ସୋନୁ ସୁଦ୍‌ଙ୍କ ଘରେ ଆୟକର ଚଢ଼ଉ

ସୋନୁ ସୁଦ୍‌ଙ୍କ ଘରେ ଆୟକର ଚଢ଼ଉ

PNN - Paper News Network

ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ମୁମ୍ବାଇ ବାସଭବନ ସମେତ ୬ଟି ସ୍ଥାନରେ ଆଜି ଆୟକର ଚଢ଼ଉ ହୋଇଛି। ବଡ଼ ଧରଣର ଟିକସ ଫାଙ୍କି ଅଭିଯୋଗ ଆଧାରରେ ଆୟକର ବିଭାଗ ସୋନୁଙ୍କ ବାସଭବନ ସମେତ ଲକ୍ଷ୍ନୌ ସ୍ଥିତ ଏକ କମ୍ପାନି ଏବଂ ରିୟଲ୍‌ ଇଷ୍ଟେଟ୍‌ ଫାର୍ମ ଉପରେ ଚଢ଼ଉ କରିଛି। ଆୟକର ଅଧିକାରୀମାନେ ସୋନୁ ସୁଦ୍‌ଙ୍କ ସହିତ ସଂପୃକ୍ତ ବିଭିନ୍ନ ସଂସ୍ଥାର ଆୟ ବ୍ୟୟ, ଆକାଉଣ୍ଟ୍‌ ବୁକ୍ସ ଏବଂ କାରବାର ସଂକ୍ରାନ୍ତ ନଥିପତ୍ର ଛାନ୍‌ଭିନ୍‌ କରୁଛନ୍ତି। ଚଢ଼ଉବେଳେ କୌଣସି କାଗଜପତ୍ର ଜବତ କରାଯାଇ ନାହିଁ।

ନିକଟରେ ଦିଲ୍ଲୀରେ ଆପ୍‌ ସରକାରର ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତ ହୋଇଥିବା ସୋନୁ ବିଭିନ୍ନ ରାଜ୍ୟକୁ ଗସ୍ତ କରି ଆପ୍‌ ସରକାରର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛନ୍ତି। ବିଶେଷକରି କେଜରିୱାଲ ସରକାରଙ୍କ ‘‌ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ କ୍ୟାରିୟରକୁ ନେଇ ମାର୍ଗଦର୍ଶନ ଦିଆଯିବ। କରୋନା ସମୟରେ ସୋନୁ ସୁଦ୍‌ ହଜାର ହଜାର ଲୋକଙ୍କୁ ସହାୟତା କରିଥିଲେ। କରୋନା ସଂକ୍ରମଣ ଭଳି କଠିନ ସମୟରେ ସେ ଲୋକଙ୍କ ଘରେ ପହଞ୍ଚି ଔଷଧ ପହଞ୍ଚାଉଥିଲେ। ଏଥିପାଇଁ ଚାରିଆଡ଼ୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିଲା।

ସୋନୁଙ୍କର ଏକ ଏନ୍‌ଜିଓ ମଧ୍ୟ ଚାଲିଛି ଯାହାର ନାମ ହେଉଛି ସୁଦ୍‌ ଚାରିଟି ଫାଉଣ୍ଡେସନ। ଏହି ଏନ୍‌ଜିଓ ସ୍ବାସ୍ଥ୍ୟସେବା, ଶିକ୍ଷା, ନିଯୁକ୍ତି ଏବଂ ବୈଷୟିକ ସହଯୋଗ କ୍ଷେତ୍ରରେ କାମ କରୁଛି। ସୋନୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ମଙ୍ଗଳବାର ଟ୍ବିଟ୍‌ କରିଥିଲେ, ‘ଚଲୋ ନୟା ରାସ୍ତା ବନାଏଁ... କିସି ଔର୍‌ କେ ଲିୟେ’। ଆୟକର ଚଢ଼ଉକୁ ନେଇ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତିକିୟା ପ୍ରକାଶ କରି ଟ୍ବିଟ୍‌ କରିଛନ୍ତି, ସତ୍‌ ପଥରେ ଯିବାକୁ ହେଲେ ଅନେକ ବାଧା ସୃଷ୍ଟି ହୁଏ। କିନ୍ତୁ ସତ୍ୟର ସବୁବେଳେ ଜୟ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe