ମୁମ୍ବାଇ: ରାଜନୀତି ପାଇଁ ମୋର ଫିଲ୍ମ କ୍ୟାରିୟର ପ୍ରଭାବିତ ହେଉଛି। ଏଭଳି କହି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ-ରାଜନେତ୍ରୀ କଙ୍ଗନା ରାନାୱତ । ଲୋକସଭା ନିର୍ବାଚନ ୨୦୨୪ରେ ହିମାଚଳର ମଣ୍ଡିରୁ ନିର୍ବାଚନ ଲଢ଼ି ସାଂସଦ ହୋଇଛନ୍ତି କଙ୍ଗନା। ସାଂସଦ ହେବା ପରେ କଙ୍ଗନା ନିଜ ନିର୍ବାଚନ ମଣ୍ଡଳୀର ଦାୟିତ୍ବ ବୁଝିବାରେ ବ୍ୟସ୍ତ। କାର୍ଯ୍ୟବ୍ୟସ୍ତତା ହେତୁ ଏବେ ସେ ନିଜ ଫିଲ୍ମ କ୍ୟାରିୟରକୁ ସମୟ ଦେଇପାରୁନାହାନ୍ତି। ଏହି କାରଣରୁ ତାଙ୍କର ଅନେକ ଫିଲ୍ମର ସୁଟିଂ ଅଧାରେ ଅଟକିଛି।
ଏବେ ଦୁଇଟି କ୍ୟାରିୟରକୁ ସମ୍ଭାଳିବାରେ କଙ୍ଗନା ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଏକ ସାକ୍ଷାତକାରରେ ଜଣାଇଛନ୍ତି। ସେ କହିଛନ୍ତି ଯେ, ସାଂସଦ ହେବା ଏକ ଚ୍ୟାଲେଞ୍ଜିଂ କାମ। ବିଶେଷକରି ମୋ ନିର୍ବାଚନମଣ୍ଡଳୀରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ମୁଁ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସବୁ ଜାଗାକୁ ଯାଉଛି। ଲୋକଙ୍କ କଥା ବୁଝାଯାଉଛି କି ନାହିଁ ଜାଣିବା ପାଇଁ ମୋତେ ହିମାଚଳ ଯିବାକୁ ପଡ଼ୁଛି। ଏହା ଜରୁରୀ ମଧ୍ୟ। ହେଲେ ଏଥିପାଇଁ ମୋର ଚଳଚ୍ଚିତ୍ର କାମ ପ୍ରଭାବିତ ହେଉଛି। ମୋର ଅନେକ ପ୍ରୋଜେକ୍ଟ ଏବେ ଅଧାରେ ଅଟକିଛି। ମୁଁ ମୋର ସୁଟ୍ ଆରମ୍ଭ କରିବାକୁ ସକ୍ଷମ ହୋଇପାରୁନାହିଁ। ”
ଏହା ପୂର୍ବରୁ କଙ୍ଗନା ହିମାଚଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ କରି କହିଥିଲେ ଯେ, “ରାଜ୍ୟ ସରକାରଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ଗତଥର ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ କେନ୍ଦ୍ରରୁ ମିଳିଥିବା ପାଣ୍ଠିରୁ ସମସ୍ତଙ୍କୁ ୭ଲକ୍ଷ ଟଙ୍କା ଦିଆଯିବ, ସେମାନେ ୭ଲକ୍ଷ ଟଙ୍କା ପାଇଛନ୍ତି କି?” ଏଭଳି କହି ସେ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ରରୁ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରୁନଥିବା କହିଥିଲେ କଙ୍ଗନା।
Follow Us