The Asian Age
ସିନେମା କଳାକାରଙ୍କୁ ସ୍ବାଗତମ୍, ଶୁଭେଚ୍ଛା, ଅଭିନନ୍ଦନ ଅଥବା ଧନ୍ୟବାଦ କହିଥିବାର ଆପଣ ଶୁଣିଥିବେ, ହେଲେ ‘ଯୁଗ୍ ଯୁଗ୍ ଜିଓ’ ଭଳି ଆଶୀର୍ବାଦ ପୂର୍ବକ ଶବ୍ଦ ଶୁଣି ନ ଥିବେ। ପଞ୍ଜାବ ଅକାଳୀ ଦଳର ପ୍ରବକ୍ତା ମନଜିନ୍ଦର ସିଂହ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଏଭଳି ଆଶୀର୍ବାଦ ଦେଇଛନ୍ତି। ସାରା ଦେଶ ଏବେ କୋଭିଡ୍ ସଂକ୍ରମଣରେ ଅସ୍ତବ୍ୟସ୍ତ ହେଉଥିବା ବେଳେ କେତେଜଣ ସେଲିବ୍ରିଟି ସାଧାରଣ ଲୋକ ତଥା କୋଭିଡ୍ ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ରୋହିତ ମଧ୍ୟ ଏକ ଆଖିଦୃଶିଆ ସହାୟତା ପ୍ରଦାନ କରିଛନ୍ତି। ରୋହିତ ପଞ୍ଜାବର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ୨୫୦ ସିଟ୍ ବିଶିଷ୍ଟ ଏକ ହସପିଟାଲ୍ ନିର୍ମାଣ କରି ପଞ୍ଜାବ ସରକାରଙ୍କୁ ଦାନ କରିଛନ୍ତି।
ମନଜିନ୍ଦର କହିଛନ୍ତି, ‘ରୋହିତ ପରଦା ଉପରେ ଖତ୍ରୋଁ କା ଖିଲାଡ଼ି ହେଇପାରନ୍ତି, ହେଲେ ପରଦା ପଛରେ ସେ ହେଉଛନ୍ତି ପରମ ଦୟାଳୁ ଯାହାଙ୍କ ଭିତରେ ସତେଜ ମଣିଷପଣିଆ ରହିଛି।’ ପୂର୍ବରୁ ରୋହିତ ଦିଲ୍ଲୀରେ ଥିବା ଗୁରୁ ତେଜ୍ ବାହାଦୁର କୋଭିଡ୍ ହସପିଟାଲ୍ ପାଇଁ ଦାନ କରିଆସୁଥିଲେ। ଏବେ ପଞ୍ଜାବ ପାଇଁ ସ୍ବତନ୍ତ୍ର ଭାବେ ଏକ କୋଭିଡ୍ ହସପିଟାଲ ପ୍ରତିଷ୍ଠା କରି ତାଙ୍କ ମାନିବିକତାର ପରିଚୟ ଦେଇଛନ୍ତି। ଜମିନ, ଗୋଲ୍ମାଲ୍, ଗୋଲ୍ମାଲ୍ ରିଟର୍ଣ୍ଣସ୍, ଅଲ୍ ଦ ବେଷ୍ଟ୍, ଗୋଲ୍ମାଲ୍-୩, ସିଙ୍ଘମ୍, ବୋଲ୍ ବଚ୍ଚନ, ଚେନ୍ନାଇ ଏକ୍ସପ୍ରେସ୍, ସିଙ୍ଘମ୍ ରିଟର୍ଣ୍ଣସ୍, ଦିଲ୍ୱାଲେ, ଗୋଲ୍ମାଲ୍ ଏଗେନ୍ ଓ ସିମ୍ବା ପରି ସଫଳ ସିନେମାର ନିର୍ଦ୍ଦେଶକ ରୋହିତ ଟେଲିଭିଜନ୍ରେ ପ୍ରସାରିତ ‘ଖତ୍ରୋଁ କା ଖିଲାଡ଼ି ଜରିଆରେ ଅଧିକ ଲୋକପ୍ରିୟ ହେଇଛନ୍ତି। ଏବେ ସେ ‘ସୂର୍ଯ୍ୟବଂଶୀ’ ଓ ‘ସର୍କସ୍’ ଭଳି ବିଗ୍ ବଜେଟ୍ ଓ ବିଗ୍ ଷ୍ଟାରର୍ ଫିଲ୍ମ ପ୍ରସ୍ତୁତ କରୁଛନ୍ତି।
Follow Us