ଜେଜେମା’ଙ୍କ ଗୀତଗୁଡ଼ିକ ମୋତେ ଗାଇବାକୁ ପଡୁଥିବାରୁ ମୁଁ ଖୁବ୍ ଅଭ୍ୟାସ କରିଛି। ଯେମିତି ଟିକେ ବି ଏପଟସେପଟ ନହୁଏ।’’
ତେବେ ଜାନାଇଙ୍କୁ ରହମାନ୍ ଓ ଆଶା ଭୋଁସ୍ଲେଙ୍କ ଉତ୍ସାହବାଣୀ ସାହସ ଦେଇଛି। ସେମାନେ ଜାନାଇଙ୍କୁ ନିଜସ୍ୱ ଶୈଳୀରେ ଗାଇବାକୁ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶ ତାଙ୍କୁ ଅନେକାଂଶେର ଚାପମୁକ୍ତ କରିଛି। ରହମାନ୍ଙ୍କ ସହିତ ଜାନାଇଙ୍କ ପ୍ରଥମ ଲାଇଭ୍ ସୋ’ ମେ ୩ ତାରିଖରେ ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଟୁର୍ର ଉଦ୍ଘାଟନୀ କନ୍ସର୍ଟରେ ହୋଇଥିଲା। ସେହି ଦିନଟି ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲା ବୋଲି ଜାନାଇ କହନ୍ତି। ବର୍ତ୍ତମାନ ଜାନାଇ ରହମାନ୍ଙ୍କ ଟ୍ରୁପ୍ ସହିତ ନିୟମିତ ତାଲିମ ନେଉଛନ୍ତି। ଜାନାଇଙ୍କ ମତରେ ରହମାନ୍ଙ୍କ ଉପସ୍ଥିତିରେ ଯେକୌଣସି ବ୍ୟକ୍ତି ଜଣେ ଭଲ ସଂଗୀତଜ୍ଞ ହେବା ପାଇଁ ପ୍ରେରଣା ପାଏ ଏବଂ ପ୍ରତି ମିନିଟ୍ରେ କିଛି ନୂଆ ଶିଖେ।
Follow Us