ମୁମ୍ବାଇ: ୧୯୯୯ରେ ହୋଇଥିବା କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ନିର୍ମାଣ ହୋଇଛି ୱେବ୍ ସିରିଜ୍। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ୱେବ୍ ସିରିଜ୍ ନିର୍ମାଣ ହୋଇଥିବା ବେଳେ ଏବେ ଏହି ୱେବ୍ ସିରିଜକୁ ନେଇ ବିବାଦ ଆରମ୍ଭ ହୋଇଛି। ୱେବ୍ ସିରିଜରେ ଆତଙ୍କବାଦୀଙ୍କ ଧର୍ମକୁ ନେଇ ଲୋକେ ଏହାକୁ ନେଟଫ୍ଲିକ୍ସରୁ ହଟାଇବାକୁ ଦାବି କରିଛନ୍ତି। ୱେବ୍ ସିରିଜରେ ଆତଙ୍କବାଦୀଙ୍କ ଅଣ-ମୁସଲିମ ନାମ ପାଇଁ ରବିବାର ସୋସିଆଲ ମିଡିଆରେ ୱେବ୍ ସିରିଜକୁ ବ୍ୟାନ୍ କରିବାକୁ ଦାବି କରାଯାଇଥିଲା। ହେଉଥିବା ବିରୋଧକୁ ଦେଖି ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନେଟଫ୍ଲିକ୍ସ ପ୍ରତିନିଧୀଙ୍କୁ ସମନ ପଠାଇଛି।
ୱେବ୍ ସିରିଜକୁ କାହିଁକି ନେଟଫ୍ଲିକ୍ସରୁ ହଟାଯିବ ନାହିଁ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ କାରଣ ଦର୍ଶାଅ ନୋଟିସ ପଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ଫିଲ୍ମଟି ୧୯୯୯ରେ ଘଟିଥିବା ଘଟଣାକୁ ନେଇ ନର୍ମାଣ ହୋଇଛି। ଡିସେମ୍ବର ୨୪, ୧୯୯୯ରେ କାଠମାଣ୍ଡୁରୁ ବିମାନଟି ଦିଲ୍ଲୀ ଯିବାକୁ ଥିଲା । କିନ୍ତୁ ଆତଙ୍କବାଦୀମାନେ ଏହାକୁ ଅପହରଣ କରି ଅମ୍ରିତସର ଦେଇ କାନ୍ଦାହାରକୁ ନେଇଯାଇଥିଲେ । ଆତଙ୍କବାଦୀମାନେ ୧୭୮ଯାତ୍ରୀଙ୍କ ମୁକ୍ତି ବଦଳରେ ମୌଲାନା ମାସୁଦ ଅଜହରର ସମେତ ୩ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ସର୍ତ୍ତ ରଖିଥିଲେ। ଏହାକୁ ଇତିହାସର ସବୁଠାରୁ ବଡ ବିମାନ ଅପହରଣ ବୋଲି କୁହାଯାଏ । ତେବେ ଯେଉଁ ଆତଙ୍କବାଦୀମାନେ ବିମାନ ଅପହରଣ କରିଥିଲେ ସେମାନେ ମୁସଲିମ ଥିଲେ। ସେମାନଙ୍କ ନାମ ଥିଲା, ଇବ୍ରାହିମ ଅଥାର, ଶାହିଦ ଅଖତର ସୟଦ, ସନ୍ନି ଅହମ୍ମଦ କାଜୀ, ଜହୁର ମିସ୍ତ୍ରୀ ଏବଂ ଶାକିର ।
ହେଲେ ସିରିଜରେ ଆତଙ୍କବାଦୀଙ୍କ ନାମ ରହିଛି ଭୋଲା, ଶଙ୍କର, ଡକ୍ଟର, ବର୍ଗର ଓ ଚିଫ୍ । ଏବେ ଏହି ନାମକୁ ନେଇ ବିବାଦ ଆରମ୍ଭ ହେବା ସହ ଫିଲ୍ମକୁ ହଟାଇବାକୁ ଦାବି କରାଯାଉଛି । ଏଭଳି ସ୍ଥିତିରେ ଫିଲ୍ମର ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଚାଲିଛି ।
Follow Us