ନିର୍ଭୀକ ଓ ସ୍ପଷ୍ଟ ଜବାବ ଦେଇ ଅନେକ କଥା ଉପରୁ ପରଦା ଉଠାଇଲେ ପ୍ରଦ୍ୟୁମ୍ନ ଲେଙ୍କା

Advertisment

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ସାକ୍ଷାତ୍‌କାର/ବନ୍ଦନା ମିଶ୍ର

ନିର୍ଭୀକ ଓ ସ୍ପଷ୍ଟ ଜବାବ ଦେଇ ଅନେକ କଥା ଉପରୁ ପରଦା ଉଠାଇଲେ ପ୍ରଦ୍ୟୁମ୍ନ ଲେଙ୍କା

ଭୁବନେଶ୍ୱର: ପ୍ରଦ୍ୟୁମ୍ନ ଲେଙ୍କା ଓଡ଼ିଆ ସିନେ ଜଗତର ଜଣେ ପରିଚିତ ଚେହେରା। ଅଶୀ ଦଶକରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ପ୍ରାୟ ୪୦ ବର୍ଷ ହେବ ମନୋରଞ୍ଜନ ଦୁନିଆରେ ସକ୍ରିୟ ରହିଆସିଛନ୍ତି। କେବଳ ସିନେମା ନୁହେଁ, ଧାରାବାହିକରେ ମଧ୍ୟ ତାଙ୍କର ଚମତ୍କାର ଅଭିନୟରେ ସେ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛନ୍ତି। ସକାରାତ୍ମକ, ନକାରାତ୍ମକ ଓ ହାସ୍ୟରସ ଆଦି ଭୂମିକା ନିଭାଇବାରେ ସେ ଓସ୍ତାତ। ୧୯୮୧ ମସିହାରେ ‘ପୂଜା’ ଚଳଚ୍ଚିତ୍ରରୁ ପ୍ରଦ୍ୟୁମ୍ନ ଡେବ୍ୟୁ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ହୋମ୍‌ ପ୍ରଡକ୍ସନର ସିନେମା ‘ପୂଜା ଫୁଲ’ରେ ନାୟକ ସାଜିଥିଲେ। ସେହି ଚଳଚ୍ଚିତ୍ରରେ ତାଙ୍କ ଅଭିନୀତ ‘ରୂପ ହୋଇଥିବ ଲାବଣ୍ୟବତୀ...’ ଗୀତଟି ଏତେ ମନଛୁଆଁ ହୋଇଥିଲା ଯେ ତାହା ସବୁଦିନ ପାଇଁ ଏକ କାଳଜୟୀ ଗୀତ ହୋଇ ରହିଗଲା। ଏ ସପ୍ତାହରେ ଏପରି ଜଣେ ବହୁମୂଖୀ ପ୍ରତିଭାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର।

୧. ପ୍ରଶ୍ନ: ଶୁଣାଯାଏ ଆପଣ ନିଜର ଅଭିନୟ କରିବା ଇଚ୍ଛାକୁ ସାକାର କରିବା ଲାଗି ପ୍ରଯୋଜକ ହୋଇଥିଲେ। ଏହା କ’ଣ ସତ?
ଉତ୍ତର: ହଁ, ସତ। ପ୍ରଥମେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମୁଁ ନାଟକ କରୁଥିଲି। ବହୁ ନାଟ୍ୟ ସଂସ୍ଥା ସହ ଜଡ଼ିତ ହୋଇ ଅଭିନୟ କରୁଥିଲି। ଅଭିନୟ କରିବାଟା ଏକ ନିଶା ପାଲଟି ଯାଇଥିଲା। ଯେଉଁ କଳାକାର ମଞ୍ଚରେ ଅଭିନୟ କରେ ତା’ର ବଡ଼ ପରଦାରେ ଆସିବାର ଇଚ୍ଛା ଥାଏ। ଏହି ଇଚ୍ଛା ହିଁ ଆମର କେତେ ଜଣ ବନ୍ଧୁଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାଣ କରିବାର ଇଚ୍ଛା ସୃଷ୍ଟି କରାଇଲା।

୨.ପ୍ରଶ୍ନ: ଆପଣ ‘ପୂଜାଫୁଲ’ରେ ନାୟକ ହୋଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଚରିତ୍ର ଅଭିନୟରେ ହିଁ ଦେଖିବାକୁ ମିଳିଛନ୍ତି। ଆଉ ନାୟକ କାହିଁକି ହେଲେନି?
ଉତ୍ତର: ମୋତେ ଅନୁଭବ ହେଲା ଯେ ଜଣେ ନାୟକ ହେବା ପାଇଁ ଯାହା ସବୁ ଉପାଦାନ ଦରକାର ତାହା ମୋ ଭିତରେ ନାହିଁ। ନାୟକ ହେବାକୁ ଚେହେରା, ନାଚ ଓ ଗୀତରେ ଖାପ ପାଇପାରୁଥିବା ପରି ବ୍ୟକ୍ତିତ୍ୱ ଓ ରୋମାଣ୍ଟିକ୍‌ ଦୃଶ୍ୟ କରିବାର ମାନସିକତାରେ ମୋର ଅଭାବ ଥିଲା। ମୁଁ ଅନୁଭବ କଲି ଯେ ନାୟକ ହେବା ମୋ ପକ୍ଷେ ଉଚିତ ନୁହେଁ। ତା’ପରେ ମୁଁ ଚରିତ୍ର ଅଭିନୟକୁ ଆପଣେଇଲି।

