ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ'ର ଟ୍ରେଲର ମୁକ୍ତିଲାଭ କରିଛି। ଯାହାକୁ ତାଙ୍କ ପ୍ରଶଂସକମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ। ଏହି ଫିଲ୍ମ ଆସନ୍ତା ସପ୍ତାହରେ ୭ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ। ଆଜି ୩୧ ଅଗଷ୍ଟରେ ଏହାର ଟ୍ରେଲର ସୋସିଆଲ ମିଡିଆରେ ଚହଳ ପକାଇଛି।
ଚଳିତବର୍ଷ ଜାନୁଆରିରେ ମୁକ୍ତିଲାଭ କରିଥିବା ଶାହରୁଖଙ୍କ ଅଭିନୀତ ଫିଲ୍ମ 'ପଠାନ' ଜବରଦସ୍ତ ହିଟ୍ ହୋଇଥିବା ବେଳେ କିଙ୍ଗ୍ଖାନ୍ଙ୍କୁ ପୁଣି ସେହି ଭୟଙ୍କର ଶୈଳୀରେ ଦେଖିବାକୁ ମିଳିଛି। ବାସ୍ତବରେ ଅନେକ କ୍ଷେତ୍ରରେ ଏହି ଚଳଚ୍ଚିତ୍ର ଆଗରେ ରହିପାରେ ବୋଲି ଆଶା କରାଯାଉଛି।
ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତି ବିଶ୍ୱର ଚତୁର୍ଥ ବୃହତ୍ତମ ଅସ୍ତ୍ର ବିକ୍ରେତା ଭାବରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଛନ୍ତି। ଦର୍ଶକମାନେ ‘ଯବାନ’ର ଏହି ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଲୋକମାନେ ଟ୍ୱିଟର ଏବଂ ୟୁଟ୍ୟୁବରେ ନିଜର ମତାମତ ଦେଉଛନ୍ତି। ଏହି ଟ୍ରେଲରକୁ ୩୦ ମିନିଟରେ ୧.୨ ମିଲିୟନ୍ ଭ୍ୟୁ ମିଳିଛି।
କିଛି ଘଣ୍ଟା ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ୨ ମିନିଟ ୪୫ ସେକେଣ୍ଡର ଟ୍ରେଲରରେ ଶାହରୁଖ ଖାନଙ୍କ ଅନେକ ଭିନ୍ନ ରଙ୍ଗ ଦେଖିବାକୁ ମିଳିଛି। ବେଳେବେଳେ ସେ ଜଣେ ପୁଲିସ୍ ଭୂମିକାରେ ଏବଂ ପୁଣି କେବେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି।
ଟ୍ରେଲରକୁ ଦେଖି ଏଥିରେ 'ପଠାନ'ର ସ୍ପର୍ଶ ମଧ୍ୟ ବୁଝାପଡୁଛି। ଦୀପିକା ପାଦୁକୋନଙ୍କ ପ୍ରବେଶ ଫିଲ୍ମକୁ ଆହୁରି ଆକର୍ଷଣୀୟ କରିବ ବୋଲି ଅଶା କରାଯାଉଛି। ଟ୍ରେଲର ଦେଖିବା ପରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ହେ ଭଗବାନ! ଏହା ହେଉଛି ଏହି ଶତାବ୍ଦୀର ସବୁଠାରୁ ଚମତ୍କାର ଟ୍ରେଲର।’’ ଶାହାରୁଖ ଖାନଙ୍କ ଚମତ୍କାର ଦୃଶ୍ୟ ଲୋକମାନଙ୍କୁ ଥିଏଟର ଯିବାକୁ ପାଗଳ କରିବ ନିଶ୍ଚୟ।
Follow Us