ବଲିଉଡ୍ ଓ ହଲିଉଡ୍ ପ୍ରାୟତଃ ସମାନ; କିନ୍ତୁ  କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ: ପ୍ରେମ ପରିଜା

Advertisment
ବଲିଉଡ୍ ଓ ହଲିଉଡ୍ ପ୍ରାୟତଃ ସମାନ; କିନ୍ତୁ  କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ: ପ୍ରେମ ପରିଜା

ସ୍ୱପ୍ନ ଦେଖିବା ସହଜ ହେଲେ ତାକୁ ବାସ୍ତବ ରୂପ ଦେବାରେ ବହୁ କଷ୍ଟକୁ ସାମ୍ନା କରିବାକୁ ପଡ଼େ। ଏଥିପାଇଁ ଖୁବ୍‌ କମ୍‌ ଲୋକ ସାହସ କରନ୍ତି। ସେହିପରି ଜଣେ ଓଡ଼ିଆ ଯୁବ ପ୍ରତିଭା ହେଉଛନ୍ତି ପ୍ରେମ୍‌ ପରିଜା। ଏକ ଅସାଧାରଣ ସ୍ୱପ୍ନ ନେଇ ସେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ଭୁବନେଶ୍ୱରରେ ଜନ୍ମିତ ପ୍ରେମ୍‌  ଖୁବ୍‌ କମ୍‌ ବୟସରୁ ବଲିଉଡ୍‌ ଅଭିନେତା ହେବାର ସ୍ୱପ୍ନ ଦେଖିଥିଲେ। ଭୁବନେଶ୍ୱରର ସେଣ୍ଟ୍‌ ଜୋସେଫ୍‌ ସ୍କୁଲ୍‌ରେ ଅଧ୍ୟୟନ ପରେ ସେ ଉଚ୍ଚଶିକ୍ଷା କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଚାଲିଯାଇଥିଲେ। ତଥାପି ସେ ଅଭିନୟ ନିଶା ପରିତ୍ୟାଗ କରି ନ ଥିଲେ। ପଢ଼ା ସାରି ଭାଗ୍ୟ ପରୀକ୍ଷା ଲାଗି ଆସିଲେ ବଲିଉଡ୍। ଅଭିନୟ ବ୍ୟତୀତ ସିନେମା ନିର୍ମାଣ ଶୈଳୀ ସଂପର୍କରେ ଜ୍ଞାନ ଆହରଣ ଲାଗି  ସେ ବଲିଉଡ୍‌ରେ ଜଣେ ସହ-ନିର୍ଦ୍ଦେଶକ ଭାବେ କାମ କଲେ। ୨୦୧୪ରେ ଅର୍ସାଦ ୱାର୍ସି ଅଭିନୀତ  ‘ୱେଲ୍‌କମ୍‌ ଟୁ କରାଚି’, ଏବଂ ପରେ ‘ହମାରି ଅଧୁରି କାହାନୀ’, ‘ସତ୍ୟମେବ ଜୟତେ’ ଓ ‘ବାଜାର୍‌’ ଆଦି ହିନ୍ଦୀ ସିନେମାରେ କାମକଲେ। ଏହାପରେ  ନେଟଫ୍ଲିକ୍ସର ଧାରାବାହିକ ‘ସେନ୍ସ ୮’ ଏବଂ ‘ବାଟ୍‌ଲା ହାଉସ୍‌’ରେ କାମ କରି ହଲିଉଡରେ ପ୍ରବେଶ କଲେ । ତାଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର।

ବଲିଉଡ‌ରେ  ଆପଣ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି। ଏଥିସହ ସିନେମା ନିର୍ମାଣର କୌଶଳରେ ମଧ୍ୟ ସିଦ୍ଧହସ୍ତ ହେଇଗଲେଣି। ଜଣେ ନିର୍ଦ୍ଦେଶକ ଭାବେ ଆପଣ ନିଜ ଅଭିନୟକୁ କେଉଁ ସ୍ତରର ବୋଲି ବିଚାର କରନ୍ତି?
ମୋ ଅଭିନୟ କେଉଁ ସ୍ତରର ତାହା ମୁଁ ନିଜେ ବିଚାର କରିବା ଅସମ୍ଭବ। ଲୋକେ ମୋ ଅଭିନୟକୁ ଦେଖିଲେ ଯାଇ ସେ ସଂପର୍କରେ ମତାମତ ରଖିବେ। ମୋ ମତରେ ଦର୍ଶକମାନେ ହିଁ ଶ୍ରେଷ୍ଠ ବିଚାରକ। ସେମାନେ ହିଁ ମୋ ଅଭିନୟର ମାନ ନିର୍ଦ୍ଧାରଣ କରିପାରିବେ।
ହଲିଉଡ୍‌ରେ ଆପଣ କିପରି ପାଦ ଥାପିଲେ?
ମୁଁ ଗୋଟିଏ ବିଜ୍ଞାପନରେ କାମ କରିବା ସମୟରେ ମୋର ମନହର ନାମ୍ନୀ ଜଣେ ମହିଳାଙ୍କ ସହ ପରିଚୟ ହୋଇଥିଲା। ସେ ମୋ କାମକୁ ସମ୍ଭବତଃ ପସନ୍ଦ କରିଥିଲେ, ସେଥିପାଇଁ ‘ସେନ୍ସ ୮’ରେ ମୋତେ ସୁଯୋଗ ଦେଲେ।
ହଲିଉଡ୍‌, ବଲିଉଡ୍‌ ଠାରୁ କେତେ ଭିନ୍ନ?
ସତ କହିବାକୁ ଗଲେ ଦୁଇଟି ଯାକ ସିନେଶିଳ୍ପ ପ୍ରାୟ ସମାନ। କିନ୍ତୁ ‘ସେନ୍ସ ୮’ର ଟିମ୍‌ ସାଙ୍ଗେ କାମ କଲାବେଳେ ମୁଁ ମୋ କାମକୁ ବେଶ୍‌ ଉପଭୋଗ କରିଛି। ସେମାନଙ୍କ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଓ ସୁନିୟନ୍ତ୍ରିତ।
ଆପଣ ନାଟକରେ ମଧ୍ୟ କାମ କରିଛନ୍ତି। ନାଟକ ଓ ଚଳଚ୍ଚିତ୍ର ମଧ୍ୟରେ କ’ଣ ପ୍ରଭେଦ ରହିଛି?
ନାଟକ ଭଳି ସିନେମାରେ ନିରବଚ୍ଛିନ୍ନ ଆବେଗର ପ୍ରବାହ ନ ଥାଏ। ଚଳଚ୍ଚିତ୍ର ନିର୍ମାଣରେ ବେଳେ ବେଳେ ଶେଷ ଅଂଶଟିର ସୁଟିଂ ପ୍ରଥମେ ହୋଇଯାଇଥାଏ। ତେଣୁ ଚଳଚ୍ଚିତ୍ର ନିର୍ମାଣ ଅପେକ୍ଷାକୃତ କଠିନ ବୋଲି ମୋର ଅନୁଭବ।
ଆପଣ ନ୍ୟୁୟର୍କସ୍ଥିତ ଲି ଷ୍ଟ୍ରସ୍‌ବର୍ଗ ଅଫ୍‌ ଥିଏଟରରୁ ମେଥଡ୍‌ ଆକ୍ଟିଙ୍ଗ୍‌ର ପ୍ରଶିକ୍ଷଣ ନେଇଛନ୍ତି। ସେ ସମ୍ପର୍କରେ କିଛି କହନ୍ତୁ।
ସେଠାରେ ଚାରିମାସର ପ୍ରଶିକ୍ଷଣ ମୋ ଜୀବନର ଶ୍ରେଷ୍ଠ ଅନୁଭୂତି ମଧ୍ୟରୁ ଗୋଟିଏ। ଏହାଛଡ଼ା ‘ବାଟ୍‌ଲା ହାଉସ୍‌’ ନିର୍ମାଣ ସମୟରେ ନିର୍ଦ୍ଦେଶକ ନିଖିଲ୍‌ ଆଡଭାନୀଙ୍କ ଠାରୁ ମୁଁ ଅନେକ କିଛି ଶିଖିବାକୁ ପାଇଛି, ଯାହା ମୋର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି।
ବଲିଉଡ୍‌ରେ ପରିବାରବାଦ କେତେ ମାତ୍ରାରେ ପ୍ରଭାବ ବିସ୍ତାର କରିଛି ବୋଲି ଆପଣ ଭାବନ୍ତି?
ମୁଁ ନିଖିଲ୍‌ ଆଡଭାନୀ, ମଧୁ ଭୋଜଓ୍ଵାନୀ ଓ ମନୀଷା ଆଡଭାନୀଙ୍କ ପରି ଉତ୍ତମ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରିଛି ଯେଉଁମାନେ କେବଳ ଦକ୍ଷତା ଉପରେ ବିଶ୍ୱାସ କରନ୍ତି।
ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟରେ ଆପଣ କେଉଁଟିକୁ ଅଧିକ ଭଲ ପାଆନ୍ତି?
ନିଶ୍ଚିତ ଭାବେ ଅଭିନୟ।

publive-image ଅଭିନେତା ଜନ୍ ଆବ୍ରାହମଙ୍କ ସହ ପ୍ରେମ୍ (ମଝି)

ଆପଣ ଭୁବନେଶ୍ୱରରେ ଜନ୍ମ ହୋଇ ବଡ଼ ହେଲେ କିନ୍ତୁ କର୍ମକ୍ଷେତ୍ର ଭାବେ ବଲିଉଡ୍‌କୁ କାହିଁକି ବାଛିଲେ?
ମୋର ପିଲାଦିନରୁ ବଲିଉଡ୍‌ରେ ହିଁ କାମ କରିବାର ସ୍ୱପ୍ନ ଥିଲା।
ଓଲିଉଡ୍‌ରେ ଆପଣଙ୍କୁ ସୁଯୋଗ ମିଳିଲେ କାମ କରିବେ?
ବର୍ତ୍ତମାନ ମୁଁ କେବଳ ବଲିଉଡ୍‌ରେ ମନୋନିବେଶ କରୁଛି। ତେଣୁ ଏବେ ପାଇଁ, ନା।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପର୍କରେ ଆପଣ କ’ଣ ଭାବନ୍ତି?
ନିକଟରେ ମୁଁ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ କିଛି ଓଡ଼ିଆ ଚଳଚ୍ଚିତ୍ର ବିଷୟରେ କଥା ହେଉଥିଲି। ମୋତେ ଏହା ଜାଣି ଖୁସି ଲାଗିଲା ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନୁଭବ ଓ ସବ୍ୟସାଚୀଙ୍କ ପରି ତାରକାଙ୍କୁ ନେଇ ଅନେକ ଭଲ ଚଳଚ୍ଚିତ୍ର ନିର୍ମାଣ ହେଉଛି।
ଆପଣ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତି ?
ମୁମ୍ବାଇ ପ୍ରେକ୍ଷାଳୟ ଗୁଡ଼ିକରେ ଓଡ଼ିଆ ଫିଲ୍ମ ପଡ଼େନାହିଁ, ତେଣୁ ଦେଖିପାରେ ନାହିଁ।
ଆପଣଙ୍କ ପ୍ରିୟ ଓଡ଼ିଆ ଚଳଚ୍ଚିତ୍ର କ’ଣ?
‘ଧର୍ମ ଦେବତା’ ଓ ‘କଣ୍ଢେଇ ଆଖିରେ ଲୁହ’।
ଆପଣ ଶାହାରୁଖ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କର କେଉଁ କଥା ଆପଣଙ୍କୁ ପ୍ରେରଣା ଦେଇଥାଏ?
ତାଙ୍କର ଏମିତି କିଛି କଥା ନାହିଁ ଯାହା ମୋତେ ପ୍ରେରଣା ଦେଇ ନ ଥାଏ। ସେ ହିଁ ମୋ ବଲିଉଡ୍‌ ସ୍ୱପ୍ନ ଦେଖିବାର କାରଣ।
ଆପଣ କେତେଥର ଭୁବନେଶ୍ୱର ଆସନ୍ତି?
ଆଗରୁ ମୁଁ ବର୍ଷକୁ ଥରେ ଦୁଇଥର ଆସୁଥିଲି। ହେଲେ ଏବେ ବାପାଙ୍କ ଦେହାନ୍ତ ପରେ ମୋତେ ବେଶି ଥର ଘରକୁ ଆସିବାକୁ ପଡୁଛି।
ଆପଣ କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ସବୁଠାରୁ ବେଶି ଭଲ ପାଆନ୍ତି?
ନିଖିଲ୍‌ ଆଡଭାନୀ।
ଭବିଷ୍ୟତରେ କେଉଁସବୁ ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିବାକୁ ଚାହାନ୍ତି?
ସର୍ବପ୍ରଥମେ ଶାହାରୁଖ୍‌ ଖାନ୍‌ଙ୍କ ସହ, କାରଣ ସେ ମୋ ଆଦର୍ଶ। ଦ୍ୱିତୀୟରେ ଜନ୍‌ ଆବ୍ରାହମ୍‌ କାରଣ ସେ ଖୁବ୍‌ ଭଲ ଓ ପେସାଦାର। ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe