‘ସ୍ତ୍ରୀ’ ସିନେମା‌ରେ ପୁରୁଷ ଭୂତର ଆତଙ୍କ

Advertisment
‘ସ୍ତ୍ରୀ’ ସିନେମା‌ରେ ପୁରୁଷ ଭୂତର ଆତଙ୍କ

୨୦୧୮ର ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ଚନ୍ଦେରି ସହରର ପୁରୁଷମାନେ ଅତୃପ୍ତ ‘ସ୍ତ୍ରୀ’ର ଭୟରୁ ମୁକ୍ତି ପାଇଥିଲେ। ତେବେ ଶେଷକୁ ଶ୍ରଦ୍ଧା କପୁର ଅଭିନୀତ ରହସ୍ୟମୟ ଚରିତ୍ର ନେଇ ନାନା ପ୍ରଶ୍ନ ଅସମାହିତ ରହିଯାଇଥିଲା। ଏ ସିନେମା ଆସିବାର ଛଅ ବର୍ଷ ପରେ ସେହିସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଦର୍ଶକ ପ୍ରେକ୍ଷାଳୟକୁ ବାହୁଡ଼ିବା ସମ୍ଭବ କି? ବାସ୍ତବିକ, ଦର୍ଶକଙ୍କ ଜିଜ୍ଞାସା ‘ସ୍ତ୍ରୀ ୨: ସରକଟେ କା ଆତଙ୍କ’ ସିନେମାକୁ ପ୍ରଥମ ଦିନରେ ୬୪ କୋଟି ଟଙ୍କାରୁ ଅଧିକ ଆୟ ସହିତ ଏ ବର୍ଷର ସର୍ବବୃହତ୍‌ ରିଲିଜ୍‌ର ମାନ୍ୟତା ପ୍ରଦାନ କରିଛି।

ସାଧାରଣତଃ ଦର୍ଶକଙ୍କ ମନରେ ଭୟ ଓ ଛନକା ସୃଷ୍ଟିର ପ୍ରକ୍ରିୟାରେ ଭୂତ ସିନେମାର କାହାଣୀ, ସଂଳାପ ଓ ଅଭିନୟକୁ ଖୁବ୍ ଅବହେଳା କରାଯାଇଥାଏ। ହେଲେ ‘ସ୍ତ୍ରୀ’ ପରି ସିନେମା ରୋଚକ କାହାଣୀ, ଚତୁର ସଂଳାପ ଓ ଅଭିନୟର ଚାତୁର୍ଯ୍ୟ ମାଧ୍ୟମରେ ଭୌତିକ ସିନେମାକୁ ଏକ ନୂଆ ସ୍ବରୂପ ପ୍ରଦାନ କରିଥିଲା। ଏହାର ମୁଖ୍ୟ ପ୍ରଯୋଜନା ସଂସ୍ଥା ‘ମ୍ୟାଡକ୍‌ ଫିଲ୍ମସ୍‌’ ଲୋକକଥା ପର୍ଯ୍ୟବସିତ ଭୌତିକ କାହାଣୀ ସହ ହାସ୍ୟରସର ଯୁଗଳବନ୍ଦୀର ସମ୍ଭାବନାକୁ ଠଉରାଇ ଇତିମଧ୍ୟରେ ସେହିପରି ପାଞ୍ଚଟି ଚଳଚ୍ଚିତ୍ର ନିର୍ମାଣ କରିସାରିଲେଣି। ଏସବୁ ଚଳଚ୍ଚିତ୍ରକୁ ନେଇ ‘ମ୍ୟାଡକ୍‌ ସୁପର୍‌ନାଚୁରାଲ୍‌ ୟୁନିଭର୍ସ’ (ଏମ୍‌ଏସ୍‌ୟୁ)ର ପରିକଳ୍ପନା କରାଯାଇଛି। ଏହା ପଛରେ ହଲିଉଡ୍‌ର ‘ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସ’ (ଏମ୍‌ସିୟୁ)ର ପ୍ରେରଣା ରହିଛି। ‘ଏମ୍‌ଏସ୍‌ୟୁ’ର ଭୂତମାନେ ‘ଏମ୍‌ସିୟୁ’ର ସୁପର୍‌ହିରୋମାନଙ୍କ ବିଶ୍ବବ୍ୟାପୀ ଲୋକପ୍ରିୟତାକୁ ଟପିବା ଅସମ୍ଭବ ହୋଇଥିଲେ ହେଁ ଭାରତରେ ଏହା ଏକ ବିଶ୍ବସ୍ତ ଅନୁଗାମୀ ଗୋଷ୍ଠୀ ସୃଷ୍ଟି କରିବାରେ ସଫଳ​ ହୋଇଛି। ‘ସ୍ତ୍ରୀ ୨’ରେ ପୂର୍ବ ଭାଗ ତୁଳନାରେ କମ୍ ହାସ୍ୟରସ ଥିଲେ ହେଁ ରାଜକୁମାର, ପଙ୍କଜ ଓ ଅପାରଶକ୍ତିଙ୍କ ମୁହଁରେ ଅତିନାଟକୀୟ ସଂଳାପଗୁଡ଼ିକ ମଧ୍ୟ ଜୀବନ୍ତ ହୋଇଉଠିଛି। ଏହି ଭାଗରେ କାହାଣୀର ଜଟିଳତା ବୃଦ୍ଧି ପାଇଛି; ପରବର୍ତ୍ତୀ ଭାଗ ଲାଗି ମଧ୍ୟ ଅନେକ ରହସ୍ୟ ଅସମାହିତ ରଖାଯାଇଛି। ରହସ୍ୟ ଉନ୍ମୋଚନ ଓ ରହସ୍ୟ ଯୋଡ଼ିବାର ପ୍ରକ୍ରିୟାକୁ ତୁଳନା କଲେ, ସିନେମାଟି ସରିବା ଭିତରେ ରହସ୍ୟ ସଂଖ୍ୟା ବୃଦ୍ଧି ପାଇଥିବା ଭଳି ମନେ ହୋଇଥାଏ। ଉଦାହରଣ ସ୍ବରୂପ ଶ୍ରଦ୍ଧାଙ୍କ ଅଭିନୀତ ଚରିତ୍ରର ନାମ ଏହି ସିନେମାରେ ବି ପ୍ରକାଶ ପାଇନାହିଁ। କେବଳ ସେ କାହାର କନ୍ୟା ଏ କଥାଟି ଜଣାପଡ଼ିଛି।

ଏହି କାହାଣୀର ଭୂତ ହେଉଛି ମୁଣ୍ଡ କଟିଯାଇଥିବା ଏକ ଦାନବ। ସେ ଚନ୍ଦେରି ସହରର ପୁରୁଷମାନଙ୍କୁ ସମ୍ମୋହିତ କରି ସେମାନଙ୍କ ମନକୁ ୨୦୦ ବର୍ଷ ତଳର ନାରୀବିଦ୍ବେଷରେ ଭରିଦେଇଛି। ଏହି ଦାନବକୁ ନିପାତ କରିବା ଲାଗି ଭିକି (ରାଜକୁମାର) କେଉଁସବୁ ଉପାୟ ଅବଲମ୍ବନ କରୁଛି ତାହା ଏହି କାହାଣୀର ବିଷୟବସ୍ତୁ। ଏଥିରେ ତିନି ଜଣ ଅତିଥି ଅଭିନେତାଙ୍କ ପଦାର୍ପଣକୁ ଚତୁରତାର ସହିତ କାହାଣୀରେ ସନ୍ନିବେଶ କରାଯାଇଛି। ‘ଆଜ୍‌ କୀ ରାତ’ ଗୀତରେ ତମନ୍ନା ଭାଟିଆଙ୍କ ଚିତ୍ତାକର୍ଷକ ନୃତ୍ୟକୁ କାହାଣୀ ସହ ଏକୀକୃତ କରିବା ଲାଗି ତାଙ୍କୁ ରୁଦ୍ର (ପଙ୍କଜ) ଚରିତ୍ରର ପୁରୁଣା ପ୍ରେମିକା ରୂପେ ଅବତୀର୍ଣ୍ଣ କରାଯାଇଛି। ‘ଏମ୍‌ଏସ୍‌ୟୁ’ର ଅନ୍ୟତମ ସିନେମା ‘ଭେଡ଼ିୟା’ର ନାୟକ ବରୁଣ ଧଵନ ‘ଗଧିଆ’ ରୂପରେ ଆସି ଏହି କାହାଣୀର ଅନ୍ୟତମ ଆକର୍ଷଣ ସାଜିଛନ୍ତି। ଅକ୍ଷୟ କୁମାରଙ୍କ ପଦାର୍ପଣ ସବୁଠାରୁ ଅପ୍ରତ୍ୟାଶିତ ତଥା ଚମତ୍କାର ମନେ ହୋଇଥାଏ। ସିନେମା ଶେଷରେ ଏକ କ୍ଷୁଦ୍ର ଦୃଶ୍ୟରୁ ସଂକେତ ମିଳିଥାଏ ଯେ ଅକ୍ଷୟ କୁମାର ଆଗାମୀ ‘ଏମ୍‌ଏସ୍‌ୟୁ’ ସିନେମାରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି।

ପ୍ରଚ୍ଛଦ ସଂଗୀତ ସହିତ ଉନ୍ନତ ଭିଏଫ୍‌ଏକ୍‌ସ, ଏଡିଟିଂ ଆଦି ବୈଷୟିକ ଦିଗ ଏହି ସିନେମାର ଶକ୍ତିଶାଳୀ ଦିଗ ହୋଇଥିବା ବେଳେ ଏହାର କେତେକ ଦୁର୍ବଳ ଦିଗ ହେଉଛି ଏଭଳି ସଂଳାପର ବହୁଳତା ଯେଉଁଗୁଡ଼ିକୁ ବୁଝିବା ନିମନ୍ତେ ଜଣେ ନିୟମିତ ସିନେମା ଦର୍ଶକ ହୋଇଥିବା ଆବଶ୍ୟକ; ସେହିପରି ମୁଖ୍ୟ ଚରିତ୍ରରେ ଶ୍ରଦ୍ଧା କପୁରଙ୍କ ଅଭିନୟ ଅପରିପକ୍ବ ଲାଗିଥାଏ। ‘ମ୍ୟାଡକ୍‌ ସୁପର୍‌ନାଚୁରାଲ୍‌ ୟୁନିଭର୍ସ’ (ଏମ୍‌ଏସ୍‌ୟୁ) ଲାଗି କାହାଣୀ ପରିକଳ୍ପନାର ସମ୍ଭାବନା ଏବେ ଅସୀମ। ତେବେ ଦର୍ଶକଙ୍କ କ୍ରମବର୍ଦ୍ଧିଷ୍ଣୁ ଆକାଂକ୍ଷା ପୂରଣ କରିବା ବି କଷ୍ଟକର। ତଥାପି ଏହା ସୁନିଶ୍ଚିତ ଯେ ଦର୍ଶକମାନେ ପରବର୍ତ୍ତୀ ‘ସ୍ତ୍ରୀ’ ସିନେମାକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe