Indian Express
ଅଭିନେତା ହ୍ରିତିକ୍ ରୋଶନ ଏବେ ନିଜ ଦୁଇ ପୁଅଙ୍କ ସହ ସମୟ ବିତାଉଛନ୍ତି। କରୋନା ପାଇଁ ଲକ୍ଡାଉନ ଯୋଗୁଁ ହ୍ରିତିକ୍ ଓ ତାଙ୍କ ପୂର୍ବତନ ପତ୍ନୀ ସୁସେନ ଖାନ୍ ପିଲାମାନଙ୍କ ସହ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନିକଟରେ ସୁସେନ୍ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଫଟୋ ଦେଖି ଜଣେ ପ୍ରଶଂସକ ହ୍ରିତିକ୍ଙ୍କୁ ଏକ ପ୍ରଶ୍ନ ପଚାରିଥିବା ବେଳେ ହ୍ରିତିକ୍ ଏହାର କଡ଼ା ଜବାବ ରଖିଛନ୍ତି। ସୁସେନ୍ ନିଜ ଦୁଇ ପୁଅଙ୍କ ସହ ହ୍ରିତିକ୍ଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏହା ସତରେ ଏକ ସ୍ମରଣୀୟ ମୁହୂର୍ତ। ଏଥିସହ ଜୀବନରେ ପ୍ରେମ ସମ୍ବନ୍ଧରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେବେ ଫଟୋଟି ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, ପିଲାମାନଙ୍କ ସହ ଏକାଠି ଥିବା ସମୟରେ ହ୍ରିତିକ୍ କ’ଣ ସିଗାରେଟ୍ ଟାଣୁଛନ୍ତି କି, ନା ଏହା ମୋର ଭ୍ରମ। ଆଶା କରୁଛି ହ୍ରିତିକ୍ ସିଗାରେଟ୍ ଟାଣୁନଥିବେ, ନଚେତ ଏହା ମତେ ବହୁତ ଖରାପ ଲାଗିବ। ହ୍ରିତିକ୍ ତାଙ୍କର ଏହି ପ୍ରଶଂସକଙ୍କୁ କହିଛନ୍ତି, ପ୍ରଥମ କଥା ହେଉଛି ମୁଁ ସିଗାରେଟ୍ ଟାଣେ ନାହିଁ। ଯଦି ବା ମୁଁ ସତରେ କ୍ରିଶ ହୋଇଥାଆନ୍ତି ତେବେ ଏଇ ଭୂତାଣୁ ଶେଷ ହୋଇଯିବା ପରେ ମୁଁ ପ୍ରଥମେ ଏଇ ଗ୍ରହରୁ ସିଗାରେଟ୍ ହିଁ ନଷ୍ଟ କରିଦେଇଥାଆନ୍ତି। ହ୍ରିତିକଙ୍କ ଏହି ଜବାବରେ ପ୍ରଶଂସକ ଜଣକ ବେଶ୍ ଖୁସି ହୋଇ ଲେଖିଛନ୍ତି, ମତେ ବିଶ୍ବାସ ହେଉନି ଯେ ଆପଣ ଦ୍ବିତୀୟ ବାର ମୋ ପ୍ରଶ୍ନର ଉତ୍ତର ଦେଇଛନ୍ତି। ମୁଁ ବି ଜାଣିଛି ଆପଣ ଧୂମପାନ କରନ୍ତି ନାହିଁ, କିନ୍ତୁ ଏ ବାବଦରେ ବହୁତ କମେଣ୍ଟ୍ ଥିବାରୁ ମୁଁ ଏପରି ପ୍ରଶ୍ନ ପଚାରିଥିଲି । ମୁଁ ଆପଣଙ୍କୁ ବହୁତ ଭଲ ପାଉଥିବାରୁ ଓ ଆପଣଙ୍କ ଯତ୍ନ ହେତୁ ଏପରି ପଚାରି ଦେଇଥିଲେ ବୋଲି ସେ କହିଥିଲେ।
Follow Us