India TV
୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ହରେ କୃଷ୍ଣ ହରେ ରାମ’ରେ ବଲିଉଡ୍ର ପ୍ରଖ୍ୟାତ ଅଭିନେତା ଦେବାନନ୍ଦ ଅଭିନୟ କରିଥିବା ବେଳେ ଏହାକୁ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତେବେ ସେ ସମୟରେ ଏପରି ଏକ ନିଆରା ଚଳଚ୍ଚିତ୍ର ତିଆରି ହେବା ପଛର କାହାଣୀ ଏବେ ସାମ୍ନାକୁ ଆସିଛି।
କୌଣସି କାରଣରୁ ଜଣେ ବନ୍ଧୁଙ୍କ ସହ ଦେବାନନ୍ଦ କାଠମାଣ୍ଡୁ ଯାଇଥିଲେ। ଦୁହେଁ ସେଠାରେ ଥିବା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନକୁ ମଉଜମସ୍ତି କରିବା ପାଇଁ ଯାଇଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଆରମ୍ଭ କରି ଯୁବକ/ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ଝୁମୁଥିବା ଦେଖିବାକୁ ପାଇଥିଲେ। ତେବେ ସେଠାରେ ଜେନିସ୍ ନାମ୍ନୀ ଜଣେ ଯୁବତୀଙ୍କୁ ଦେଖିବା ପରେ ଦେବାନନ୍ଦ ତାଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ରହୁଥିବା ହୋଟେଲର ୱେଟର୍ଙ୍କ ସହାୟତାରେ ଜେନିସ୍ ଓ ଦେବାନନ୍ଦଙ୍କ ସାକ୍ଷାତ ହୋଇଥିଲା। ଦେବାନନ୍ଦ ତାଙ୍କ ସହ କଥା ହୋଇ ଜାଣିବାକୁ ପାଇଥିଲେ ଯେ ଜେନିସ୍ଙ୍କ ପ୍ରକୃତ ନାଁ ଜସବୀର ଓ ସେ ପଞ୍ଜାବର ମୂଳ ବାସିନ୍ଦା। ଘରୁ ବାହାରିବାକୁ ନେଇ ମା’ ସବୁବେଳେ ଆକଟ କରୁଥିବାରୁ ଜେନିସ୍ ଘର ଛାଡ଼ି ତାଙ୍କ ପୁରୁଷବନ୍ଧୁଙ୍କ ସହ କାନାଡ଼ାରେ ଅବସ୍ଥାନ କରୁଛନ୍ତି। ତେବେ ଜେନିସ୍ଙ୍କ ସହ ଏହି କିଛି ଘଣ୍ଟାର ସାକ୍ଷାତ ଦେବାନନ୍ଦଙ୍କୁ ଚଳଚ୍ଚିତ୍ର ତିଆରି କରିବା ପାଇଁ ବିଷୟବସ୍ତୁ ଯୋଗାଇ ଦେଇଥିଲା। କୁହାଯାଏ, ଏହି ଚଳଚ୍ଚିତ୍ରଟି ଜେନିସ୍ର ଚରିତ୍ର ଉପରେ ଆଧାରିତ। ଚଳଚ୍ଚିତ୍ରରେ ଜେନିସ୍ଙ୍କ ଭୂମିକାରେ ଅଭିନେତ୍ରୀ ଜିନ୍ନତ ଅମନଙ୍କୁ ଅବତରଣ କରାଯାଇଥିଲା।
Follow Us