ଆଗେ ନିର୍ଦ୍ଦେଶକ ପରେ ଖଳନାୟକ

ଓଡ଼ିଆ ସିନେଜଗତରେ ଏମିତି କିଛି ସଫଳ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଅଭିନୟରୁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଆମେ ପ୍ରଶାନ୍ତ ନନ୍ଦ, ସାଧୁ ମେହେର, ମହମ୍ମଦ ମହସୀନ୍, ହର ପଟ୍ଟନାୟକ, ଶ୍ରୀତମ୍ ଦାସ ଓ ରାଜୀବ ମହାନ୍ତି ପ୍ରମୁଖଙ୍କୁ ଅନ୍ତର୍ଭୁକ୍ତ କରିପାରିବା।

dagadg

ଓଡ଼ିଆ ସିନେଜଗତରେ ଏମିତି କିଛି ସଫଳ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ଅଭିନୟରୁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଆମେ ପ୍ରଶାନ୍ତ ନନ୍ଦ, ସାଧୁ ମେହେର, ମହମ୍ମଦ ମହସୀନ୍, ହର ପଟ୍ଟନାୟକ, ଶ୍ରୀତମ୍ ଦାସ ଓ ରାଜୀବ ମହାନ୍ତି ପ୍ରମୁଖଙ୍କୁ ଅନ୍ତର୍ଭୁକ୍ତ କରିପାରିବା। ହେଲେ ଏମିତି କିଛି ଲୋକପ୍ରିୟ ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନଙ୍କୁ ନିର୍ଦ୍ଦେଶନା ପରବର୍ତ୍ତୀ ସମୟରେ ଅଭିନେତା ଭାବେ ବିଭିନ୍ନ ସିନେମାରେ ଦେଖିବାକୁ ମିଳିଛି। ଏମାନଙ୍କ ଭିତରୁ କେତେକଙ୍କ ଖଳନାୟିକୀ ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି  ନିର୍ଦ୍ଦେଶକ-ଅଭିନେତାଙ୍କ ସଂପର୍କରେ କିଛି କଥା।

ଗୋଟିଏ ଚଳଚ୍ଚିତ୍ରରେ କ୍ୟାମେରା ସାମ୍ନାରେ କାମ କରୁଥିବା କଳାକାରମାନେ ସ୍ବାଭାବିକ ଭାବେ ଅଧିକ ଦର୍ଶକୀୟ ଶ୍ରଦ୍ଧା ଓ ସମର୍ଥନ ପାଇଥାଆନ୍ତି। କିନ୍ତୁ ଛବିର ସଫଳତା ପଛରେ କ୍ୟାମେରା ପଛରେ ରହି ସବୁକିଛି ପରିଚାଳନା କରୁଥିବା ନିର୍ଦ୍ଦେଶକଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଅନେକ ସମୟରେ ଏହି ନିର୍ଦ୍ଦେଶକମାନେ ରଙ୍ଗମାଖି ଅଭିନୟ କରିବାକୁ ବି ଚାଲିଆସନ୍ତି, ଆଉ ଦର୍ଶକଙ୍କୁ ଆମୋଦିତ କରନ୍ତି। ଆସନ୍ତୁ ସେମାନଙ୍କ ମଧ୍ୟରୁ ଚର୍ଚ୍ଚାରେ ଥିବା କେତେଜଣଙ୍କୁ ଭେଟିବା।    

ସୁଧାଂଶୁ ମୋହନ ସାହୁ 
ଓଲିଉଡ୍‌ର ଜଣେ ଆଗଧାଡ଼ିର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ। ତାଙ୍କ ନିର୍ଦ୍ଦେଶିତ ଦୁଇଟି ଓଡ଼ିଆ ଛବି ‘ଆଇ ଲଭ୍‌ ୟୁ ୨’ ଓ ‘ଆଶ୍ରମ’ ଚଳିତ ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଚର୍ଚ୍ଚାରେ ରହିବା ସ୍ବାଭାବିକ। ସୁଧାଂଶୁଙ୍କୁ ନିଜ ନିର୍ଦ୍ଦେଶିତ କେତୋଟି ଓଡ଼ିଆ ଛବିରେ ଅଭିନୟ କରିବା ମଧ୍ୟ ଦେଖାଯାଇଛି। ସେତିକି ନୁହେଁ, ଅନ୍ୟ ନିର୍ଦ୍ଦେଶକଙ୍କ ସିନେମାରେ ବି ନଜର ଆସିଛନ୍ତି ସେ। ଆଉ ଅଧିକାଂଶ ସିନେମାରେ ଖଳନାୟକ ବା ନେଗେଟିଭ୍ ରୋଲ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ସୁଧାଂଶୁ। ନିଜ ନିର୍ଦ୍ଦେଶିତ ‘ସହର ଜଳୁଛି’, ‘ସମୟ ଖେଳୁଛି ଚକାଭଉଁରୀ’ ଓ ‘ଡନ୍’ ଆଦି ଓଡ଼ିଆ ଛବିରେ ଖଳନାୟିକୀ କରିଛନ୍ତି ସେ । ତେଣେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ତୋର ମୋର କଟି’ ଏବଂ ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ବିଦ୍ୟାରାଣ’ରେ ବି ସେ ବନିଥିଲେ ଖଳନାୟକ।

ତାପସ ସରଘରିଆ 
ଏଣେ ଆଉଜଣେ ନାମକରା ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ନୂଆ ସିନେମା ‘ଦୁର୍ଗା’ ଦଶହରାରେ ମୁକ୍ତିଲାଭ କରୁଥିବାରୁ ସେ ବି କମ୍ ଚର୍ଚ୍ଚାରେ ନାହାନ୍ତି। ସେ ମଧ୍ୟ କେତୋଟି ଓଡ଼ିଆ ଛବିରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଗତ ରଜରେ ମୁକ୍ତିଲାଭ କରିଥିବା ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ତାଙ୍କ ଖଳନାୟିକୀ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଜଣେ ମାଫିଆ ଭୂମିକାରେ ସେ ଏଥିରେ ଅଭିନୟ କରିଥିଲେ। ଏଥିରେ ତାପସଙ୍କ ସଂଳାପ ଶୈଳୀ ବେଶୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପୁଣି ତାପସ ସରଘରିଆ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘କର୍ମ’ରେ ଅଭିନୟ କରିଥିବା ଜଣାଯାଇଛି। ଏହି ସିନେମାରେ ବି ତାଙ୍କୁ ନେଗେଟିଭ୍ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ।

ସୁଧାକର ବସନ୍ତ
ଠିକ୍ ସେହିପରି କୋରିଓଗ୍ରାଫର୍‌ରୁ ନିର୍ଦ୍ଦେଶକ ବନିଥିବା ସୁଧାକର ବସନ୍ତଙ୍କୁ ବି ଆମେ ଏହି ବର୍ଗରେ ସାମିଲ୍‌ କରିପାରିବା। ବହୁ ଓଡ଼ିଆ ସିନେମାର ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କର ଓଡ଼ିଆ ଛବି ‘ହିଟ୍‌ଲର୍’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ଖଳନାୟିକୀ ବି ବଡ଼ ପରଦାରେ ଦେଖିବାକୁ ମିଳିଛି। ସେ ନିଜ ନିର୍ଦ୍ଦେଶିତ ‘ଗଞ୍ଜା ଲଢ଼େଇ’ରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାଛଡ଼ା ‘ଆଶିକ୍’, ‘କିଏ ଦେବ ଟକ୍କର’, ‘ବୋବାଲ ଟୋକା’, ‘ଚୁଲ୍‌ବୁଲ୍ ପାଣ୍ଡେ’ ଭଳି ଓଡ଼ିଆ ଛବିରେ ସୁଧାକରଙ୍କ ଖଳନାୟିକୀ ରହିଛି। 

ରାଜା.ଡି 
ସଂପ୍ରତି ‘ଘମାଘୋଟ’ ଶୀର୍ଷକରେ ଏକ ଜବରଦସ୍ତ ଆକ୍‌ସନ୍ ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ରାଜା.ଡି। ଆଗରୁ ‘ପ୍ରସ୍ଥାନମ୍’, ‘ଆଶିକ୍ ସରେଣ୍ଡର୍‌ ହେଲା’ ଓ ‘ଦଶମ’ ଭଳି ସିନେମାର ନିର୍ଦ୍ଦେଶକ ରାଜା.ଡି ପରଦାରେ ନିଜର ଖଳନାୟିକୀ ଦେଖାଇଛନ୍ତି। ସେ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ମହିଷାସୁର’ରେ ଖଳନାୟକ ଭାବେ ଦମ୍‌ଦାର୍‌ ଅଭିନୟ କରିଛନ୍ତି । ଏଥିରେ ଜଣେ ଆତଙ୍କବାଦୀ ଚରିତ୍ରରେ ନଜର ଆସିଥିଲେ ସେ। ଏହାଛଡ଼ା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ପାପ’ରେ ମଧ୍ୟ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାଜା। ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ଉଲ୍ଲେଖ ବିନା ଏହି ଆଲେଖ୍ୟଟି ନିଶ୍ଚିତ ଭାବେ ଅସଂପୂର୍ଣ୍ଣ। ସେ ନିଜ ନିର୍ଦ୍ଦେଶିତ ଅଧିକାଂଶ ସିନେମାରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି। ହେଲେ ସେ ଧୀର ବିଶ୍ବାଳଙ୍କ ପ୍ରଯୋଜିତ ତଥା ସ୍ବନିର୍ଦ୍ଦେଶିତ ‘ସୁନାଭାଉଜ’ ସିନେମାରେ ଖଳନାୟକ ଭାବେ ଉଭା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe