ଦାଦା ! ଦଶହରା ଆସିଲାଣି ପରା, ସୁସ୍ଥ ହେଇ ଶୀଘ୍ର ଫେରିଆସ…

ତାଙ୍କ ଗୀତ ବିନା ଦଶହରା ଅଧୁରା, ତାଙ୍କ ଗୀତ ବିନା ଭସାଣି ଫିକାଫିକା ଆଉ ତାଙ୍କ ବିନା ତ ମେଲୋଡି ଏକଦମ ବେକାର… ଯେଉଁଠି ଦାଦା, ସେଇଠି ଡ୍ୟାନ୍ସ… ସେଇଠି ଦମଦାର ଧମାକା… ଅଭିଜିତ ମଜୁମଦାର ଯେଉଁଠି, ମେଲୋଡ଼ି ସେଇଠି... ତେଣୁ ତ ତାଙ୍କୁ ମେଲୋଡି କିଙ୍ଗ୍ ବୋଲି କୁହେ ଓଡିଆ ସଙ୍ଗୀତ ଜଗତ

Untitled-2

ଭୁବନେଶ୍ବର: ତାଙ୍କ ଗୀତ ବିନା ଦଶହରା ଅଧୁରା, ତାଙ୍କ ଗୀତ ବିନା ଭସାଣି ଫିକାଫିକା ଆଉ ତାଙ୍କ ବିନା ତ ମେଲୋଡି ଏକଦମ ବେକାର… ଯେଉଁଠି ଦାଦା, ସେଇଠି ଡ୍ୟାନ୍ସ… ସେଇଠି ଦମଦାର ଧମାକା… ଅଭିଜିତ ମଜୁମଦାର ଯେଉଁଠି, ମେଲୋଡ଼ି ସେଇଠି । ତେଣୁ ତ ତାଙ୍କୁ ମେଲୋଡି କିଙ୍ଗ୍ ବୋଲି କୁହେ ଓଡିଆ ସଙ୍ଗୀତ ଜଗତ । ହେଲେ ଆଜି ସେ ରାଜାଙ୍କ ବିନା ମେଲୋଡି ଜଗତ ଖାଁ ଖାଁ… କାରଣ ମେଲୋଡିରେ ରାଜ୍ କରୁଥିବା ରାଜା ଆଜି ରୋଗରେ ଶଯ୍ୟାରେ… ହସ୍ପିଟାଲ୍‌ ବେଡରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସୁଛି । 

WhatsApp Image 2025-09-11 at 13.42.13

ଦାଦାଙ୍କ ପାଇଁ ପୂରା ସଙ୍ଗୀତ ଜଗତ ଏବଂ ପ୍ରତିଟି ଲୋକ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିବା ବେଳେ ଆଜି ଦାଦାଙ୍କ ଜନ୍ମଦିନ । ୫୩ ବର୍ଷ ବୟସରେ ପାଦ ଦେଲେ ଅଭିଜିତ ମଜୁମଦାର । ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ସମ୍ବଲପୁରରେ ଅଭିଜିତ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଅଧ୍ୟାପକ ଥିଲେ, ପରେ ଚାକିରି ଛାଡି ପୂର୍ଣ୍ଣ ସମୟ ସଂଗୀତରେ ଦେଇଥିଲେ । ଆଜି ଦାଦାଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଅନେକ ପ୍ରଶଂସକ ଶୁଭେଚ୍ଛା ଏବଂଅଭିନନ୍ଦନ ଜଣାଉଥିବା ବେଳେ ଯଦି ଆଜି ଦାଦା ସୁସ୍ଥ ଥାନ୍ତେ ହୁଏତ ତାଙ୍କ ଘରେ ଆଜି ଗହଳି ଲାଗିଥାନ୍ତା । ମାତ୍ର ସେ ହସ୍ପିଟାଲରେ ଚିକିତ୍ସିତ ଥିବାରୁ ତାଙ୍କ ପାଇଁ ପ୍ରାର୍ଥନା କରାଯାଇଛି । ଶୁଭେଚ୍ଛା, ଅଭିନନ୍ଦନ ସହ ପ୍ରଭୁଙ୍କ ପାଇଁ ଦାଦାଙ୍କ ସୁସ୍ଥତା ପାଇଁ ଦୀପ ଜାଳି ପ୍ରାର୍ଥନା କରିଛନ୍ତି ତାଙ୍କ ଶୁଭେଚ୍ଛୁ ।

ଗତକାଲି ତାଙ୍କ ସୁସ୍ଥତା ପାଇଁ ରାମ ମନ୍ଦିରରେ ପ୍ରଯୋଜକ,ନିର୍ଦ୍ଦେଶକ , ଅନେକ ସଂଗୀତଜ୍ଞ ଏବଂ ଓଲିଉଡ଼ ପରିବାରର ଅନେକ ଜଣାଶୁଣା ବ୍ୟକ୍ତି ବିଶେଷ ଶ୍ରୀରାମ ମନ୍ଦିରରେ ସମୂହ ଦୀପଦାନ କରିଥିଲେ l ଆଉ ଆଜି ମଧ୍ଯ ତାଙ୍କ ସୁସ୍ଥତା ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଉଛି । 

486792034_4184022998498210_4751856014452290218_n

ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ଦାଦାଙ୍କୁ ବେଶ୍‌ ଭଲଭାବେ ଜଣା ଥିଲା । ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ । ଜୀବନ ସହ ସଂଗ୍ରାମ କରୁଥିବା ଅଭିଜିତ୍ ଏବେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ । ଅନେକ କଳାକାରଙ୍କ ସମେତ ନେତା, ମନ୍ତ୍ରୀ ମଧ୍ୟ ତାଙ୍କ ଆରୋଗ୍ୟ କାମନା ପାଇଁ ନିବେଦନ କରୁଛନ୍ତି । କେହି କେହି ଦୀପ ଜାଳୁଥିବା ବେଳେ ଅନେକ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି । 

ଅଭିଜିତ ମଜୁମଦାର ତାଙ୍କ କଳା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି ବୋଲି ଉପସ୍ଥିତ ସୁଚିନ୍ତକମାନେ କହିଥିଲେ । ଅଭିଜିତ୍‌ଙ୍କ ପ୍ରଶଂସକ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ ବୋଲି କୋହଭରା କଣ୍ଠରେ ଓଲିଉଡ଼ ପରିବାରବର୍ଗଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ମନ ଜିଣିଛନ୍ତି ମେଲୋଡ଼ି କିଙ୍ଗ

ହସହସ ଚେହେରାର ମଣିଷ ଅଭିଜିତ ମଜୁମଦାର । ବେଳେବେଳେ ଗୀତର ସ୍ୱରରେ ଆଖି ପତା ଲୁହରେ ଭିଜାଇଛନ୍ତି ଆଉ କେବେ ଗୀତ ଗୀତରେ ଖୁବ ହସାଇଛନ୍ତି  । ଗଣେଶ ପୂଜା ହେଉ କି ଦଶହରା ତାଙ୍କ ଗୀତ ନବାଜିଲେ ସବୁ ଫିକା । ଏମିତି କି ନିର୍ବାଚନୀ ଗୀତ ପାଇଁ ବି ବେଶ ଲୋଡ଼ା ପଡ଼ନ୍ତି ଦାଦା । ପିଲାଠୁ ବୟସ୍କ ସମସ୍ତଙ୍କର ସେ ଦାଦା । ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ।  ଯାହାଙ୍କ ଗୀତ ବାଜିଲେ ଆପେ ଆପେ ଝୁମିଯାନ୍ତି ଶ୍ରୋତା । କଣ୍ଠର ଯାଦୁରେ ବାନ୍ଧି ରଖିବାର କଳା ତାଙ୍କୁ ଜଣା ।

ସେଥିପାଇଁ ତ ତିନି ଦଶନ୍ଧିରୁ ଅଧିକ ସମୟ ସେ ଓଡ଼ିଆ ସଙ୍ଗୀତର ତାଳରେ ଝୁମାଇବାରେ ନିପୁଣ ବୋଲି ବାରମ୍ବାର ପ୍ରମାଣ କରି ଆସିଛନ୍ତି ।  ସମ୍ବଲପୁରରୁ ଆସି କଟକରେ ନିଜ ସଙ୍ଗୀତର ଆଭିଜାତ୍ୟକୁ ଭିନ୍ନ ରୂପ ଦେଇ ପାରିଛନ୍ତି ଅଭିଜିତ ମଜୁମଦାର । ପ୍ରଥମେ କଲେଜ ନିର୍ବାଚନ ପ୍ରଚାର ଗୀତରୁ ନିଜକୁ ଆବିଷ୍କାର କରିଥିଲେ ଅଭିଜିତ । ୧୯୯୧ ମସିହାରେ ପ୍ରଥମେ ସମ୍ବଲପୁରୀ ଗୀତରୁ ଆରମ୍ଭ ହୋଇଥିଲା ତାଙ୍କର ସଂଗୀତ ଯାତ୍ରା । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ କ୍ୟାସେଟ ଥିଲା 'ଧସକି ଗଲା' । ଆଉ ତାପରେ ଏ ଯାତ୍ରାରେ ବିରାମ ଲାଗିନି । 

86757062_2735342040032987_3628221860073701376_n

ଗାୟକରୁ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଭାବେ ନିଜର ଦକ୍ଷତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ହୋଇପାରିଛନ୍ତି । ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସିନେମା ‘କାଶିଆ କପିଳା’ରେ ଦେଖାଇଥିଲେ ନିଜ ଯାଦୁଗରୀ । ପରେପରେ ‘ରଖିବ ଯଦି ମାରିବ କିଏ’, ‘ତୋ ବିନା ଭଲ ଲାଗେନା’, ‘ଶଶୁର ଘର ଜିନ୍ଦାବାଦ’ ଆଦି ସିନେମା ତାଙ୍କ ଗୀତ ପାଇଁ ସାଜିଥିଲା ବିରାଟ ମାଇଲଖୁଣ୍ଟ । ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଆନ୍ତି ଦାଦା । ପରେପରେ ତାଙ୍କ ଗୀତକୁ ମ୍ୟାଚ କଲା ଭଳି ବ୍ୟାକ ଟୁ ବ୍ୟାକ ସିନେମା ଆସେ ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ, ରଙ୍ଗିଲା ଟୋକା, ଲଭ ମାଷ୍ଟର ଓ ଜଗୁ ଅଟୋବାଲା, ଚଉକା ଛକା, ଡାହା ବାଳୁଙ୍ଗା, ଆମେ ତ ଟୋକା ଷଣ୍ଢ ମାର୍କା ଭଳି ସିନେମା.. ଯାହାର ସିନେମା କାହାଣୀ ଅପେକ୍ଷା ଗୀତ ଅଧିକ ଭାଇରାଲ ହୁଏ । 

ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ମଧ୍ୟ ନିର୍ମାଣ କରନ୍ତି । କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଟିଭି ସୋ ରେ କାର୍ଯ୍ୟକ୍ରମରେ କେବେ ଉପସ୍ଥାପକ ତ କେବେ ବିଚାରକ ଭାର ନିଭାଇଛନ୍ତି । 

73012260_2618552511711941_4741691474431705088_n

ଯୁବ କଣ୍ଠଶିଳ୍ପୀଙ୍କୁ ଆଗକୁ ଯିବାର ବାଟ ଛାଡିଛନ୍ତି । ଅନ୍ତାକ୍ଷରୀ, ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ସବୁବେଳେ ଦର୍ଶକଙ୍କୁ ଟାଣି ରଖିବାରେ ସଫଳ ହୋଇପାରିଛନ୍ତି ସେ । ଏପର୍ଯ୍ୟନ୍ତ ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । କିଛିଦିନ ପୂର୍ବରୁ ହଲକୁ ଆସିଥିବା ଅନନ୍ତା ସିନେମାର ଆମ ଗାଁ ଅନନ୍ତା, ଆମ ପୁଅ ଅନନ୍ତା ଗୀତ ଗାଇ ଅନେକଙ୍କୁ କନ୍ଦାଇଛନ୍ତି ଦାଦା । 

ଆଉ ଆଜି ଯେତେବେଳେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ । ତାଙ୍କ ସୁସ୍ଥତା ପାଇଁ ସମସ୍ତେ ତାଙ୍କ ଜନ୍ମଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe