ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା: କଥକର ଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମତୁଆଲା ହେଲେ ଶ୍ରୋତା

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା:  କଥକର ଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମତୁଆଲା ହେଲେ ଶ୍ରୋତା

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଶନିବାର ଥିଲା ଚତୁର୍ଥ ସଂଧ୍ୟା। ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀଙ୍କ କଥକ ନୃତ୍ୟରୁ। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଜଗନ୍ନାଥଙ୍କ ଜଣାଣ ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ। ପରେ ପରେ ତାଙ୍କ ପ୍ରସ୍ତୁତିରେ ଥିଲା ଦେବୀ ଦୁର୍ଗାଙ୍କ ଶକ୍ତି ଓ ମହତ୍ୱ ଉପରେ ଆଧାରିତ ଦୁର୍ଗାସ୍ତୃତି । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଜୟଦେବଙ୍କ ଗୀତ ଗୋବିନ୍ଦରୁ ଆଧାରିତ ଅଭିନୟ ଶ୍ରୀତ କୋମଳ କୁଛ ମଣ୍ଡଳ ଏବଂ ତାଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ତିନ ତାଲ, ରାଗ ଚାରୁକେଶି ଲେହେରସରେ ଆବଦ୍ଧ ଧୃତ ଲୟ। ପାଦଛନ୍ଦ ସହ ଘୁଙ୍ଗୁରର ନିକ୍ୱଣକୁ ନିଜର ଗାୟନ ଓ ତବଲା ବାଦନରେ ଅତି ଚମତ୍କାର ଭାବେ ପରିବେଷଣ କରି ସେ ସମସ୍ତଙ୍କୁ ଚକିତ ଓ ବିମୋହିତ କରିଥିଲେ । କଥକ ନୃତ୍ୟରେ ଏଭଳି ସଙ୍ଗୀତ, ବାଦ୍ୟ ଓ ଅଭିନୟକୁ ଏକାସାଙ୍ଗରେ ଅତି ନିଖୁଣ ଏବଂ ସୁନ୍ଦର ଭାବରେ ପରିବେଷଣ କରିବା ବୋଧ ହୁଏ ଦର୍ଶକମାନଙ୍କ ପାଇଁ ଏକ ପ୍ରଥମ ସୁଯୋଗ ଏବଂ ଅଭୁଲା ଅନୁଭୁତି ହୋଇ ରହିଯିବ। ତାଙ୍କ ସହିତ ସଙ୍ଗତ କରିଥିଲେ ତବଲାରେ ଯୋଗେଶ ଗଙ୍ଗାନୀ, ସୀତାରରେ ରବି ଶଙ୍କର ଶର୍ମା, ସାରଙ୍ଗୀରେ ଆୟୁବ ଖାନ ଏବଂ କଣ୍ଠ ସାମିଉଲ୍ଲା ଖାନ୍‌।

publive-image

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆମ୍ଭି ସୁବ୍ରମନ୍ୟାମଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତରେ ବେହେଲା ବାଦନ। ତାଙ୍କ ପ୍ରସ୍ତୁତିରେ ଥିଲା ରାଗ ଆଭୋଗି ପରେ ପରେ ରାଗ ଚାରୁକେଶୀରେ ପଲ୍ଲବୀ ବାଦନ ଏବଂ ଶେଷରେ ତିଲାନା, ଯାହା ଶ୍ରୋତାମାନଙ୍କୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ତାଙ୍କ ସହିତ ମୋରସିଙ୍ଗାରେ ସହଯୋଗିତା କରିଥିଲେ ସତ୍ୟସାଇ ଘଶାଳା ଏବଂ ମୃଦଙ୍ଗମରେ ଭି ଭି ରମଣମୂର୍ତ୍ତୀ।

publive-image

ଉତ୍ସବର ଅତିଥି ଥିଲେ ଖାତିସମ୍ପନ୍ନ ଓଡ଼ିଶୀ ଗୁରୁ ଶ୍ରୀମତୀ ଅରୁଣା ମହାନ୍ତି, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରଣତି ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ଃ ମୃତୁ୍ୟଞ୍ଜୟ ରଥ ଏବଂ ସଂଚାଳନ କରିଥିଲେ ଶ୍ରୀ ଦେବୀପ୍ରସାଦ ମିଶ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe