ବନ୍ଧୁଙ୍କ ପ୍ରୋତ୍ସାହନରେ ତାରକା ହୋଇଥିଲେ ହୁମା

Advertisment
ବନ୍ଧୁଙ୍କ ପ୍ରୋତ୍ସାହନରେ ତାରକା ହୋଇଥିଲେ ହୁମା

India Forums

ବେଳେ ବେଳେ କୌଣସି କାମ ଆରମ୍ଭ କଲା ସମୟରେ ହଠାତ୍‌ ସେଥିରେ ବାଧା ଉପୁଜିଲେ ଶୁଭ ବିଗିଡ଼ିଗଲା ବୋଲି କେହି କେହି ବିଚାରିଥା’ନ୍ତି। ମାତ୍ର ସେଇ ମୁହୂର୍ତ୍ତକୁ ଅତିକ୍ରମ କରିଗଲେ ସଫଳତାର ଦୀର୍ଘ ପଥ ମିଳିଥାଏ। ଅଭିନେତ୍ରୀ ହୁମା କୁରେସିଙ୍କ ଭାଗ୍ୟରେ ଠିକ୍‌ ସେଇଆ ହିଁ ଘଟିଛି। ପହିଲି ପ୍ରତିବନ୍ଧକକୁ ପଛରେ ପକାଇ ୧୦ ବର୍ଷର ଅଭିନୟ ଜୀବନ ଭିତରେ ସେ ୨୨ଟି ହିନ୍ଦୀ ସିନେମା ଓ ୬ଟି ଟିଭି ଧାରାବାହିକ ସମେତ ଦୁଇଟି ସଂଗୀତ ଭିଡିଓରେ ନିଜ ଲୋକପ୍ରିୟତାର ସ୍ବାକ୍ଷର ଛାଡ଼ିପାରିଛନ୍ତି। ଏପରିକି ସେ ପାଞ୍ଚ ପାଞ୍ଚ ଥର ଜାତୀୟ ସ୍ତରୀୟ ପୁରସ୍କାର ଲାଭ କରିବା ସହ ତାଙ୍କ ନାମକୁ ଫିଲ୍ମଫେୟାର ପୁରସ୍କାର ପାଇଁ ତିନି ଥର ସୁପାରିସ କରାଯିବା ହେଉଛି ତାଙ୍କ ବଳିଷ୍ଠ ଦକ୍ଷତାର ପ୍ରମାଣ। ଦିଲ୍ଲୀଠାରେ ଏକ ମୁସଲମାନ ପରିବାରରେ ୧୯୮୬ ଜୁଲାଇ ୨୮ରେ ଜନ୍ମିତା ହୁମା ଇତିହାସ ସମ୍ମାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତାଙ୍କର ସୁନ୍ଦର ଚେହେରା ପାଇଁ ସାଙ୍ଗମାନେ ତାଙ୍କୁ ଗ୍ଲାମର ଦୁନିଆରେ ନାଁ କମାଇବା ପାଇଁ ଉତ୍ସାହିତ କରିଥିଲେ। ତେବେ ଦିଲ୍ଲୀରେ ଶିକ୍ଷା ସମାପ୍ତି ପରେ ସେ ଜଣେ ଥିଏଟର କଳାକାର ତଥା ମଡେଲ ଭାବରେ କାମ ଆରମ୍ଭ କରିଥିଲେ।

ଏହାପରେ ସେ ମାୟା ନଗରୀ ମୁମ୍ବାଇ ଚାଲିଯାଇ ସିନେ ଜଗତ୍‌ରେ ନିଜକୁ ଆବିଷ୍କାର କରିବାକୁ ପ୍ରୟାସ କରିଥିଲେ। ତେବେ ତାଙ୍କର ସେ ଅଭିଯାନର ପ୍ରାଥମିକ ଅବସ୍ଥା ବଡ଼ ନିରୁତ୍ସାହଜନକ ଥିଲା। ପ୍ରଥମେ ସେ ‘ଜଙ୍କସନ୍‌’ ନାମକ ଏକ ହିନ୍ଦୀ ଫିଲ୍ମ ପାଇଁ ଅଡିସନରେ ସଫଳ ହୋଇଥିଲେ, ମାତ୍ର ସେ ଫିଲ୍ମ ଏ ଯାବତ୍‌ ପ୍ରସ୍ତୁତ ହୋଇପାରିନାହିଁ। ହୁମାଙ୍କ ଅଭିନୟରେ ଆକୃଷ୍ଟ ହୋଇ ସିନେ ନିର୍ମାତା ଅନୁରାଗ କଶ୍ୟପ ତାଙ୍କୁ ତାଙ୍କର ପରବର୍ତ୍ତୀ ତିନିଟି ସିନେମାରେ ନେବା ପାଇଁ ଚୁକ୍ତି କରିଥିଲେ। ତେବେ ‘ବିଲ୍ଲା-୨’ ନାମକ ଏକ ତାମିଲ ସିନେମାରେ ପ୍ରଥମ ପଦାର୍ପଣ କରି ସେ ନିଜର ସ୍ବପ୍ନକୁ ସାକାର କରିବାର ସମସ୍ତ ଯୋଜନା ହୋଇଥିଲା। ମାତ୍ର ସେହି ପ୍ରକଳ୍ପ ଆରମ୍ଭ ପାଇଁ ଅହେତୁକ ବିଳମ୍ବ ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ବାଧ୍ୟ କରିଥିଲା। ସେ ଦକ୍ଷିଣ ଭାରତୀୟ ସିନେମାର ଅନ୍ୟ ପ୍ରଯୋଜନା ସଂସ୍ଥା ସହ ସମ୍ପର୍କ ରଖିଥିଲେ ହେଁ ତାଙ୍କୁ ମନଲାଖି ଚରିତ୍ରଟିଏ ମିଳିନଥିଲା। ଏଥିରେ ସେ ହତୋତ୍ସାହିତ ନ ହୋଇ ୨୦୧୨ରେ ଅନୁରାଗ କଶ୍ୟପଙ୍କ ‘ଗ୍ୟାଙ୍ଗସ୍‌ ଅଫ୍‌ ଵାସେପୁର’ରେ ଏକ ସହଯୋଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସିନେ ଦୁନିଆରେ ତାଙ୍କର ଏହି ପ୍ରଥମ ଆବିର୍ଭାବ ହିଁ ସମୀକ୍ଷକ ଓ ସମର୍ଥକମାନଙ୍କ ହୃଦୟକୁ ବେଶ ଛୁଇଁ ପାରିଥିଲା। ଏଥିପାଇଁ ତାଙ୍କୁ ନବାଗତା ଭାବରେ ‘ସାଉଥ୍‌ ଏସିଆନ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌’ ସମ୍ମାନ ଓ ‘ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଲସ୍‌ ଆଞ୍ଜେଲସ’ ସମ୍ମାନ ମିଳିଥିଲା। ସେହିପରି ୨୦୧୫ ରେ ‘ଦେଢ଼ ଇସ୍କିୟା’ ପାଇଁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ‘ଷ୍ଟାରଡଷ୍ଟ ସମ୍ମାନ’ ଓ ୨୦୨୧ରେ ୱେବ୍‌ ସିରିଜ୍‌ ‘ମହାରାଣୀ’ରେ ତାଙ୍କର ଶାଣିତ ଅଭିନୟ ପାଇଁ ଶ୍ରେଷ୍ଠ ନାୟିକା ଭାବେ ‘ଫିଲ୍ମଫେୟାର ଓଟିଟି ସମ୍ମାନ’ ସେ ଲାଭ କରିଥିଲେ। ଚଳିତବର୍ଷ ତାଙ୍କର ତିନିଟି ହିନ୍ଦୀ ସିନେମା ମୁକ୍ତିଲାଭ କରିବାକୁ ଥିବା ବେଳେ ସେଥିପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe