ନୂଆଦିଲ୍ଲୀ: ସୁପରଷ୍ଟାର ଗାୟକ ଦିଲଜିତ ଦୋସାଞ୍ଜ ଆଜିକାଲି ତାଙ୍କ ଫିଲ୍ମ 'ସର୍ଦ୍ଦାର ଜୀ ୩' ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି। ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଏମଧ୍ୟରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି।
ଏହି ବିବାଦ ମଧ୍ୟରେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା, ଦିଲଜିତ ଦୋସାଞ୍ଜଙ୍କୁ ବିରୋଧ କରି ଏକ ପୋଷ୍ଟ କରିଥିଲେ ଯାହା ଭାଇରାଲ ହୋଇଛି। ଏହି ପୋଷ୍ଟ ପରେ ଲୋକମାନେ ଗୁରୁ ରନ୍ଧାୱାଙ୍କୁ ସମାଲୋଚନା କରିବାରୁ ସେ ଏବେ ନିଜ ଏକ୍ସ ଆକାଉଣ୍ଟ ନିଷ୍କ୍ରିୟ କରିଦେଇଥିବା ଜଣାଯାଇଛି।
ଗୁରୁ ରନ୍ଧାୱା କାହାର ନାମ ନନେଇ ପୋଷ୍ଟଟି ସେୟାର କରିଥିଲେ। ସେ ଲେଖିଥିଲେ- "ଆପଣ ସମ୍ପୂର୍ଣ୍ଣ ବିଦେଶୀ ହୋଇଗଲେ ବି ଆପଣଙ୍କୁ କେବେବି ଆପଣଙ୍କ ଦେଶ ସହ ବିଶ୍ୱାସଘାତକତା କରିବା ଉଚିତ୍ ନୁହେଁ। ଯେଉଁ ଦେଶରୁ ଆପଣ ସବୁକିଛି ପାଇଛନ୍ତି ସେହି ଦେଶ ବିଷୟରେ କେହି ଖରାପ ଭାବିବା ଉଚିତ୍ ନୁହେଁ। ଯଦିଓ ଆପଣଙ୍କର ବର୍ତ୍ତମାନ ଭାରତୀୟ ନାଗରିକତା ନାହିଁ। କିନ୍ତୁ ଆପଣ ଏଠାରେ ଜନ୍ମଗ୍ରହଣ କରିଛନ୍ତି। ଏହା ମନେରଖନ୍ତୁ। ଏହି ଦେଶ ମହାନ କଳାକାର ସୃଷ୍ଟି କରିଛି ଏବଂ ଆମେ ସମସ୍ତେ ଏଥିରେ ଗର୍ବିତ। ଦୟାକରି ଆପଣଙ୍କ ଜନ୍ମସ୍ଥାନ ପାଇଁ ଗର୍ବ କରନ୍ତୁ। ଏହା କେବଳ ଏକ ପରାମର୍ଶ।"
ଗୁରୁଙ୍କ ଏହି ପୋଷ୍ଟ ପରେ ଲୋକପ୍ରିୟତା ପାଇଁ ଓ ଚର୍ଚ୍ଚାରେ ରହିବା ପାଇଁ ସେ ଏଭଳି କରିଥିବା ଲୋକେ କହି ଟ୍ରୋଲ କରିଥିଲେ। ଏହା ପରେ ଗୁରୁ ନିଜ ଏକ୍ସ ଆକାଉଣ୍ଟ ନିଷ୍କ୍ରିୟ କରିଥିବା ଜଣାଯାଇଛି।
Follow Us