ମୁମ୍ବାଇ: ସାଂସଦ ହେବା ପରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ୍ ମୁମ୍ବାଇରେ ଥିବା ଘର ବିକିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ କଙ୍ଗନା ନିଜ ଫିଲ୍ମ 'ଏମରଜେନ୍ସି'କୁ ନେଇ ହେଉଥିବା ବିବାଦ ପାଇଁ ଚର୍ଚ୍ଚାରେ ଥିବା ବେଳେ ଘର ବିକିଥିବା ଖବର ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। କିଛି ଦିନ ତଳେ ଏକ ୟୁଟ୍ୟୁବ ଭିଡିଓ ଭାଇରାଲ ହେବା ପରେ କଙ୍ଗନା ଘର ବିକିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Advertisment

କୁହାଯାଉଥିଲା ଯେ, ନିର୍ବାଚନ ଜିତି ସାଂସଦ ହେବା ପରେ କଙ୍ଗନା ଅଧିକାଂଶ ସମୟ ଦିଲ୍ଲୀ ଓ ହିମାଚଳରେ ରହୁଛନ୍ତି। ଏହି କାରଣରୁ ସେ ମୁମ୍ବାଇର ପାଲି ହିଲରେ ଥିବା ନିଜ ଘରକୁ ବିକିଛନ୍ତି। ଏହି ଘରେ ସେ ନିଜ ପ୍ରଯୋଜନା ସଂସ୍ଥା ଚଳାଉଥିଲେ। ହେଲେ ଫିଲ୍ମ ଫ୍ଲପ ହେବା ସହ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିଥିବାରୁ ଏବେ ‌ସେ ୨୦କୋଟିରେ ନିଜ ଘର ବିକିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ଖବରଟି ସତ କି ମିଛ, ସେ ନେଇ ଦ୍ବନ୍ଦ୍ବ ରହିଥିବା ବେଳେ ଏବେ ଅଭିନେତ୍ରୀ ଘର ବିକିଥିବା ଖବର ଉପରେ ମୋହର ଲଗାଇଛନ୍ତି। ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ, ଚଳଚ୍ଚିତ୍ର 'ଏମରଜେନ୍ସି' ରିଲିଜ୍ ବିଳମ୍ବ ହେବାରୁ ହୋଇଥିବା କ୍ଷତି ପାଇଁ ସେ ବାଧ୍ୟ ହୋଇ ଘର ବିକିଛନ୍ତି। ତାଙ୍କ କହିବା ମୁତାବକ, “ସ୍ୱାଭାବିକ ଭାବେ ମୋର ଚଳଚ୍ଚିତ୍ର ରିଲିଜ ହେବାର ଥିଲା। ସେଥିପାଇଁ ମୁଁ ମୋର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଫିଲ୍ମରେ ଲଗାଇଥିଲି। ବର୍ତ୍ତମାନ ଯେହେତୁ ଏହା ରିଲିଜ୍ ହୋଇନାହିଁ, ତେଣୁ ଏବେ ହେଉଥିବା ଖର୍ଚ୍ଚ ପାଇଁ ମୋତେ ଘର ବିକିବାକୁ ପଡ଼ିଛି।

ଏ ଖବର ପଢ଼ନ୍ତୁ- https://sambad.in/sports/who-will-be-the-next-messiah-of-chennai-super-kings-after-dhoni-former-indian-legend-tells-7073416