୩. ପ୍ରଶ୍ନ: ଆପଣ ଅନେକ ଚଳଚ୍ଚିତ୍ରର ପ୍ରଯୋଜକ। ତେବେ, କେବେ ବି ନିର୍ଦ୍ଦେଶକ ହେବାର ଇଚ୍ଛା ହୋଇଛି କି?
ଉତ୍ତର: ନାଇଁ ମୁଁ କେବେ ସେକଥା ଭାବିନି। ଯେହେତୁ ଅଭିନୟ କରିବାଟା ମୋ ପାଇଁ ମୁଖ୍ୟ ଥିଲା ତେଣୁ ନିର୍ଦ୍ଦେଶନା କଥା କେବେ ମୋ ଭାବନାରେ ଆସିନି। ନାଟକରେ ମୁଁ ଅନେକ ନିର୍ଦ୍ଦେଶନା ଦେଇଛି।

publive-image facebook.com

୪.ପ୍ରଶ୍ନ: ଚଳଚ୍ଚିତ୍ର ପ୍ରଯୋଜକ ସଂଘର ଆପଣ ସଭାପତି ଥିଲେ ଯେହେତୁ ଆପଣଙ୍କ ମୁହଁରୁ ଶୁଣିବାକୁ ଚାହିଁବୁ କି ଓଡ଼ିଆ ସିନେମାର ଲୋକପ୍ରିୟତା କାହିଁକି କମୁଛି?
ଉତ୍ତର: ତାହାର ବିଭିନ୍ନ କାରଣ ଅଛି। ଏହି ଯେଉଁ ଅବକ୍ଷୟ ଘଟିିଛି ତାହା ଆଜିକାଲିର କଥା ନୁହେଁ, ଦୀର୍ଘ ୧୫ ବର୍ଷରୁ ଏପରି ଘଟିବା ଆରମ୍ଭ ହେଲାଣି। ଦର୍ଶକଙ୍କ ମାନସିକତାକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୁଏତ ଆମେ କରିପାରିନୁ। କାହାଣୀ ସେଇ ପ୍ରକାରର ହେଇନି। ଯେଉଁ ରିମେକ୍‌ ଧାରା ଆସିଲା ତାହା ହଠାତ ସଫଳତା ଆଣିଦେଲୋ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଓଡ଼ିଆ ସିନେମା ଉପରେ ତାହାର କୁପ୍ରଭାବ ପଡ଼ିଲା। ଯେହେତୁ ଆମର ବଜେଟ୍‌ କମ୍‌, ତେଣୁ ଆମେ ମୂଳ ଚଳଚ୍ଚିତ୍ର ତୁଳନାରେ ଠିକ୍‌ ଭାବେ ଉପସ୍ଥାପନ କରିପାରୁନା । ତା’ପରେ ଅନ୍ୟ ଏକ କାରଣ ହେଉଛି ଟେଲିଭିଜନରେ ସିନେମା ପ୍ରସାରଣ । ଦର୍ଶକମାନେ ଯେତେବେଳେ ଜାଣିପାରୁଛନ୍ତି ଯେ ଆଜି ରିଲିଜ୍‌ ହୋଇଥିବା ଫିଲ୍ମଟି ୩ ମାସ ପରେ ଟିଭିରେ ଆସିବ ତେବେ ସେମାନେ କାହିଁକି ଟଙ୍କା ଖର୍ଚ୍ଚ କରିବେ?

୫.ପ୍ରଶ୍ନ: ଶଣୁିବାକୁ ମିଳେ ଆପଣ ଜଣେ ଅଦର୍ଶ ଅଧ୍ୟାପକ। ଅଭିନୟରେ ସକ୍ରିୟ ରହି ମଧ୍ୟ କେବେ ବି କାର୍ଯ୍ୟ ବ୍ୟସ୍ତତାର ଦ୍ୱାହି ଦେଇ ଅଧ୍ୟାପନାରେ ହେଳା କରିନାହାନ୍ତି। ତେବେ ଆପଣଙ୍କର ନିଜ ସଂପର୍କରେ କ’ଣ ଧାରଣା? ନିଜକୁ ଜଣେ ଭଲ ଅଭିନେତା, ପ୍ରଯୋଜକ ନା ଅଧ୍ୟାପକ ଭାବେ ଦେଖନ୍ତି?
ଉତ୍ତର: ଭଲ ପ୍ରଯୋଜକ ଭାବେ ମୁଁ ନିଜକୁ କେବେ ଦେଖିନି। କାହିଁକି ନା ଏକ୍ଷେତ୍ରରେ ମେତେ ସେତେ ସଫଳତା ମିଳିନାହିଁ। ମୋ ଅଧ୍ୟାପନା ଓ ଅଭିନୟକୁ ନେଇ ମୁଁ ସନ୍ତୁଷ୍ଟ। ଅଧ୍ୟାପନା ମୋର କେବଳ ପେସା ନୁହେଁ ବରଂ ନିଶା ବି ଥିଲା। ମୁଁ ଅଧ୍ୟାପକ ଥିବା ବେଳେ ମୋ କାର୍ଯ୍ୟକୁ ମୁଁ ଖୁବ୍‌ ଭଲପାଉଥିଲି। ମୋ କର୍ତ୍ତବ୍ୟରେ ମୁଁ କେବେ ଅବହେଳା କରିନାହିଁ।

୬. ପ୍ରଶ୍ନ: ଆପଣଙ୍କ ବିପକ୍ଷରେ ଅଧିକାଂଶ ସମୟରେ ନମ୍ରତା ଦାସ ନଜର ଆସିଛନ୍ତି। ତାଙ୍କ ବ୍ୟତୀତ ଆଉ କେଉଁ ମହିଳା ସହ-କଳାକାରଙ୍କ ସହ ଅଭିନୟ କରିବାକୁ ଆପଣଙ୍କୁ ଭଲ ଲାଗେ?
ଉତ୍ତର: ମୋ ସହ ଅନେକ ଅଭିନେତ୍ରୀ ଅଭିନୟ କରିଛନ୍ତି। ନମ୍ରତା ଆଉ ମୁଁ ମଞ୍ଚରୁ ସାଙ୍ଗ ହୋଇ ଅଭିନୟ କରିଆସିଛୁ। ତାଙ୍କ ବ୍ୟତୀତ ସାଧନା ଦାସ(ରୁନୁ), ସେ ତ ଆଉ ଆଜି ନାହାନ୍ତି। ତାଙ୍କ ସହ ମଧ୍ୟ ମୁଁ ମଞ୍ଚରୁ ଅଭିନୟ ଆରମ୍ଭ କରିଥିଲି। ଏଇ ଦୁଇ ଜଣଙ୍କ ସହ ଅନେକ କାମ କରିବାର ସୁଯୋଗ ପାଇଛି। ମାତ୍ର, ଅନିତା ଦାସ, ପ୍ରତିଭା ପଣ୍ଡା, ବୀଣା ମହାରଣା, ପୁଷ୍ପା ପଣ୍ଡା, ତନ୍ଦ୍ରା ରାୟ ଓ ଅପରାଜିତା ମହାନ୍ତି ଆଦିଙ୍କ ସହ ବି ମୋତେ ଅଭିନୟ କରିବାର ସୁଯୋଗ ମିଳିଛି।

୭. ପ୍ରଶ୍ନ: ରାତିପାହିଲେ ନୂଆବର୍ଷ। ଆପଣଙ୍କୁ ନବବର୍ଷର ଶୁଭେଚ୍ଛା। ନବବର୍ଷ ଅବସରେ ଆପଣଙ୍କ ପ୍ରଶଂସକମାନଙ୍କୁ କ’ଣ କହିବେ?
ଉତ୍ତର: ନୂତନବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ। ସମସ୍ତେ ନିଜ ନିଜ ପରିବାର ସହ ଖୁସିରେ, ଶାନ୍ତିରେ ରୁହନ୍ତୁ ବୋଲି ମୋର କାମନା। ଆଶା କରିବି ଯେ ୨୦୨୦ ମସିହା ଓଡ଼ିଆ ସିନେଜଗତ ପାଇଁ କିଛି ନୂଆ ଫଳ ନେଇ ଆସୁ। ୨୦୧୯ ମସିହାଟି ସିନେ ଜଗତ ପାଇଁ ଆଦୌ ବି ଶୁଭଙ୍କର ନ ଥିଲା। କୌଣସି ଚଳଚ୍ଚିତ୍ର ବ୍ୟବସାୟିକ ଢଙ୍ଗରେ ସଫଳତା ହାସଲ କରିନାହିଁ। ୨୦୨୦ ସେ ସବୁ କ୍ଷତି ଭରି ଦେଉ, ଏକ ନୂତନ ସଫଳତା ଆଣି ଦେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା ସେ ସମସ୍ତଙ୍କୁ ଖୁସି ଓ ସମୃଦ୍ଧି ଓଜାଡ଼ି ଦିଅନ୍ତୁ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ସାମିଲ୍‌ ହୋଇଥିବାରୁ ଆପଣଙ୍କୁ ସମ୍ବାଦ.ଇନ୍‌ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ୨୦୨୦ ଆପଣଙ୍କ ପାଇଁ ନୂଆ ଆଶା ଓ ନୂଆ ସମ୍ଭାବନାର ବର୍ଷ ହେଉ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe